• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ସେ ଆସିଲେ ପଡିଆ ଥରି ଉଠେ। ବ୍ୟାଟବଲରେ ସୃଷ୍ଟି ହୁଏ ଝଡ। ସେ ହେଉଛନ୍ତି ଟିମ୍‌ ଇଣ୍ଡିଆ ଶାନ୍‌ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ । ଜଣେ ଦମଦାର ଓପନର । ସେ ଆସିଲେ ବର୍ଷାହୁଏ ଛକା ଚଉକା। ‘ନଜଫଗଡର ନବାବ’ ଯେତେବେଳେ ପଡିଆକୁ ଓହ୍ଲାଇ ଆସନ୍ତି, ଥରିଯାଏ ବିପକ୍ଷ ଟିମ୍‌ ଖେଳାଳିଙ୍କ ଛାତି। ଆଜି ଇଏ ପଡ଼ିଆରୁ ଫେରିବେ ତ –ଏମିତି ଭାବୁଥାନ୍ତି ବିରୋଧୀ ଟିମ୍‌। ବୀରେନ୍ଦ୍ର ସେହୱାଗ ଓରଫ ବୀରୁ ଆଜି ପାଳୁଛନ୍ତି ତାଙ୍କର ୪୪ ତମ ଜନ୍ମଦିନ। ଜନ୍ମଦିନ ଅବସରରେ ବୀରେନ୍ଦ୍ର ସମ୍ପର୍କରେ ଆସନ୍ତୁ ଜାଣିବା କିଛି ରୋଚକ ତଥ୍ୟ।

ବୀରେନ୍ଦ୍ର ସେହୱାଗଙ୍କ ଜନ୍ମ ହରିଆଣାରେ ୧୯୭୮ ଅକ୍ଟୋବର ୨୦ ତାରିଖରେ ହୋଇଥିଲା। ବାପା କୃଷ୍ଣ ସେହୱାଗ ଜଣେ ବୃବସାୟୀ ଓ ମା’ ଗୃହିଣୀ। ଦୁଇ ଭଉଣୀ ମଞ୍ଜୁ ଏବଂ ଅଞ୍ଜୁ। ଗୋଟିଏ ଭାଇ ବିନୋଦ। ହରିଆଣାରେ ଜନ୍ମ ହେଲେ ମଧ୍ୟ ଦିଲ୍ଲୀରେ ଶିକ୍ଷାଗ୍ରହଣ କରିଥିଲେ ସେହୱାଗ । ଅରୋଡା ବିଦ୍ୟା ସ୍କୁଲରେ ଦ୍ୱାଦଶ ପାସ୍‌ କରିବା ପରେ ଜାମିଆ ମିଲିଆ ଇସ୍‌ଲାମିଆରୁ ଗ୍ରାଜୁଏସନ ଶେଷ କରିଥିଲେ। ପରେ ସେ ବିକାଶପୁରୀ ସ୍ଥିତ କ୍ରିକେଟ କୋଚିଂ ସେଣ୍ଟରରେ କୋଚ ଏ.ଏନ.ଶର୍ମାଙ୍କ ପାଖରେ ତାଲିମ ନେଇଥିଲେ।

ବୀରେନ୍ଦ୍ରଙ୍କ ବାପା-ମା’ଙ୍କ କହିବା ଅନୁଯାୟୀ, ୭ ବର୍ଷ ବୟସରୁ ତାଙ୍କର କ୍ରିକେଟ ପ୍ରତି ଭଲ ପାଇବା ଆରମ୍ଭ ହୋଇଥିଲା। ତାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା କ୍ରିକେଟ ଖେଳୁ ଖେଳୁ ଦାନ୍ତ ଭାଙ୍ଗି ଦେଇଥିଲେ। ଏହାପରେ ବାପା ଖେଳିବା ଉପରେ କଟକଣା ଜାରି କରିଥିଲେ। ହେଲେ ମା’ ଦେଇଥିଲେ ପୁଅର ସାଥ୍‌। ମା’ଙ୍କ କହିବା ପରେ ବାପା ପୁଣି କ୍ରିକେଟ ଖେଳିବାକୁ ଅନୁମତି ଦେଇଥିଲେ।

