• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ଖେଳାଯିବ ଟି୨୦ ବିଶ୍ୱକପ୍ ପାଇଁ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍‌ । ଭାରତ ଇଂଲଣ୍ଡ ଭିତରେ ହେବ କଡ଼ା ଟକ୍କର । ଆଜି ଯିଏ ଜିତିବ, ସିଏ ସୁପର ସଣ୍ଡେରେ ପାକିସ୍ତାନ ସହ ଫାଇନାଲ୍ ଖେଳିବ । କ୍ରିକେଟ୍ ପ୍ରେମୀ ଚାହୁଁଛନ୍ତି ଆଜିର ମ୍ୟାଚ୍ ଜିତି ପାକିସ୍ତାନ ସହ ଫାଇନାଲ୍ ମୁକାବିଲା ହେଉ । ଆଡିଲେଡର କେଉଁ ଟିମ୍ କାଟିବ ମେଲବୋର୍ଣ୍ଣ ପାଇଁ ଟିକେଟ୍, ତା ଉପରେ ସମସ୍ତଙ୍କ ନଜର ।

୨୦୦୭ ବିଶ୍ୱକପର ହେବ କି ପୁନରାବୃତ୍ତି ? ପୁଣି ଥରେ ପାକିସ୍ତାନକୁ ମାତ୍‌ ଦେଇ ଟ୍ରଫି ହାତେଇବ କି ଟିମ୍‌ ଇଣ୍ତିଆ? କାହିଁକି ନା ଆଜି ଇଂଲଣ୍ତ ବିପକ୍ଷରେ ଟିମ୍‌ ଇଣ୍ତିଆ ମ୍ୟାଚ୍‌ ରହିଛି । ଯଦି ଆଜି ଇଣ୍ତିଆ ଏହି ମ୍ୟାଚ୍‌ ଜିତୁଛି, ତେବେ ପୁଣି ଥରେ ପାକିସ୍ତାନକୁ ଫାଇନାଲ୍‌ରେ ମାତ୍‌ ଦେବ ବୋଲି ଫ୍ୟାନ୍ସଙ୍କ ମନରେ ଆଶା ରହିଛି ।

ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟର ଲିଗ୍‌ ଷ୍ଟେଜ୍‌ ହେଉ ଅବା ସେମିଫାଇନାଲ ଏବଂ ଫାଇନାଲ୍‌ ସବୁବେଳେ ପାକିସ୍ତାନକୁ ପାଣି ପିଆଇଛି ଟିମ୍‌ ଇଣ୍ତିଆ । କିନ୍ତୁ ଗତବର୍ଷ ଟି-ଟ୍ୱେଣ୍ଟି ୱାର୍ଲ୍ଡକପ୍‌ରେ ଭାରତକୁ ବହୁବର୍ଷ ପରେ ହରାଇଥିଲା ପାକିସ୍ତାନ । ହେଲେ ଏବର୍ଷ ବିଶ୍ୱକପ୍‌ର ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଭାରତ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ।

ଯଦି ଆମେ ପୂର୍ବ କଥାକୁ ମନେ ପକାଇବା, ତେବେ ୨୦୦୭ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ସାମ୍ନାସାମ୍ନି ହୋଇଥିଲେ ଭାରତ-ପାକିସ୍ତାନ । ରୋମାଞ୍ଚକ ରହିଥିଲା ସେହି ମ୍ୟାଚ୍‌ । ମ୍ୟାଚ୍‌ଟି ଡ୍ର ହେବାରୁ ବୋଲ୍‌ ଆଉଟ୍‌ ପ୍ରଣାଳୀରେ ମ୍ୟାଚ୍‌କୁ ଜିତିଥିଲା ଭାରତ । ଠିକ୍‌ ଏ ବର୍ଷ ମଧ୍ୟ ଲିଗ୍‌ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ସେହି ଧୁଆଁଧାର ଇନିଂସ ବଳରେ ପାକିସ୍ତାନ ହାତରୁ ମ୍ୟାଚ୍‌ ଛଡାଇ ନେଇଥିଲା ଟିମ୍‌ ଇଣ୍ତିଆ ।

୨୦୦୭ ବିଶ୍ୱକପ୍‌ ପରେ ପୁନର୍ବାର ଫାଇନାଲ୍‌ରେ ଟିମ୍‌ ଇଣ୍ତିଆ ପାକିସ୍ତାନକୁ ମାତ୍‌ ଦେବାର ସୁଯୋଗ ରହିଛି । ଯଦି ଆଜି ଇଂଲଣ୍ତ ବିପକ୍ଷ ମ୍ୟାଚ୍‌କୁ ଭାରତ ଜିତୁଛି । ତେବେ ପୁଣିଥରେ ଫାଇନାଲ୍‌ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । କେବଳ ଭାରତୀୟ ଫ୍ୟାନ୍ସ ନୁହନ୍ତି ବରଂ ପାକିସ୍ତାନ ଫ୍ୟାନ୍ସଙ୍କ ମଧ୍ୟରେ ଆଶା ରହିଛି କି ଫାଇନାଲ୍‌ରେ ଭେଟାଭେଟି ହେବେ ଏହି ଦୁଇ ଦଳ ।

୨୦୦୭ରେ ନୂଆ କରି ଅଧିନାୟକ ଦାୟିତ୍ୱ ନେଇଥିବା କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି ଯୁବ ଖେଳାଳିଙ୍କୁ ନେଇ ଟୁର୍ଣ୍ଣାମେଣ୍ଟ ଜିତିଥିଲେ । ଚଳିତ ବିଶ୍ୱକପ୍‌ରେ ବି ରୋହିତଙ୍କ ବାହିନୀରେ ଅନେକ ଯୁବ ଖେଳାଳି ରହିଛନ୍ତି, ଯେଉଁମାନେ ଭଲ ପ୍ରଦର୍ଶନ କରୁଛନ୍ତି । ତେବେ ଆଶା କରାଯାଉଛି କି ଏବର୍ଷ ବି ଟ୍ରଫି ହାତେଇବ ଟିମ୍‌ ଇଣ୍ତିଆ ।

ଆଜିର ମ୍ୟାଚ୍‌ରେ ବିପକ୍ଷ ଟିମ୍‌ ଇଂଲଣ୍ତର ସ୍ଥିତି ବି ବେଶ୍‌ ମଜବୁତ ରହିଛି । ଷ୍ଟ୍ରଙ୍ଗ ବ୍ୟାଟିଂ ଲାଇନ୍‌ ଅପ୍‌ ଟିମ୍‌କୁ ଏକ ବିଶାଳ ସ୍କୋର୍‌ରେ ପହଞ୍ଚାଇପାରେ । ଇଂଲଣ୍ତର ଓପନିଂ ଯୋଡ଼ି ଟିମ୍‌କୁ ଭଲ ଷ୍ଟାର୍ଟ ଦେଉଛନ୍ତି । ମିଡଲ୍‌ ଅର୍ଡରରେ ବି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି । ତେବେ ଭାରତୀୟ ବୋଲର୍‌ କେତେଦୂର ଏମାନଙ୍କୁ ସୀମିତ ରଖିବାରେ ସମର୍ଥ ହେଉଛନ୍ତି, ତାହା ଦେଖିବାକୁ ରହିଲା ।