• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଶ୍ୱକପ୍‌ କ୍ରିକେଟରେ ରନ୍‌ର ପାହାଡ଼ ଠିଆ କରିଛି ଦକ୍ଷିଣ ଆଫ୍ରିକା । ଶ୍ରୀଲଙ୍କା ବିପକ୍ଷରେ ୪୨୮ ରନ୍‌ର ବିଶାଳ ସ୍କୋର କରିଛି ଦକ୍ଷିଣ ଆଫ୍ରିକା । ବିଶ୍ୱକପ୍‌ କ୍ରିକେଟ୍‌ର ଦ୍ୱିତୀୟ ଦିନରେ ଦିଲ୍ଲୀରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ବୋଲରଙ୍କୁ ନିର୍ଧୂମ ପିଟିଲେ କ୍ୱିଣ୍ଟନ ଡି’କକ୍‌, ଭାନ୍‌ ଡେର ଦୁସାନ ଓ ମାରକ୍ରାମ । ଏହି ତିନିଜଣ ଖେଳାଳି ଶତକ ହାସଲ କରିଛନ୍ତି ।

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୪୨୮ ରନ କରିଥିଲା । ଏଯାଏଁ ICC ବିଶ୍ୱକପ ମ୍ୟାଚରେ ଏହା ହେଉଛି ସର୍ବାଧିକ ସ୍କୋର । ଏହାପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ନାଁରେ ଥିଲା। ଅଷ୍ଟ୍ରେଲିଆ ୨୦୧୫ରେ ଆଫଗାନିସ୍ତାନ ବିପକ୍ଷ ପର୍ଥ ଦିନିକିଆରେ ୭ ୱିକେଟ ହରାଇ ୪୧୭ ରନ କରିଥିଲା । ଆଜି ଏହି ରେକର୍ଡକୁ ଦକ୍ଷିଣ ଆଫ୍ରିକା ଭାଙ୍ଗି ଦେଇଛି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ ତେମ୍ବା ବଭୂମା ୮ ରନ୍‌ କରିଥିବା ବେଳେ ଓପନର କ୍ୱିଣ୍ଟନ ଡି’କକ ୮୪ ବଲରେ ୧୦୦ ରନ, ୩ନଂରେ ବ୍ୟାଟିଂ କରିଥିବା ରସି ଭାନ ଡେର ଡୁସେନ ୧୧୦ ବଲରେ ୧୦୮ ରନ୍‌ ଓ ଏଡେନ ମାର୍କମ ୫୪ ବଲରେ ବିସ୍ଫୋରକ ୧୦୬ ରନର ଇନିଂସ ଖେଳିଛନ୍ତି ।

କୌଣସି ବିଶ୍ୱକପ ମ୍ୟାଚ୍‌ରେ ଗୋଟିଏ ଟିମର ୩ ଜଣ ବ୍ୟାଟର ଶତକ କରିବା ପ୍ରଥମ ଘଟଣା । ସେହିପରି ମାର୍କମ ମାତ୍ର ୪୯ ବଲରେ ଶତକ ହାସଲ କରିଛନ୍ତି । ଏହା ମଧ୍ୟ ବିଶ୍ୱକପ ଇତିହାସରେ ଦ୍ରୁତତମ ଶତକ । ମାର୍କମ ତାଙ୍କ ଇନିଂସରେ ୧୪ଟି ଚୌକା ଓ ୩ଟି ଛକା ମାରିଛନ୍ତି । ତାଙ୍କ ପୂର୍ବରୁ ବିଶ୍ୱକପରେ ଦ୍ରୁତତମ ଶତକ ରେକର୍ଡ ଆୟର୍ଲ୍ୟାଣ୍ତର କେଭିନ ଓ’ବ୍ରାଏନଙ୍କ ନାଁରେ ଥିଲା । ସେ ୨୦୧୧ ମସିହା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୫୦ ବଲରେ ଶତକ ହାସଲ କରିଥିଲେ ।