Advertisment

ଫାଇନାଲ୍ ପୂର୍ବରୁ ଭିନେଶ ଫୋଗଟଙ୍କୁ ଝଟକା ! ମାତ୍ର ୧୦୦ ଗ୍ରାମ୍ ପାଇଁ ଡିସକ୍ବାଲିଫାଏଡ୍

ପୁନର୍ବିଚାର ପାଇଁ UWWରେ IOAର ଅପିଲ୍ । ସଂସଦରେ ବି ଉଠିଲା ଭିନେଶ ଅଯୋଗ୍ୟ ପ୍ରସଙ୍ଗ ।

author-image
Satyendu Shekher Mishra
undefined

Vinesh Phogat

ରୌପ୍ୟ ନିଶ୍ଚିତ ହୋଇ ସାରିଥିଲା । ମାତ୍ର ଗୋଟିଏ ଲଢ଼େଇ ଦୂରରେ,ହାତ ପାଆନ୍ତାରେ ଥିଲା । ସ୍ୱର୍ଣ୍ଣ ଜିତି ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ ଥିଲା । ହେଲେ ଭାଙ୍ଗିଗଲା ଆଶା, ଚୁରି ହୋଇଗଲା ସ୍ୱପ୍ନ । ପ୍ରଚୁର ସମ୍ଭାବନାର ଐତିହାସିକ ଲଢ଼େଇ ପୂର୍ବରୁ ଅତି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ କୁସ୍ତି ମୈଦାନରୁ ଆଉଟ୍ ହେଇଗଲେ ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସ ଫାଇନାଲକୁ ଯାଇଥିବା ରେସଲର ଭିନେଶ ଫୋଗଟ୍ ।

Advertisment

ଓଭର୍ ୱେଟ୍ ବା ନିଜ ୫୦ କିଲୋ ଧାର୍ଯ୍ୟ ବର୍ଗଠାରୁ ସାମାନ୍ୟ ଅଧିକ ଓଜନ ପାଇଁ ସେ ଅଯୋଗ୍ୟ ହୋଇଯାଇଛନ୍ତି। ଆଉ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଏଭଳି ବିବାଦୀୟ ନିଷ୍ପତ୍ତିରେ ଭାଙ୍ଗି ଯାଇଛି କୋଟି କୋଟି ଭାରତୀୟଙ୍କ ହୃଦୟ। ଜୀବନର ଶ୍ରେଷ୍ଠ ସଫଳତାକୁ ପାଉ ପାଉ ଅନ୍ତିମ କ୍ଷଣରେ ହରାଇ ଦେବାର ଦୁଃଖରେ ପୂରା ଭାଙ୍ଗିଯାଇଛନ୍ତି ଭିନେଶ୍ । ଖାଲି ମାନସିକ ଭାବେ ଭାଙ୍ଗି ପଡ଼ି ନାହାନ୍ତି, ଡିହାଇଡ୍ରେସନ୍ କାରଣରୁ ଅଚେତ୍ ହୋଇ ପଡ଼ିଥିବା ଭିନେଶଙ୍କୁ ପ୍ୟାରିସର ଏକ ହସ୍ପିଟାଲରେ ବି ଭର୍ତ୍ତି ହେବାକୁ ପଡ଼ିଛି।

ଦୁଇ ଦୁଇ ଥର ଅଲିମ୍ପିକ୍ସ ବିଫଳତା ପରେ ଏଥର ତୃତୀୟ ଥର ପାଇଁ ପ୍ୟାରିସ୍ ଅଲିମ୍ପିକ୍ସରେ ୫୦ କେଜି ବର୍ଗ କୁସ୍ତିରେ ଖେଳୁଥିବା ଭିନେଶଙ୍କ ପାଖରୁ ବଡ଼ ଆଶା ରଖିଥିଲା ଭାରତ। ସେ ବି ନିରାଶ ନକରି ପ୍ରଥମ ଲଢ଼େଇରୁ ହିଁ ବିପର୍ଯ୍ୟୟ ସୃଷ୍ଟି କରି ଜୀବନରେ କେବେ ହାରି ନଥିବା ତଥା ଟୋକିଓ ଅଲିମ୍ପିକ୍ ବିଜୟିନୀ ଜାପାନର ୟୁଇ ସୁସାକିଙ୍କୁ ୩-୨ ପଏଣ୍ଟରେ ଧରାଶାୟୀ କରି ଆଗକୁ ବଢ଼ିଥିଲେ।

