• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହୋମ୍‌ ଗ୍ରାଉଣ୍ଡରେ ହାରିଗଲା ଭାରତୀୟ କ୍ରିକେଟ ଟିମ୍ । ବ୍ୟର୍ଥ ଗଲା ଭାରତୀୟ ବ୍ୟାଟ୍ସ ମ୍ୟାନମାନଙ୍କ ବିସ୍ଫୋରକ ବ୍ୟାଟିଂ ଓ ବିଶାଳ ସ୍କୋର । ରୋହିତ ଶର୍ମାଙ୍କ କ୍ୟାପ୍ଟେନସିପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳୁଥିବା ଇଣ୍ଡିଆନ୍‌ ଟିମ୍‌ର ପ୍ରଦର୍ଶନ ଦର୍ଶକଙ୍କୁ ନିରାଶ କରିଛି । ୨୦୦ରୁ ଅଧିକ ରନ୍ ସ୍କୋର କରିବା ସତ୍ତ୍ୱେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଆଉ ଏହି ପରାଜୟ ପାଇଁ ଭାରତୀୟ ବୋଲର ଏବଂ ଖରାପ ଫିଲ୍ଡିଂ ଦାୟୀ ବୋଲି କୁହାଯାଉଛି ।

ତେବେ ଏହି ମ୍ୟାଚରେ ଏପରି ସମୟ ଆସିଥିଲା, ଯେତେବେଳେ ଭାରତୀୟ ଦଳ ବିଜୟ ପକ୍କା ଥିଲା । କିନ୍ତୁ କିଛି ସମୟ ଭିତରେ ଖେଳ ଓଲଟପାଲଟ ହୋଇଗଲା । ଆଉ ଏହି ଟେନସନ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ମ୍ୟାଚ ଭିତରେ ରାଗି ଯାଇଥିବା ଦେଖିବାକୁ ମିଳିଛି । ଆଉ ସେ ୱିକେଟ୍ କିପର ଦୀନେଶ କାର୍ତ୍ତିକଙ୍କ ନିକଟକୁ ମାଡ଼ି ଯାଉଛନ୍ତି ।

ରୋହିତ ଶର୍ମା, ଦୀନେଶ କାର୍ତ୍ତିକଙ୍କ ବେକକୁ ଧରିଥିବା ଦେଖିବାକୁ ମିଳିଛି । ତେବେ ପୂରା ଘଟଣା କ୍ୟାମେରାରେ କଏଦ୍‌ ହୋଇଯାଇଛି । ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ପ୍ରକୃତ କଥା ହେଲା ରାଗରେ ନୁହେଁ ମଜାରେ ଏପରି କରିଛନ୍ତି ରୋହିତ୍‌ ଶର୍ମା । ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ଦୀନେଶ କାର୍ତ୍ତିକ DRS ନେଇଥିଲେ । ଆଉ ତାଙ୍କର ଏହି ନିଷ୍ପତ୍ତି ସଠିକ୍ ପ୍ରମାଣିତ ହୋଇଥିଲା । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ରୂପରେ ଟିମ୍ ଇଣ୍ଡିଆକୁ ସଫଳତା ମିଳିଥିଲା । ସେଥିପାଇଁ ରୋହିତ ଖୁସି ହୋଇ ଯାଇ ଏପରି କରିଥିଲେ ।

ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଆଉଟ୍‌ କରିବା ପରେ ରୋହିତ ଖୁବ୍‌ ଖୁସି ଥିବା ପରି ମନେ ହେଉଥିଲା । ଆଉ ମଜାରେ ସମସ୍ତଙ୍କ ସାମ୍ନାରେ ସେ କାର୍ତ୍ତିକଙ୍କ ତଣ୍ଟିକୁ ଧରିବା ପାଇଁ ଉଦ୍ୟତ ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ସମୟରେ କାର୍ତ୍ତିକ ହସୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।

ଅଷ୍ଟ୍ରେଲିଆ ଇନିଂସର ଦ୍ୱାଦଶ ଓଭରରେ ଏହି ଘଟଣା ଘଟିଥିଲା । ଦ୍ରୁତ ବୋଲର ଉମେଶ ଯାଦବ ଶେଷ ବଲରେ ମ୍ୟାକ୍ସୱେଲଙ୍କ ବ୍ୟାଟ୍ ଧାରକୁ ଲାଗିବା ପରେ ବଲକୁ କ୍ୟାଚ୍‌ କରିଥିଲେ । ହେଲେ ଫିଲ୍ଡ ଅମ୍ପାୟାର ନଟ୍‌ ଆଉଟ୍‌ ଦେଇଥିଲେ । ତେବେ DRS ନେଇଥିଲେ । ତା’ପରେ ରିପ୍ଲେରେ ଦେଖାଗଲା ଯେ ବ୍ୟାଟରେ ବଲ୍‌ ବାଜିଛି । ଏଭଳି ପରିସ୍ଥିତିରେ ମ୍ୟାକ୍ସୱେଲଙ୍କୁ ଆଉଟ୍‌ କରାଯାଇଥିଲା ।

ସୂଚନାଯୋଗ୍ୟ ଗତକାଲି ଠାରୁ ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍‌ । ମୋହାଲିରେ ଗତକାଲି ପ୍ରଥମ ଟି-୨୦ ଖେଳାଯାଇଛି । ଏଥିରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ମ୍ୟାଚ୍‌ରେ ଭାରତ ପକ୍ଷରୁ ସୂର୍ଯ୍ୟ କୁମାରଙ୍କ ୪୬ ଓ ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୭୧ ରନ କରିଥିଲେ । ହେଲେ ଏହା ଅଷ୍ଟ୍ରେଲିଆ ବ୍ୟାଟିଂ ଆଗରେ ନିଷ୍ଫଳ ହୋଇଛି ।