ବୀରୁ ତାଙ୍କ ଜୀବନରେ ଅନେକ ସ୍ମରଣୀୟ ମ୍ୟାଚ ଖେଳିଛନ୍ତି । ହେଲେ ପାକିସ୍ତାନର ମୁଲତତନାରେ ଖେଳିଥିବା ମ୍ୟାଚ ଥିଲା ଐତିହାସିକ। ପାକିସ୍ତାନ ବିରୋଧରେ ୩୦୯ ରନ୍‌ କରି ଏକ ରେକର୍ଡ ସୃଷ୍ଟି କରିଥିଲେ। ସେତିକି ନୁହେଁ, ଟେଷ୍ଟ ସିରିଜକୁ ୱାନ୍‌ ଡେ ଷ୍ଟାଇଲରେ ଖେଳି ଦଶର୍କଙ୍କ ମନ କିଣି ନେଇଥିଲେ। ୨୦୦୪ରେ ଏହି ମ୍ୟାଚ ହୋଇଥିଲା। ଭାରତୀୟ ଟିମ୍‌ ୩ ଟେଷ୍ଟ ଓ ୫ଟି ୱାନଡେ ଖେଳିବା ପାଇଁ ପାକିସ୍ତାନ ଯାଇଥିଲେ। ଆରମ୍ଭ ହୋଇଥିଲା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌। ସୌରଭ ଭାଙ୍ଗୁଲିଙ୍କ ଅନୁପସ୍ଥିତିରେ କ୍ୟାପ୍ଟେନ ଦାୟିତ୍ୱ ନେଇ ଥିଲେ ରାହୁଲ ଦ୍ରାବିଡ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଆକାଶ ଚୋପ୍ରା -ସେହୱାଗ ଯୋଡି ଓହ୍ଲାଇଥିଲେ ପଡ଼ିଆକୁ। ତା’ ପରେ ବର୍ଷିଥିଲା ରନ୍‌। ୪୦ ଇଓଭରରେ ୧୬୦ ରନ କରିଥିଲେ ଏହି ଯୋଡ଼ି । ଏଥିରେ ଆକାଶଙ୍କ ଯୋଗଦାନ ଥିଲା ୪୨। ଆକାଶ ଆଉଟ ହେବା ବେଳକୁ ସେହୱାଗ ନିଜର ପ୍ରଥମ ଶତକ ଖେଳି ସାରିଥିଲେ। ଆକାଶ ଯିବା ପରେ ରାହୁଲ ଦ୍ରାବିଡ ଆସିଥିଲେ। ମାତ୍ର ୬ ରନ୍‌ କରି ସେ ବି ପାବିଲିୟନକୁ ଫେରି ଯାଇଥିଲେ।

ତା’ ପରେ ଆସିଥିଲେ ସଚ୍ଚିନ ତେନ୍ଦୁଲକର। ତେନ୍ଦୁଲକର-ସେହୱାଗ ଯୋଡି ବେଶ ଧୁଲେଇ କରିଥିଲେ ପାକିସ୍ତାନକୁ। ଗୋଟିଏ ବି ସୁଯୋଗ ହାତଛଡା କରି ନ ଥିଲେ। ଖେଳ ଶେଷ ହେବା ବେଳକୁ ଭାରତ ମାତ୍ର ୨ ୱିକେଟରେ ୩୫୬ ରନ୍‌ କରିଥିଲା। ଏଥିରୁ ୨୨୮ ରନ ଏକା କରିଥିଲେ ବୀରୁ।

ମ୍ୟାଚର ୨ୟ ଦିନରେ ବି ତାଙ୍କ ଫ୍ୟାନ୍ସମାନେ ଶତକ ଆଶା କରିଥିଲେ। ସେମାନଙ୍କୁ ବୀରୁ ହତାଶ କରି ନ ଥିଲେ। ସେଦିନ ତୃତୀୟ ଶତକ ହାତେଇ ଖେଳକୁ ସ୍ମରଣୀୟ କରି ଦେଇଥିଲେ। ସେ ଏହି ମ୍ୟାଚ୍‌ରେ ୩୬୪ ବଲ୍‌ରେ ୩୦୯ ରନ୍‌ କରିଥିବାବେଳେ ସେଥିରେ ଥିଲା ୩୮ ଚୌକା ଏବଂ ୬ ଛକା। ଏହି ମ୍ୟାଚରେ ଇତିହାସ ରଚିଥିଲେ ସେହୱାଗ। ଏହା ପରଠାରୁ ତାଙ୍କ ନାଁ ତାଲିକାରେ ଆଉ ଏକ ନାଁ ଯୋଡ଼ି ହୋଇଥିଲା ସୁଲ୍‌ତାନ୍‌ ଅଫ୍‌ ମୁଲତାନ (Sultan of Multan) ।

୨୦୦୪ରେ ବୀରେନ୍ଦ୍ର ଆରତୀ ଅହଲାବତଙ୍କୁ ବିବାହ କରିଥିଲେ। ନାମରେ ତାଙ୍କର ଦୁଇ ପୁଅଙ୍କ ନାମ ଆର୍ଯ୍ୟବୀର ଏବଂ ବେଦାନ୍ତ। ସେହୱାଗ ବୋର୍ଡିଂ ସ୍କୁଲ ଏବଂ ସ୍ପୋର୍ଟସ ଏକାଡେମୀ ସ୍ଥାପନା କରିଥିଲେ। ହରିଆଣା ଇଜ୍ଜରଠାରେ ଥିବା ତାଙ୍କ ବୋର୍ଡିଂ ସ୍କୁଲର ନାଁ ସେହୱାଗ ଇଣ୍ଟରନାଶନାଲ ସ୍କୁଲ। ବୀରୁ ଓରଫ ନଜଫଗଡର ନବାବ ଓରଫ ମୁଲ୍‌ତାନର ସୁଲତାନ୍‌ ଓରଫ ଜେନ ମାଷ୍ଟର ଅଫ ମଡର୍ଣ୍ଣ କ୍ରିକେଟ...ଏମିତି କେତେ ନାଁରେ ପରିଚିତ ବୀରେନ୍ଦ୍ର ସେହୱାଗ। ଆଜି ତାଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭଚ୍ଛା ଓ ଶୁଭକାମନା।