Advertisment

କ୍ୱାର୍ଟର ଫାଇନାଲ୍ ଓ ସେମିଫାଇନାଲରେ ବି ଚମତ୍କାର ବିଜୟ ସହ ଦେଶପାଇଁ ରୌପ୍ୟ ପଦକ ସୁନିଶ୍ଚିତ କରିଥିଲେ। ହେଲେ ତିନି ତିନିଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଖେଳିବା ପରେ ବି ଫାଇନାଲ୍ ପୂର୍ବରୁ କିଭଳି ତାଙ୍କ ଓଜନ ବଢ଼ିଗଲା, ତାକୁ ନେଇ ପ୍ରଶ୍ନ ଉଠିଛି। ଏଥିସହ ଯଦି ଫାଇନାଲ୍ ପୂର୍ବରୁ ଓଜନ ଅଧିକ ଥିବା ଜଣାପଡ଼ିଲା ତାହେଲେ ସେମିଫାଇନାଲ୍ ପର୍ଯ୍ୟନ୍ତ ଖେଳି ସେ ରୌପ୍ୟପଦକ ସୁନିଶ୍ଚିତ କରିଥିଲେ ବି ତାଙ୍କୁ ସେଥିରୁ ବି କାହିଁକି ବଞ୍ଚିତ କରାଗଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି।

କ୍ରୀଡ଼ା ବିଶେଷଜ୍ଞ ଏହା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲା ବେଳେ ନିଷ୍ପତ୍ତି ନେଇ ଆପତ୍ତି ଉଠାଇଛି ଭାରତୀୟ ଅଲିମ୍ପିକ୍ ସଂଘ। ସଭାପତି ପିଟି ଉଷା ଅଲିମ୍ପିକ ପଲି କ୍ଲିନିକରେ ଭିନେଶଙ୍କୁ ଭେଟିବା ସହ ତାଙ୍କ ଅଯୋଗ୍ୟତା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ଦର୍ଶାଇଛନ୍ତି। ସେହିପରି ଭାରତୀୟ କୁସ୍ତି ମହାସଂଘ ମଧ୍ୟ ନିଷ୍ପତ୍ତିର ପୁନର୍ବିଚାର ଦାବି କରି ୟୁନାଇଟେଡ୍ ୱାର୍ଲଡ ରେସଲିଂ ବା UWWର ଦ୍ୱାରସ୍ଥ ହୋଇଛି।

ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଅଯୋଗ୍ୟ ଘୋଷିତ ହେବା ପ୍ରସଙ୍ଗ ପାର୍ଲେମେଣ୍ଟରେ ବି ଉଠିଛି। ଉଭୟ ସରକାର ଓ ବିରୋଧୀ ପକ୍ଷଙ୍କ ଉଦବେଗ ଭିତରେ ଲୋକସଭାରେ କ୍ରୀଡ଼ା ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ କହିଛନ୍ତି ଭିନେଶଙ୍କୁ ନ୍ୟାୟ ଦେବାକୁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ମାତ୍ର ଶହେ ଗ୍ରାମ୍ ଅଧିକ ଓଜନ ପାଇଁ ଭିନେଶଙ୍କୁ ଅଯୋଗ୍ୟ ହେବାକୁ ପଡ଼ିଛି। ଏନେଇ ଆବଶ୍ୟକ ଦୃଢ଼ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ IOAକୁ ନିର୍ଦ୍ଦେଶ ଦେଇଥିବା ଗୃହରେ ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ।

ଏହାପୂର୍ବରୁ ନିଜେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକ୍ସ ଜରିଆରେ ଭିନେଶଙ୍କୁ ପ୍ରବୋଧନା ଦେଇ ତୁମେ ଭାରତ ପାଇଁ ଗର୍ବ, ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା ବୋଲି କହି ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କର ଆମେ ସମସ୍ତେ ତୁମ ସହ ଅଛୁ ବୋଲି ଲେଖିଛନ୍ତି।

Vinesh Phogat
Advertisment
Advertisment