• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ପୁଣି ପୁରୁଣା ଅନ୍ଦାଜରେ ଫେରିବେ ବିରାଟ । ଏପରି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଲିଟିଲ୍ ମାଷ୍ଟର ସୁନିଲ ଗାଭାସ୍କର । ହ୍ୱାଇଟ୍ ବଲ୍ କ୍ୟାପଟେନସିପ୍ ଛାଡିବା ପରେ ବିରାଟଙ୍କ ପ୍ରଦର୍ଶନ ବେଶ ଭଲ ରହିବ ବୋଲି ଗାଭାସ୍କର ଆଶା କରିଛନ୍ତି । ବିରାଟ ଏଥର ବିନା ଟେନସନରେ କ୍ରିକେଟ ଖେଳିବେ ବୋଲି ମଧ୍ୟ ଗାଭାସ୍କର ଆଶା କରିଛନ୍ତି ।

ବିଗତ ଦୁଇ ବର୍ଷ ମଧ୍ୟରେ କୋହିଲିଙ୍କ ବ୍ୟାଟରୁ ଗୋଟିଏ ବି ଶତକୀୟ ଇନିଂସ ଦେଖିବାକୁ ମିଳିନାହିଁ । ସର୍ବାଧିକ ଶତକ ମାରିଥିବା ତାଲିକାରେ ବିରାଟ୍ ସଚିନ୍ ଓ ରିକି ପଏଣ୍ଟିଂଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି । ନିକଟରେ ବିସିସିଆଇ ପକ୍ଷରୁ ସାଉଥଆଫ୍ରିକା ଗସ୍ତ ପାଇଁ ଦିନିକିଆ ଦଳର ଘୋଷଣା କରାଯାଇଥିଲା । ଏହି ଗସ୍ତରେ ବିରାଟଙ୍କ ବଦଳରେ ରୋହିତ ଶର୍ମାଙ୍କୁ ଟିମ୍‌ର କ୍ୟାପଟେନ୍ ଦାୟିତ୍ୱ ଦିଅଯାଇଛି । ବିରାଟ ନିଜ ଆଡୁ ଟି-୨୦ କ୍ରିକେଟର କ୍ୟାପଟେନସିପ ଦାୟିତ୍ୱ ଛାଡିଥିଲେ ।

ଦୁଇ ବର୍ଷ ପୂର୍ବେ ବିରାଟ କ୍ରମାଗତ ଭାବରେ ଅନେକ ଶତକୀୟ ଇନିଂସ ଖେଳିଥିବାର ଦେଖିବାକୁ ମିଳିଥିଲା । ବିରାଟ ତାଙ୍କର ପୁରୁଣା ଅନ୍ଦାଜରେ କେବେ ଫେରିବେ ଏନେଇ ତାଙ୍କ ପ୍ରଶଂସକ ବେଶ ଚିନ୍ତିତ ରହିଥିଲେ । ତେବେ ବିରାଟ ଆଇପିଏଲ ଫ୍ରାଞ୍ଚାଇଜ୍ ଆର୍‌ସିବିର ମଧ୍ୟ ଅଧିନାୟକ ପଦ ଛାଡିଛନ୍ତି । ତେବେ ବିରାଟ ନିଜ ପ୍ରଦର୍ଶନକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଥିବାର ଆଶା କରାଯାଉଛି ।

ଗାଭାସ୍କର ରୋହିତଙ୍କ ପ୍ରଶଂସା କରି କହିଛନ୍ତି ଯେ, ୩୪ ବର୍ଷୀୟ ରୋହିତ ଶର୍ମାଙ୍କର ଦିନିକିଆ ଦଳର ଅଧିନାୟକ ପଦ ପାଇଁ ବେଶ କ୍ଷମତା ରହିଛି । ବିଶେଷ କରି ଆଇପିଏଲରେ ମୁମ୍ବାଇ ଇଣ୍ତିଆନ୍ସ ପାଇଁ କ୍ୟାପ୍ଟେନସିପ କରି ୫ ଥର ଆଇପିଏଲ ଟ୍ରଫି ଜିତିବା ବେଶ ପ୍ରଶଂସନୀୟ ଥିଲା । ଗାଭାସ୍କରଙ୍କ କହିବାନୁଯାୟୀ ଉଭୟ ରୋହିତ ଓ ବିରାଟଙ୍କ ପ୍ରଦର୍ଶନ ସାଉଥଆଫ୍ରିକା ଗସ୍ତରେ ବେଶ ଭଲ ରହିବ ।