• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା ପାଇଁ ସଜେଇ ହୋଇଛି ବାରବାଟୀ, ପ୍ରସ୍ତୁତ ହୋଇଛି ଓସିଏ । ସେପଟେ ଆଜି ପୋଲିସ ଡିଜି ବାରବାଟୀ ଯାଇ ଖେଳାଳିଙ୍କ ସୁରକ୍ଷା ଓ ଦର୍ଶକଙ୍କ ଶୃଙ୍ଖଳିତ ଖେଳାଦେଖା ବ୍ୟବସ୍ଥା ନେଇ ସମସ୍ତ ପ୍ରସ୍ତୁତିର ଯାଞ୍ଚ୍ କରିଛନ୍ତି । ରବିବାର ମ୍ୟାଚ ଓ ଶନିବାର ନେଟ୍ ପ୍ରାକ୍ଟିସ୍‌ ଲାଗି ଖେଳାଳିମାନେ କଟକ ଯିବେ । ଏଥିପାଇଁ ଭୁବନେଶ୍ୱର ହୋଟେଲରୁ ବାରବାଟୀ ପଡ଼ିଆ ଯାଏଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ ।

କଟକରେ ୬୨ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ସହ ମୋଟ ୮୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ୧୨ରେ ବାରବାଟୀ ଯୁଦ୍ଧ ତା ପୂର୍ବରୁ ଆସନ୍ତାକାଲି ସମରାଭ୍ୟାସ । ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ବାରବାଟୀ ପଡ଼ିଆ । ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ଏବଂ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ଆକର୍ଷଣୀୟ ରୂପରେ ସଜେଇ ହୋଇଛି ଗ୍ରାଉଣ୍ଡ । ଚକାଚକ୍ ପଡ଼ିଆ ସାଙ୍ଗକୁ ରଙ୍ଗାରଙ୍ଗ ଗ୍ୟାଲେରୀ, ଗ୍ରୀନରୁମ୍‌ରୁ ଭିଆଇପି ବକ୍ସ ପର୍ଯ୍ୟନ୍ତ ସବୁଠି ଦିଆଯାଉଛି ପ୍ରସ୍ତୁତିର ଶେଷ ସ୍ପର୍ଶ ।

ରବିବାର ମ୍ୟାଚ୍ ଓ ଶନିବାର ନେଟ୍ ପ୍ରାକ୍ଟିସ୍‌ ଲାଗି ଖେଳାଳିଙ୍କ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି । ଆଜି ପୋଲିସ ଡିଜି, ଟୁଇନ୍‌ ସିଟି ପୋଲିସ କମିଶନର ଓ ଡିସିପି ବାରବାଟୀ ଯାଇ ବହୁସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ୍ କରିଛନ୍ତି । କ୍ରାଇମବ୍ରାଞ୍ଚର କେ-9 ଡଗ୍ ସ୍କ୍ୱାର୍ଡ ବାରବାଟୀର କୋଣ ଅନୁକୋଣ ବୁଲିଛନ୍ତି । ମ୍ୟାଚ୍ ଲାଗି କେବଳ କଟକରେ ନିୟୋଜିତ ହେବେ ୬୨ ପ୍ଲାଟୁନ୍ ଫୋର୍ସ । ସେହିଭଳି ୪ ଡିସିପି, ୭ ଅତିରିକ୍ତ ଡିସିପି, ୨୮୦ ଅଫିସର ସୁରକ୍ଷା ବ୍ୟବସ୍ଥା ପରିଚାଳନା କରିବେ । ସୁରକ୍ଷା ପ୍ରୋଟୋକଲ ଭିତରେ ଏସଓଜି ଟିମ୍, କ୍ୱିକ୍ ଆକ୍ସନ ଟିମ୍ ସହ ପିଟିଜେଡ୍ କ୍ୟାମେରାକୁ ବି ସାମିଲ କରାଯାଇଛି ।

ଗତକାଲି ଅଫଲାଇନ୍ ଟିକେଟ୍ ପାଇଁ ରଣକ୍ଷେତ୍ର ପାଲଟିବା ପରେ ଆଜି ଟିକେଟ୍ କଳାବଜାରୀ ଆଶଙ୍କା ସତ ହୋଇଛି । ବିଭିନ୍ନ ଅନଲାଇନ୍ କିଣାବିକା ସାଇଟ୍‌ରେ ୮ରୁ ୧୦ ଗୁଣା ଅଧିକ ରେଟ୍ ଟିକେଟ୍ ବିକ୍ରିର ଅଭିଯୋଗ ସାମ୍ନାକୁ ଆସିଛି । କେଉଁଠି ୭ ଶହ ଟଙ୍କାର ଟିକେଟ୍ ୫ହଜାରରେ ତ ଆଉ କେଉଁଠି ୭ ହଜାରର ଟିକେଟ୍ ୧୫ ହଜାର ଟଙ୍କାରେ ବିକ୍ରି ହୋଇଥିବା ଦେଖିବାକୁ ମିଳିଛି । ତେବେ ଗତକାଲି ଘଟଣା ପରେ ବାରବାଟୀର ଦର୍ଶକ କ୍ଷମତା ବୃଦ୍ଧି ଉପରେ ବିଚାର କରାଯାଉଥିବା କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ରବିବାର ମ୍ୟାଚ୍ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ବାରବାଟୀ ଆସିବା ସମ୍ଭାବନା ରହିଛି । ତା ସହ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିବାରୁ ସେ ବି ମାଚ୍‌ର ଅନ୍ୟତମ ଆକର୍ଷଣ ବନିବା ଆଶା କରାଯାଉଛି ।