• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କ୍ରିକେଟ୍, ଫୁଟବଲ୍, ହକି ସାଇକ୍ଲିଂ, ବକ୍ସିରୁ କୁସ୍ତି ଯାଏଁ ମି ଠୁ ଟ୍ରେଣ୍ଡ୍ । ହୁଏତ କ୍ରୀଡ଼ା କ୍ଷେତ୍ର (Indian Sport) ପାଇଁ ନୂଆ ହୋଇଥାଇ ପାରେ, ହେଲେ ଯୌନ ନିର୍ଯ୍ୟାତନା (Sexual Harassment) ଅଭିଯୋଗ । ଅନେକ ଥର ବିବାଦ ଘେରକୁ ଟାଣିଛି ଖେଳାଳିଙ୍କୁ, କୋଚଙ୍କୁ, କ୍ରୀଡ଼ା ସଂଘ ଅଧିକାରୀଙ୍କୁ । ଅନେକ ଥର କ୍ରୀଡ଼ା କ୍ଷେତ୍ରକୁ କଳଙ୍କିତ କରିଛି ଯୌନ କେଳେଙ୍କାରୀ ଅଭିଯୋଗ ... ।

ସୂଚନା ଅଧିକାର ବଳରେ ସଂଗୃହିତ ତଥ୍ୟ ଅନୁସାରେ, ୨୦୧୦ରୁ ୨୦୨୦ ଭିତରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ବା ସାଇରେ ୪୫ଟି ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଛି । ସେଥିରୁ ୨୯ଟି ଅଭିଯୋଗ କୋଚ୍ ମାନଙ୍କ ବିରୋଧରେ ଆଣିଛନ୍ତି ମହିଳା ଖେଳାଳି । ବର୍ତ୍ତମାନର କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ମିଶାଇ ଗତ ୯ ମାସରେ ଆସିଲାଣି ପାଞ୍ଚ ପାଞ୍ଚଟି ଯୌନ ଉତ୍ପୀଡ଼ନ ଅଭିଯୋଗ । ଗତବର୍ଷ ଜୁଲାଇରେ ଏଭଳି ଝଡ଼ ଉଠିଥିଲା ଭାରତୀୟ ଫୁଟବଲ ଟିମରେ ।

ଅଣ୍ଡର୍ ସେଭେଣ୍ଟିନ୍ ମହିଳା ଫୁଟବଲ୍ ଟିମର ଆସିଷ୍ଟାଣ୍ଟ କୋଚ୍ ଆଲେକ୍ସ ଆମ୍ବୋର୍ସଙ୍କ ବିରୋଧରେ ଆସିଥିଲା ସଂଗୀନ ଅଭିଯୋଗ । ୟୁରୋପ ଟୁର୍ ବେଳେ ମହିଳା ଖେଳାଳିଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିବା ପରେ ଆଲେକ୍ସଙ୍କୁ ତୁରନ୍ତ ନିଲମ୍ବନ କରିଥିଲା ଅଲ୍ ଇଣ୍ଡିଆ ଫୁଟବଲ ଫେଡେରସନ୍ । ଜୁନ୍ ୨୦୨୨ରେ ଭାରତୀୟ ସାଇକ୍ଲିଂ ଟିମର ମୁଖ୍ୟ କୋଚ୍ ଆର୍.କେ. ଶର୍ମାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ ରୋମର ଜଣେ ମହିଳା ସାଇକ୍ଲିଷ୍ଟ୍ ଅସ୍ଲୋଭେନିଆରେ ଟ୍ରେନିଂ କ୍ୟାମ୍ପ ବେଳେ । ଏହାର କିଛି ଦିନ ପରେ ଆଉ ୩ ଜଣ ମହିଳା ସାଇକ୍ଲିଷ୍ଟ୍ ମଧ୍ୟ ବର୍ଷ ବର୍ଷ ଧରି ଚିଫ୍ କୋଚ୍ ଶର୍ମାଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିବା ଅଭିଯୋଗ କରିଥିଲେ । ଏହାପରେ ଆର୍.କେ. ଶର୍ମାଙ୍କ ଚୁକ୍ତି ବାତିଲ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲା ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ।

