• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିରାଟ ହେବାର ଅଭିଳାଷା ତାଙ୍କୁ ବିରାଟ କରି ଗଢ଼ି ତୋଳିଥିଲା । କ୍ରିକେଟ ଜଗତର ସେ ଅଦ୍ବିତୀୟ ସମ୍ରାଟ ପାଲଟି ଯାଇଥିଲେ । ରେକର୍ଡ ପରେ ରେକର୍ଡ ପ୍ରତିଷ୍ଠା କରି ଚାଲିଥିଲେ । କ୍ରିକେଟ ପଣ୍ତିତ ଓ ପ୍ରଶଂସକଙ୍କ ଭିତରେ ସେ ଦ୍ବିତୀୟ ଭଗବାନର ଆଖ୍ୟା ପାଇ ସାରିଥିଲେ । ସଚିନ ତେନ୍ଦୁଲକରଙ୍କ ରେକର୍ଡ ଯଦି କିଏ ଭାଙ୍ଗି ପାରିବ, ସେ କେବଳ ବିରାଟ କୋହଲି ବୋଲି ସମସ୍ତେ ମାନି ନେଇଥିଲେ । ଅଦ୍ବିତୀୟ, ଅବିସ୍ମୟ କଳାର ସେ ଅଧିକାରୀ ଥିଲେ । ଭାରତରେ ବିରାଟ କୋହଲି ଯୁଗର ଆରମ୍ଭ ହୋଇ ସାରିଥିଲା । ପୁରା ବିଶ୍ବ ଏ ଖେଳାଳିର ପ୍ରଶଂସାରେ ଶତମୁଖ ଥିଲା ।

କିନ୍ତୁ ଦିନେ, ସମୟ ବଦଳିଲା, ପରିସ୍ଥିତି ବଦଳିଲା । ଏହା ସହ ତାଳ ଦେଇ ବିରାଟଙ୍କର ପରିଚୟ ମଧ୍ୟ ବଦଳିଗଲା । ଯେଉଁ କ୍ରିକେଟ ଦୁନିଆ ଦିନେ ତାଙ୍କ ନାମରେ ହିଁ ଚାଲୁଥିଲା, ସେଠାରେ ତାଙ୍କର ଗାଦି ଟଳମଳ ହେବାକୁ ଲାଗିଲା । ଅଢ଼େଇ ବର୍ଷ ଧରି ତାଙ୍କର ବ୍ୟାଟରୁ ଶତକ ଆସିଲାନି । ଏ ସମୟରେ ତାଙ୍କର କ୍ୟାପଟେନସିପ ମଧ୍ୟ ଗଲା । ଟିମରେ ନିଜର ସ୍ଥାନ ବଞ୍ଚାଇବାକୁ ସେ ସଂଘର୍ଷ କରିଲେ ।

ଦଳରେ ବିରାଟଙ୍କ ରିପ୍ଲେସମେଣ୍ଟ କିଏ ହେବ, ତାକୁ ନେଇ ଚର୍ଚ୍ଚା ଚାଲିଲା । ପରିସ୍ଥିତି ଏପରି ମଧ୍ୟ ଆସିଲା, ଯେଉଁ ଟିମର ଦିନେ ସେ ଅଧିନାୟକ ଥିଲେ, ସେହି ଟିମରୁ ତାଙ୍କୁ ବାହାର କରିବାକୁ ମସୁଧା ଚାଲିଲା । ସୋସିଆଲ ମିଡ଼ିଆରେ ତାଙ୍କ ଉପରେ ଗାଳିର ବର୍ଷା ହେବାକୁ ଲାଗିଲା । ୩୨ ବର୍ଷ ବୟସରେ ତାଙ୍କୁ ବୁଢ଼ାର ଆଖ୍ୟା ଦିଆ ହୋଇଗଲା । ମିଡ଼ିଆରେ ତାଙ୍କର ଅସ୍ତିତ୍ବକୁ ନେଇ ପ୍ରଶ୍ନ ଉଠିଲା । ପ୍ରତି ମୂହୁର୍ତ୍ତରେ ତାଙ୍କର ମାନସିକ ସ୍ତର ଉପରେ କୁଠାରଘାତ କରାଗଲା । 

