• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅଢେଇ ବର୍ଷ ପରେ ପୁଣି ବାରବାଟୀରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଆସନ୍ତାକାଲି ସାଢ଼େ ୭ଟାରେ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଅପରାହ୍ଣ ୩ଟାରେ ଦର୍ଶକଙ୍କ ପାଇଁ ଷ୍ଟାଡିୟମ୍ ଗେଟ୍ ଖୋଲିବ । ତେବେ ପଡିଆ ଭିତରକୁ ଯିବାକୁ ହେଲେ ଦର୍ଶକଙ୍କ ପାଇଁ ଅନେକ କଟକଣା ଲଗାଯାଇଛି । ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ବାରବାଟୀରେ ବିଗ୍ ଫାଇଟ୍ । ବିଶ୍ୱର ଦୁଇଟି ବଡ ଟିମ୍ ମଧ୍ୟରେ ହେବ ବଡ ଲଢେଇ । ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ପ୍ରସ୍ତୁତ ବାରବାଟୀ ଷ୍ଟାଡିୟମ୍ । ମେନ୍ ଇନ୍‌ ବ୍ଲୁ ଏବଂ ପ୍ରୋଟିଆଜ୍ ମଧ୍ୟରେ ହେବ ଟକ୍କର । ରବିବାର ଅପରାହ୍ଣ ୩ଟାରେ ଖୋଲିବ ଷ୍ଟାଡିୟମ୍ ଗେଟ୍ । ନିଜ ନିଜ ଗେଟ୍ ଦେଇ ଭିତରକୁ ଯିବେ ଦର୍ଶକ । ସାଙ୍ଗରେ କେବଳ ମୋବାଇଲ୍ , ଚଷମା, ଟିକେଟ୍ , ମାସ୍କ ହିଁ ନେଇପାରିବେ । ପାଣି ବୋତଲ, ହେଲମେଟ୍, ଖୁଚୁରା ପଇସା ଏବଂ ଖାଇବା ପ୍ୟାକେଟ୍ ନେବାକୁ ମନା କରାଯାଇଛି । ବ୍ୟାଗ୍, ଲାଠି, ଲାଇଟର ଏବଂ ଦିଆସିଲି ବକ୍ସ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ ରହିଛି ବୋଲି କହିଛନ୍ତି ପୋଲିସ କମିଶନର ,ସୌମେନ୍ଦ୍ର ପ୍ରିୟଦର୍ଶୀ ।

ବାରବାଟୀ ମୁକାବିଲା ପାଇଁ ମୁତୟନ ହେବେ ୬୨ ପ୍ଲାଟୁନ ଫୋର୍ସ । ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଜଣ ACP, ୪୫ ଜଣ ଇନ୍ସପେକ୍ଟର ଏବଂ ୨୭୦ ଜଣ SI ରାଙ୍କ୍‌ର ଅଧିକାରୀ ମୁତୟନ ହେବେ । ଏଥିସହ ୧୧୩ ଜଣ ଟ୍ରାଫିକ ପୋଲିସ, ୪୩ ଜଣ ମହିଳା କନଷ୍ଟେବଲ୍ ଏବଂ ୧୭୦ ଜଣ ହୋମଗାର୍ଡ ମଧ୍ୟ ରହିବେ । ମ୍ୟାଚ୍ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା, ଗାଡ଼ି ପାର୍କିଂ ପାଇଁ ବାଲିଯାତ୍ରା ପଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

 

ମ୍ୟାଚ୍ ପାଇଁ ଫ୍ୟାନ୍‌ଙ୍କ ମଧ୍ୟରେ କ୍ରେଜ୍ ବି ଜୋରଦାର ରହିଛି । ଟିମ୍ ଇଣ୍ଡିଆକୁ ଚିୟର କରିବାକୁ ପ୍ରସ୍ତୁତ କ୍ରିକେଟ୍ ପ୍ରେମୀ । ମ୍ୟାଚ୍ ପୂର୍ବରୁ ଫେଭରେଟ୍ ପ୍ଲେୟାରଙ୍କୁ ଦେଖିବାକୁ ଆଜି ହୋଟେଲ ବାହାରେ ଭିଡ ଜମିଥିଲା । କିଏ ପନ୍ଥ ତ ଆଉ କିଏ ପାଣ୍ଡ୍ୟାଙ୍କ ଫ୍ୟାନ୍ । ଖେଳାଳିଙ୍କ ଗୋଟିଏ ଝଲକ ଦେଖିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ଫ୍ୟାନ୍‌ । ମ୍ୟାଚ୍ ଦେଖିବାକୁ ଟିକେଟ୍ ନମିଳିଲେ ନାହିଁ କିନ୍ତୁ ଖେଳାଳି ଓ ଦେଶକୁ ଉତ୍ସାହିତ କରିଛନ୍ତି ଶହ ଶହ କ୍ରିକେଟପ୍ରେମୀ ।

ତେବେ ଆଜି ବାରବାଟିରେ ନେଟ୍ସ ବେଳେ ଦର୍ଶକଙ୍କ ପାଇଁ ଆକର୍ଷଣ ପାଲଟିଥିଲେ ସଚିନଙ୍କ ବଡ ଫ୍ୟାନ ଭାବେ ଜଣାଶୁଣା ସୁଧିର କୁମାର ଚୌଧୁରୀ । ଦର୍ଶକଙ୍କ ମନରୋଞ୍ଜନ କରିବା ସହ ସଚିନଙ୍କ କିର୍ତ୍ତୀଙ୍କୁ ମନେ ପକାଇଥିଲେ ।

ରିପୋର୍ଟର- ଦେବାଶିଷ ମହାନ୍ତି, ବିଶ୍ୱଜିତ୍ ଆଚାଯର୍ୟ, ଅତୁଲ୍ୟ ବାଉତ ଓ ନିରଂଜନ ରେଡ୍ଡୀ