ତାମିଲନାଡ଼ୁ ଟ୍ରାକ୍ ଆଣ୍ଡ୍ ଫିଲ୍ଡ କୋଚ୍ ପି ନାଗରାଜନଙ୍କ ବିରୋଧରେ ୨୦୨୧ ଜୁଲାଇରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ ସାତ ସାତଜଣ ମହିଳା ଖେଳାଳି । ସେ ଆପତ୍ତିଜନକ ଭାବେ ଖେଳାଳିଙ୍କୁ ଛୁଉଁଥିବା ନେଇ ପ୍ରଥମେ ସ୍ୱର ଉଠାଇଥିଲେ ଜଣେ ୧୯ ବର୍ଷୀୟା ଆଥଲେଟ୍ । ଏହାପରେ ନାଗରାଜନଙ୍କୁ ଗିରଫ କରାଯାଇଥିଲା ।

୨୦୨୦ରେ ଭାରତୀୟ କ୍ରିକେଟର୍ ତଥା ପୂର୍ବ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀରଙ୍କ ହସ୍ତକ୍ଷେପ ପରେ ମଧ୍ୟ ସାମ୍ନାକୁ ଆସିଥିଲା ଏକ ସଂଗୀନ ଘଟଣା । ଦକ୍ଷିଣପୂର୍ବ ଦିଲ୍ଲୀ ସ୍ଥିତ ନିଜାମୁଦ୍ଦିନ ଅଞ୍ଚଳର ଜଣେ ମହିଳା କ୍ରିକେଟର୍ ତାଙ୍କ କୋଚଙ୍କୁ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ଗମ୍ଭୀରଙ୍କ ହସ୍ତକ୍ଷେପ ପରେ କୋଚଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ ।

ଜିମ୍ନାଷ୍ଟ୍ ଅରୁଣା ବୁଦ୍ଦା ରେଡ୍ଡି ଗତ ବର୍ଷ ମାର୍ଚ୍ଚରେ ଅଭିଯୋଗ କରିଥିଲେ ଯେ, ତାଙ୍କ ବିନା ଅନୁମତିରେ କୋଚ୍ ରୋହିତ ଜୟସ୍ୱାଲ ତାଙ୍କର ଭିଡିଓ ସୁଟ୍ କରିଛନ୍ତି । ଏହାକୁ ନେଇ ସାଇ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ୨୦୧୪ରେ ମଧ୍ୟ ଆଉ ଜଣେ ମହିଳା ଜିମ୍ନାଷ୍ଟ ନିଜ କୋଚ୍ ମନୋଜ ରାଣା ଓ ସାଥି ଖେଳାଳି ଚନ୍ଦନ ପାଠକଙ୍କ ବିରୋଧରେ ଅଶ୍ଳୀଳ ଟିପ୍ପଣୀ ଦେଇଥିବା ଅଭିଯୋଗ ଆଣିଥିଲେ । ୨୦୧୦ରେ ଭାରତୀୟ ମହିଳା ହକି ଟିମର ଜଣେ ସଦସ୍ୟା କୋଚ୍ ତଥା ଅଲିମ୍ପିଆନ୍ ମହାରାଜ କିଶନ କୌଶିକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ ... ।

କେବଳ ଅସଦାଚରଣ କି ଯୌନ ନିର୍ଯାତନା ନୁହେଁ , ବହୁ ପଦାଧିକାରୀଙ୍କ ବିରୋଧରେ ସିଲେକ୍ସନ ବଦଳରେ ଶାରିରୀକ ସଂପର୍କ ଚାହିଁଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ମହିଳା ଖେଳାଳି । ୨୦୧୧ରେ ତାମିଲନାଡ଼ୁ ଷ୍ଟେଟ୍ ଆମେଚର୍ ବକ୍ସି ଆସୋସିଏସନ୍ ସେକ୍ରେଟାରୀ, ୨୦୦୯ରେ ବକ୍ସିଂ ଆସୋସିଏସନ୍ ସେକ୍ରେଟାରୀ ଏବଂ ସେହିବର୍ଷ ଆନ୍ଧ୍ରପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ସେକ୍ରେଟାରୀଙ୍କ ବିରୋଧରେ ଆସିଥିଲା ସେକ୍ସୁଆଲ୍ ଫେଭର୍ ମାଗିବା ଭଳି ସଂଗୀନ ଅଭିଯୋଗ ।