ମଣିଷ ଯେଉଁଠାରେ ନିଜର ଶେଷ ଆଶା ଟିକକ ହାରି ଯାଏ, ସେ ପରିସ୍ଥିତିରେ ସେ ଥିଲେ । ସତୁରୀ ଶତକର ସମ୍ରାଟକୁ କ୍ରିକେଟ ଖେଳ ଜାଣି ନଥିବା ଲୋକ ଶିକ୍ଷା ଦେବାରେ ଲାଗିଥିଲେ । ନା ନିଜର ଅକ୍ଲାନ୍ତ ପରିଶ୍ରମ କାମରେ ଆସୁଥିଲା, ନା ଭାଗ୍ୟର ସାଥ୍ ଥିଲା । ବ୍ୟାଟରେ ବଲ ବାଜୁ ନଥିଲା । ୨୦୧୯, କୋଲକାତାର ଇଡେନ ଗାର୍ଡେନ । ନିଜର ୭୦ ତମ ଶତକ ମାରିଥିଲେ କୋହଲି । ଏହା ପରେ ପାଖାପାଖି ଅଢ଼େଇ ବର୍ଷ ଯାଏଁ, ତାଙ୍କର ବ୍ୟାଟ ଶାନ୍ତ ରହିଲା । ସେ ନିଜ ପରିଶ୍ରମ ଦ୍ବାରା ଯେତେ ଉପରକୁ ଚଢ଼ିଥିଲେ, ତାଠାରୁ ଅଧିକ ବେଗରେ ସେ ତଳକୁ ଖସିଲେ । ପରେ ପରେ ଆଇପିଏଲରେ ମଧ୍ୟ ତାଙ୍କର ବ୍ୟାଟ ଶାନ୍ତ ରହିଲା । ୨୦୨୧ ରେ ଟିଟ୍ବେଣ୍ଟି ୱାର୍ଲ୍ଡ କପରେ ପାକିସ୍ତାନଠାରୁ ଲଜ୍ୟାଜନକ ପରାଜୟ ପରେ ସମସ୍ତେ ତାଙ୍କ ଅଧିନାୟକତ୍ବକୁ ଦାୟୀ କଲେ ।

ନିଜେ ଟିଟ୍ବେଣ୍ଟି ଅଧିନାୟକ ପଦ ଛାଡିଲେ । ଦିନିକିଆର ଅଧିନାୟକ ପଦ ତାଙ୍କଠାରୁ ଛଡ଼ାଇ ନିଆଗଲା । ପରେ ପରେ ସେ ଟେଷ୍ଟ ଅଧିନାୟକ ପଦକୁ ମଧ୍ୟ ଇସ୍ତଫା ଦେଇଥିଲେ । କିନ୍ତୁ ସବୁଠାରୁ ଜଟିଳ ପ୍ରଶ୍ନ ସେବେ ସାମ୍ନାରେ ଥିଲା, ବିରାଟଙ୍କ ରିପ୍ଲେସମେଣ୍ଟ.. କିଏ କରିବ ବିରାଟ କିଙ୍ଗ କୋହଲିଙ୍କୁ ରିପ୍ଲେସ ..

