• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ମିଳିଲା । ପୁରସ୍କାର ବାବଦକୁ ନଗଦ ୫ଲକ୍ଷ ଟଙ୍କା ଅର୍ଥ ରାଶି ସାଙ୍ଗକୁ ଟ୍ରଫି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଏହି ସମ୍ମାନଜନକ କ୍ରୀଡା ପୁରସ୍କାରର ୨୯ତମ ସଂସ୍କରଣର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ଅବସରରେ ଆନ୍ତର୍ଜାତିକ ସାଇକ୍ଳିଷ୍ଟ ସ୍ୱସ୍ତି ସିଂ ଏବଂ ଆନ୍ତର୍ଜାତିକ ମହିଳା ଫୁଟବଲ ଖେଳାଳୀ ପ୍ୟାରୀ ଖାକାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଏହି ଦୁଇ ଆଥଲେଟଙ୍କୁ ନଗଦ ୫୦ହଜାର ଟଙ୍କା ମାନ ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସମ୍ମାନୀତ ଅତିଥି ଭାବେ ହକି ଅଲିମ୍ପିଆନ ପଦ୍ମଶ୍ରୀ ଦିଲ୍ଲୀପ ର୍ତିକୀଙ୍କ ସମେତ ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ କୃତୀ ଖେଳାଳିଙ୍କୁ ସମ୍ମାନୀତ କରିଥିଲେ । ଇମ୍ଫା ଗ୍ରୁପ ଦ୍ୱାରା ପରିଚାଳିତ IMPACT ପକ୍ଷରୁ ଗତ ୨୮ବର୍ଷ ହେଲା ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରରେ ସୁନାମ ଆଣିଥିବା ଓଡିଶାର ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି ।

ପୁରସ୍କାର ପାଇବା ଋତପର୍ଣ୍ଣା କହିଛନ୍ତି, ଏକଲବ୍ୟ ପୁରସ୍କାର ପାଇ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି। ଏହି ପୁରସ୍କାର ଜିତିବା ଓଡ଼ିଶାର ସବୁ ଯୁବ କ୍ରୀଡ଼ାବିତଙ୍କର ଗୋଟିଏ ସ୍ୱପ୍ନ। ଏହି ପୁରସ୍କାର ଜିତିବା ମୋତେ ଆଗକୁ ବହୁତ ପ୍ରେରଣା ଯୋଗାଇବ। ୨୦୨୧ ଆରମ୍ଭରୁ ସବୁକିଛି ବନ୍ଦ ଥିଲା। ତେବେ ଧୀରେ ଧୀରେ ପୁଣି ସବୁକିଛ ଆରମ୍ଭ ହୋଇଥିଲା। ସୁଦୀରମାନ କପ୍, ଥୋମାସ ଓ ଉବେର କପରେ ମୁଁ ଟ୍ରାୟଲ୍ସ ମ୍ୟାଚ୍ ଖେଳିଥିଲି। ତେବେ ଭାରତର ଷ୍ଟାର୍ ଖେଳାଳି ଅଶ୍ୱିନୀ ପୋନ୍ନାପ୍ପା ଓ ଏନ୍ ସିକ୍କି ରେଡ୍ଡିଙ୍କୁ ହରାଇବା ମୋ ଜୀବନର ସବୁଠାରୁ ବଡ଼ ବିଜୟ ଥିଲା ବୋଲି ଋତପର୍ଣ୍ଣା କହିଛନ୍ତି।

ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମହିଳା ବ୍ୟାଡମିଣ୍ଟନ୍ ତାରକା ଋତପର୍ଣ୍ଣା ୨୦୨୦ ଓ ୨୦୨୧ ମସିହାରେ ଅନେକ ଭଲ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଜୁରୀ କମିଟି ଋତପର୍ଣ୍ଣାଙ୍କୁ ଏକଲବ୍ୟ ପୁରସ୍କାର ପାଇଁ ଚୟନ କରିଥିଲେ। ୨୨ ବର୍ଷୀୟା ଋତପର୍ଣ୍ଣା ତିନୋଟି ବିଏଫଡବ୍ଲ୍ୟୁ ଅନ୍ତର୍ଜାତୀୟ ଓ ସିରିଜ୍ ଟାଇଟଲ୍ ଜିତିଥିବା ବେଳେ ୪ଥର ରନର୍ସଅପ୍ ହୋଇଛନ୍ତି।

ସେ ୨୦୧୮ରେ ହେଲାସ୍ ଓପନ୍ ଓ ୨୦୧୯ରେ ଘାନା ଇଣ୍ଟରନ୍ୟାସନାଲରେ ଡବଲ୍ସ ଟାଇଟଲ୍ ଜିତିଥିବା ବେଳେ ନେପାଳ ଇଣ୍ଟରନ୍ୟାଶନାଲ (୨୦୧୯), ବାଂଲାଦେଶ ଇଣ୍ଟରନ୍ୟାସନାଲ୍ (୨୦୧୯) ଓ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଚ୍ୟାଲେଞ୍ଜ (୨୦୨୧)ରେ ରନର୍ସଅପ୍ ହୋଇଥିଲେ। ସେହିପରି ମିକ୍ସଡ୍ ଡବଲ୍ସରେ ଋତପର୍ଣ୍ଣା ଘାନା ଇଣ୍ଟରନ୍ୟାସନାଲରେ ଟାଇଟଲ୍ ଜିତିଥିବା ବେଳେ ଲାଗୋସ ଇଣ୍ଟରନ୍ୟାସନାଲରେ ରନର୍ସଅପ୍ ହୋଇଥିଲେ।