• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓମାନ୍‌: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କଲା ସ୍କଟ୍‌ଲ୍ୟାଣ୍ଡ । ଓପନିଂ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ସ୍କଟ୍‌ଲ୍ୟାଣ୍ଡ ଏକ ନୂଆ ଇତିହାସ ରଚିଲା । ତେବେ ଏହି ବିଜୟ ପଛର ନାୟକ କ୍ରିସ୍‌ ଗ୍ରୀବ୍ସ କହିଛନ୍ତି, ‘ଏହା ଅବିଶ୍ୱସନୀୟ ଥିଲା । ରବିବାର ଆମର ଦିନ ଥିଲା । ଆଗକୁ ମଧ୍ୟ ପୁରା ଟିମ୍‌ ଏଭଳି ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିବ ବୋଲି ମୋର ଆଶା ।’ ସ୍କଟ୍‌ଲ୍ୟାଣ୍ଡ ମାତ୍ର ୫୩ ରନ୍‌ରେ ୬ ୱିକେଟ୍‌ ହରାଇ ସାରିଥିଲା । ଏହାପରେ କେବଳ ଗ୍ରୀବ୍ସ ହିଁ ଦଳକୁ ଏକ ସମ୍ମାନ ଜନକ ସ୍କୋର ଛିଡ଼ା କରିବାରେ ବଡ଼ ସହଯୋଗ କରିଥିଲେ । ଗ୍ରୀବ୍ସ ୪୫ ରନ୍‌ କରିଥିବା ବେଳେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ହାସଲ କରିଥିଲେ । ଯାହାଫଳରେ ୧୪୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମାଇଦାନକୁ ଓହ୍ଲାଇଥିବା ବାଂଲାଦେଶ ୭ ୱିକେଟ୍‌ ହରାଇ ୧୩୪ ରନ୍‌ରେ ସୀମିତ ରହିଥିଲା ।
 

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ଗ୍ରୀବ୍ସ କହିଛନ୍ତି ଯେ, ‘ଏହା ଏକ ଜବରଦସ୍ତ ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଥିଲା । ଆଜି ମୋ ଦିନ ଥିଲା । ଆଗକୁ ଆମ ଟିମ୍‌ର ଆଉ କାହା ଦିନ ବି ହେବ । ମୁଁ ବହୁତ ଖୁସି ଯେ, ଦଳର ବିଜୟ ପଛରେ ମୋର ବଡ଼ ଭୂମିକା ଥିଲା । ସେ ଆହୁରି କହିଛନ୍ତି ଯେ, ‘ଏହା ଅବିଶ୍ୱସନୀୟ ଥିଲା । କହିବାକୁ ତ ବହୁତ କିଛି ଅଛି । କିନ୍ତୁ ଏବେ ପାଇଁ କେବଳ ଖୁସିକୁ ଅନୁଭବ କରୁଛୁ । ଗୋଟିଏ ଥରରେ ଗୋଟିଏ ମ୍ୟାଚ୍‌ ବିଷୟରେ ଚିନ୍ତା କରୁଛୁ । ଆଶା କରୁଛି ଆଗକୁ ଏମିତି ପ୍ରଦର୍ଶନ ଜାରି ରହିବ ।’

ସ୍କଟ୍‌ଲ୍ୟାଣ୍ଡର ଅଧିନାୟକ କାଇଲ କୋଏଜ୍ଜର କହିଛନ୍ତି ଯେ, ଏଥିରୁ ଜଣାପଡ଼ୁଛି ତାଙ୍କ ଟିମ୍‌ କେଉଁଠି ବି ଓ କେମିତି ବି ପରିସ୍ଥିତିରେ ଜିତିପାରିବ । ସେ କହିଛନ୍ତି, ତାଙ୍କର ଖେଳାଳିଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରହିଛି । ତାଙ୍କର ପ୍ରତ୍ୟେକ ଖେଳାଳି ଲମ୍ବା ସଟ୍‌ ଖେଳିବାର କ୍ଷମତା ରଖୁଛନ୍ତି । ଯେମିତିକି କ୍ରିସ୍‌ ଗ୍ରୀବ୍ସ ଓ ଶେଷରେ ଜୋଶ ଡେବି ଖେଳ ଦେଖାଇଲେ । ଏଥିରୁ ଜଣାପଡ଼ୁଛି ଯେ, ଆମେ କେଉଁଠି ବି ମ୍ୟାଚ୍‌ ଜିତିପାରିବୁ

ବାଂଲାଦେଶର ଅଧିନାୟକ ମହମ୍ମଦୁଲ୍ଲା କହିଛନ୍ତି, ‘୧୪୦ ରନ୍‌ର ଲକ୍ଷ୍ୟ ହାସଲ ହୋଇପାରିଥାନ୍ତା । କିନ୍ତୁ ମିଡିଲ୍‌ ଅର୍ଡରରେ ବ୍ୟାଟିଂ ଅତ୍ୟନ୍ତ ଧିମା ପଡ଼ିଗଲା । ଯାହା ଦଳକୁ ଭାରି ପଡ଼ିଲା ।’ ସେ ଆହୁରି କହିଛନ୍ତି, ‘ୱିକେଟ୍‌ ମଧ୍ୟ ଭଲ ଥିଲା । ମଝି ଓଭର ଗୁଡ଼ିକରେ ଆମେ ଅଧିକ ସ୍କୋର କରିପାରିଲୁ ନାହିଁ । ଅନ୍ୟପଟେ ବୋଲରମାନେ ନିଜ ଭୂମିକା ଖୁବ୍‌ ଭଲ ଭାବେ ସମ୍ପାଦନ କରିଛନ୍ତି । କିନ୍ତୁ ବ୍ୟାଟିଂ ଭଲ ହୋଇପାରିଲା ନାହିଁ । ସ୍କଟ୍‌ଲ୍ୟାଣ୍ଡର ସେହି ବ୍ୟାଟ୍ସମ୍ୟାନ୍‌ଙ୍କୁ ସବୁ ଶ୍ରେୟ ଯାଉଛି ଯିଏ ଦଳକୁ ଭଲ ସ୍କୋର ଛିଡ଼ା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।’