• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଷ୍ଟାର୍ ପ୍ଲେୟାରଙ୍କୁ ପାଖରୁ ଦେଖିବାକୁ ରାଜଧାନୀରେ ଫ୍ୟାନଙ୍କ ଜବରଦସ୍ତ ଭିଡ଼ । ଭୁବନେଶ୍ୱର ବିମାନବନ୍ଦର ବାହାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିଲେ ଶହ ଶହ କ୍ରିକେଟପ୍ରେମୀ । କେତେବେଳେ ଟିମ୍ ଇଣ୍ଡିଆର ସଦସ୍ୟ ପହଞ୍ଚିବେ ଅପେକ୍ଷା କରି ରହିଥିଲେ ଫ୍ୟାନ୍ସ । ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଥିଲା ଠିକ୍ ଦିନ ଗୋଟାଏ ୫୦ରେ । ବିମାନ ବନ୍ଦରରେ ପହଞ୍ଚିବା ପରେ ଦୁଇଟି ସ୍ୱତନ୍ତ୍ର ବସ୍‌ରେ ଏୟାରପୋର୍ଟରୁ ବାହାରିଥିଲେ ଦୁଇ ଦଳର ଖେଳାଳି । ପ୍ରିୟ ଖେଳାଳିଙ୍କ ଟିକେ ଝଲକ୍ ପାଇଁ ଉତ୍‌ଫୁଲ୍ଲିତ ଫ୍ୟାନ୍ସ ।

କଡ଼ା ସୁରକ୍ଷା ମଧ୍ୟରେ ମାତ୍ର କିଛି ସମୟ ଭିତରେ ମେ ଫେୟାରରେ ପହଞ୍ଚିଥିଲେ ଟିମ୍ ଇଣ୍ଡିଆ ଓ ଟିମ୍ ସାଉଥ୍ ଆଫ୍ରିକାର ସଦସ୍ୟ । ପାରମ୍ପରିକ ଯୋଡ଼ି ଶଙ୍ଖ, ଢୋଲ ମହୁରୀ ଓ ଘୋଡ଼ାନାଚ ତାଳେ ତାଳେ ଦିଆଯାଇଥିଲା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ସମସ୍ତ ଖେଳାଳି ଓ ଅତିଥିଙ୍କୁ ଫୁଲ ଚନ୍ଦନ ଓ ଉତ୍ତରୀୟ ଦେଇ ପାଛୋଟି ନିଆଯାଇଥିଲା ।

ହୋଟେଲ୍‌ରୁ ରୁମ୍‌କୁ ଯିବା ପର୍ଯ୍ୟନ୍ତ ଖେଳାଳିଙ୍କୁ ଗ୍ରାଣ୍ତ ୱେଲକମ୍‌ କରାଯାଇଥିଲା । ୱେଲ୍‌କମ୍‌ ରିଫ୍ରେସ୍‌ମେଣ୍ଟ ଭାବେ ପଇଡ଼ ପାଣି, ତା ସାଙ୍ଗକୁ ଖେଳାଳିଙ୍କ ଫଟୋ ଓ ଜାତୀୟ ପତାକା ସହ ମନଲୋଭା କେକ୍ ଥାଇ ୱେଲକମ୍ ପ୍ଲାଟର ଦିଆଯାଇଛି । ନିଜ ନିଜ ରୁମ୍‌ରେ ଆଜି ଏକ୍‌ଦମ୍‌ ରେଷ୍ଟରେ ରହିବେ ଖେଳାଳି । ୩ ଦିନର ରହଣୀରେ ଖେଳାଳିଙ୍କ ଲାଗୁ ସୁସ୍ୱାଦୁ ଓ ଶୃଙ୍ଖଳିତ ଖାଦ୍ୟପେୟ ଲାଗି ବିଶେଷ ଧ୍ୟାନ ଦିଆଯାଇଛି ।

 

ବ୍ରେକ୍‌ଫାଷ୍ଟଠୁ ଡିନର ସବୁଥିରେ ଓଡ଼ିଆ ଫ୍ଳେଭର ଉପରେ ଗୁରୁତ୍ୱ ଦିଆଯାଇଛି । ଖେଳାଳିମାନେ ରେଡ୍ ମିଟ୍ ପସନ୍ଦ କରୁ ନଥିବାରୁ ଏହାକୁ ମେନ୍‌ କୋର୍ସରୁ ବାଦ୍ ଦିଆଯାଇଛି । ଅଲିଭ୍ ତେଲରେ ଖାଦ୍ୟ ପ୍ରସ୍ତୁତିର ବ୍ୟବସ୍ଥା ହୋଇଛି । ଖାଦ୍ୟ ମେନୁରେ ଦୋସା, ଇଡଲି, ଉଥପମ୍, ପୁରୀ, ଚଟଣୀ ସାଙ୍ଗକୁ ରଜକୁ ଦେଖି ଚକୁଳି, କାକରା, ମଣ୍ଡା, ପୋଡ଼ପିଠା ଭଳି ନାନାକରମର ପିଠା ଏବଂ ଛେନାପୋଡ଼ ପରି ଭଳିକି ଭଳି ମିଠା ବି ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ରୁଚି ଅନୁସାରେ ସମସ୍ତ ଖାଦ୍ୟ ପରସା ଯିବାର ବ୍ୟବସ୍ଥା ହୋଇଛି ।

କୋଭିଡ୍ ପ୍ରୋଟୋକଲ୍‌ ଭିତରେ ଖେଳାଳିଙ୍କ ରହଣୀର ସମସ୍ତ ବ୍ୟବସ୍ଥା କରାଯାଇଛି । ରବିବାର ମ୍ୟାଚ୍ ପୂର୍ବରୁ ଆସନ୍ତାକାଲି ପ୍ରାକ୍ଟିସ୍‌ ପାଇଁ ଦୁଇ ଦଳ କଡ଼ା ସୁରକ୍ଷା ଭିତରେ ବାରବାଟୀ ଯିବେ ।