Advertisment

କ୍ରୀଡ଼ା ରାଜନୀତିରେ ବି ବଡ଼ ପଟ୍ଟ ପରିବର୍ତ୍ତନ, FAO ସଭାପତି ହେଲେ ସମୀର ଦେ’..!

ଫାଓ ସଭାପତି ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ଦେବାଶିଷ । OCA ସଭାପତି ବବି ଦାସଙ୍କୁ ନେଇ ବଢ଼ିଲା ଚର୍ଚ୍ଚା ।

author-image
Satyendu Shekher Mishra
undefined

FAO Election

କ୍ରୀଡ଼ା ଜଗତରେ ହଲଚଲ୍। ବରିଷ୍ଠ କ୍ରୀଡା ସଂଗଠକ ଆର୍ଶୀବାଦ ବେହେରା ଆଣ୍ଡ କୋ’ ଙ୍କ ୟୁ-ଟର୍ଣ୍ଣ। ବିଜେଡି ଆଉଟ୍-ବିଜେପି ଇନ୍। ଫୁଟବଲ ଆସୋସିଏସନ ଅଫ୍ ଓଡିଶା ତଥା ଫାଓ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ନେତା ସମୀର ଦେ’। ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସ୍ଥାନରେ ମାରିଛନ୍ତି ଏଣ୍ଟ୍ରି।

Advertisment

ଗତ ୫ ବର୍ଷ ଧରି ଫାଓ ସଭାପତି ରହିଥିବା ଦେବାଶିଷ, ଚଳିତ ଫାଓ ନିର୍ବାଚନରେ ପୁଣି ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏଥର ଦେବାଶିଷଙ୍କ ନାଁକୁ ଆଉ କୌଣସି ଫୁଟବଲ୍ କ୍ଲବ ସୁପାରିଶ କରିନଥିଲେ। ଏପରିକି ପ୍ରତିଥର ଦେବାଶିଷଙ୍କ ନାଁକୁ ସୁପାରିଶ କରୁଥିବା ରାଧାରମଣ କ୍ଲବ ବି ହାତ ଛାଡ଼ିଦେଲା। ଅପରପକ୍ଷେ ଆର୍ଶୀବାଦ ବେହେରାଙ୍କ ପୃଷ୍ଠପୋଷକତାରେ ଚାଲିଥିବା ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ସମୀର ଦେ’ଙ୍କ ନାଁ ପଠାଇବା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଗତ ମଙ୍ଗଳବାର ଫାଓ ସଭାପତି ପଦ ଛାଡ଼ିଥିଲେ ଦେବାଶିଷ।

ଆଉ ଜାରି ରହିଥିବା ନିର୍ବାଚନୀ ପ୍ରକ୍ରିୟା ଭିତରେ ଏବେ ସଭାପତି ଭାବେ ସମୀର ଦେ’, ସମ୍ପାଦକ ଭାବେ ଆର୍ଶୀବାଦ ବେହେରାଙ୍କ ସହ ଅନ୍ୟ ପଦାଧିକାରୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅପେକ୍ଷା, ଆସନ୍ତା ୨୧ର ବିଧିବଦ୍ଧ ଘୋଷଣାକୁ। ଏବେ ସମୀର ଦେ’ଙ୍କ ଦାବି, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍-OCA ସଭାପତି ପଦରୁ ବବି ଦାସ ମଧ୍ୟ ଇସ୍ତଫା ଦିଅନ୍ତୁ।

Advertisment

ତେବେ କ୍ଷମତାରେ ଥିଲେ ବୋଲି କ୍ରୀଡ଼ା ସଂଗଠନକୁ ମାଡ଼ି ବସିଥିବା ଦେବାଶିଷ ସାମନ୍ତରାୟଙ୍କ ପରେ ପଡ଼ିବ କି ବବି ଦାସଙ୍କ ପାଳି ? ଦେବାଶିଷଙ୍କ ଭଳି ବବି ଦାସଙ୍କୁ ବି ଭୋଗିବାକୁ ପଡ଼ିବ କି ସମାନ ଦଶା ? ୨୮ ଅକ୍ଟୋବର, ୨୦୨୨। ଓସିଏର ସମ୍ପାଦକ ଭାବେ ସଞ୍ଜୟ ବେହେରା ଓ ସଭାପତି ଭାବେ ବବି ଦାସ ନିର୍ବାଚିତ ହୋଇଥିଲେ।

ଏବେ ଦୀର୍ଘବର୍ଷ ଧରି ପୂର୍ବ ବିଜେଡି ସରକାରକୁ ସହଯୋଗ କରିଆସିଥିବା କ୍ରୀଡା ସଂଗଠକ ଆର୍ଶୀବାଦ ବେହେରାଙ୍କ ଆଭିମୁଖ୍ୟରେ ଏବେ ପରିବର୍ତ୍ତନ ଘଟିଛି। କୁହାଯାଉଛି, ବିଜେଡି ଟିକେଟରେ ଆଶୀର୍ବାଦ ଏବଂ ପୁଅ ସଞ୍ଜୟ ୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବାକୁ ଆଶା ରଖିଥିଲେ। କିନ୍ତୁ ନିରାଶ ହେବାକୁ ପଡ଼ିଥିଲା ଏବଂ ଦେବାଶିଷଙ୍କ ସହ ବି ସମ୍ପର୍କ ବିଗିଡ଼ିଯାଇଥିବା କୁହାଯାଉଛି।

ତେବେ ଆଶୀର୍ବାଦ କହିଛନ୍ତି, କ୍ରୀଡାର ବିକାଶ ପାଇଁ ଏବେ ନୂଆ ସରକାରକୁ ସହଯୋଗ କରିବୁ। କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ଆମେ କେବେ ବିଜେଡିର ସଦସ୍ୟ ନଥିଲୁ। ଆଗକୁ ବବି ଦାସଙ୍କ ସ୍ଥାନରେ ବିଜେପିରୁ ଯିଏ ବି ପ୍ରାର୍ଥୀ ହୁଅନ୍ତୁ, ଆମେ ସମର୍ଥନ କରିବୁ।

ଆସନ୍ତା ବର୍ଷ ହେବ ଓସିଏ କର୍ମକର୍ତ୍ତା ନିର୍ବାଚନ। ତା’ପୂର୍ବରୁ କ’ଣ ରହିବ ବବି ଦାସଙ୍କ ଆଭିମୁଖ୍ୟ ? ଯଦି ବବି ଦାସ ଇସ୍ତଫା ଦିଅନ୍ତି, ତେବେ ତାଙ୍କ ସ୍ଥାନରେ କିଏ ହେବେ OCA ସଭାପତି ? କ୍ରୀଡାସଂଘ ଗୁଡିକରେ ଆଗକୁ ହେବ କି ବଡ଼ଧରଣର ପରିବର୍ତ୍ତନ ? ସେନେଇ ନାନା ଚର୍ଚ୍ଚା ଲାଗିରହିଥିବା ବେଳେ ବବି ଦାସଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

OCA FAO
Advertisment
Advertisment