କିନ୍ତୁ ସେ ଏପରି କମବ୍ୟାକ କଲେ ଯେ, ପୁରା ଦୁନିଆ ଦେଖି ଦେଖି ରହିଗଲା । ୨୦୨୨, ଟିଟ୍ବେଣ୍ଟି ୱାର୍ଲ୍ଡ କପ । ଦିନ ୨୩ ଅକ୍ଟୋବର । ପାକିସ୍ତାନ ବିପକ୍ଷରେ ଟିମ ଇଣ୍ଡିଆ । ଭାରତ ପାଇଁ ଟାର୍ଗେଟ ୧୬୦ ଥିଲା । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଷ୍ଟାଡିୟମ, ସାମ୍ନାରେ ଲକ୍ଷେ ୨୦ ହଜାର ଦର୍ଶକ । ପ୍ରଥମେ କେଏଲ ରାହୁଲ, ରୋହିତ ଶର୍ମା ପରେ ପରେ ଅକ୍ଷର ପଟେଲ, ଧିରେ ଧିରେ ସବୁ ବ୍ୟାଟର ଆଉଟ ହେବାରେ ଲାଗିଥିଲେ । ଭାରତର ଆସନ୍ନ ପରାଜୟ ଆଶଙ୍କାରେ ପୁରା ଷ୍ଟାଡିୟମରେ ନିରବତା ଖେଳି ଯାଇଥିଲା ।

କିନ୍ତୁ କ୍ରିଜରେ ବିରାଟ କୋହଲି ଥିଲେ । ସେ ସମୟରେ ସେ ହାରିଶ ରୌଫଙ୍କୁ ମାରିଥିବା ଦୁଇଟି ଛକା, ଆଜି ଯାଏଁ କ୍ରିକେଟ ପ୍ରେମୀଙ୍କ ମନରୁ ଲିଭି ପାରିନି । କୁହନ୍ତି ନା, ଭୋକିଲା ତଥା ଆଘାତ ପ୍ରାପ୍ତ ସିଂହ ଅଧିକ ଜୋରେ ଆକ୍ରମଣ କରେ । ବିରାଟଙ୍କ କ୍ଷେତ୍ରରେ ମଧ୍ୟ ତାହା ହିଁ ଦେଖିବାକୁ ମିଳିଲା । ତାଙ୍କର ଆକ୍ରମଣକୁ ପ୍ରତିହତ କରିବାର ଶକ୍ତି ପାକ ବୋଲରଙ୍କ ମଧ୍ୟରେ ନଥିଲା । ନିଜର ବୋଲିଂ ବାହିନୀକୁ ନେଇ ଗର୍ବ କରୁଥିବା ପାକିସ୍ତାନ ଦଳର ଗର୍ବକୁ ଭାଙ୍ଗି ଥୋଇ ଦେଇଥିଲେ ବିରାଟ ।

ସେବେ ଦୁନିଆ ଦେଖିଥିଲା ବିରାଟଙ୍କର ଶକ୍ତି । ପରେ ପରେ ସେ ଶତକ ପରେ ଶତକ ହାସଲ କରି ଚାଲିଛନ୍ତି । ଦିନିକିଆରେ ସଚିନଙ୍କ ପରେ ସେ ଦ୍ବିତୀୟ ସର୍ବାଧିକ ଶତକ ହାସଲ କରିଛନ୍ତି । ମାତ୍ର ଗୋଟାଏ ବର୍ଷ ମଧ୍ୟରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଟି ଶତକ ହାସଲ କରି ସାରିଲେଣି । ଦିନିକିଆ ବିଶ୍ବକପରେ ମଧ୍ୟ ତାଙ୍କର ପ୍ରଦର୍ଶନ ଚମତ୍କାର ରହି ଆସିଛି । ନିଜର କଠୋର ପରିଶ୍ରମ, ସଂଘର୍ଷ ତଥା ଅଧ୍ୟବସାୟ ଦ୍ବାରା ସେ ନିଜର ପ୍ରଦର୍ଶନରେ ଉନ୍ନତି ଆଣି ପାରିଛନ୍ତି । ଆଜି ସେହି ମହାନ କ୍ରିକେଟରଙ୍କ ଜନ୍ମଦିନ ଅବସରରେ ଓଟିଭି ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।