• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କାହିଁକି ଡୋପ୍ ଟେଷ୍ଟରେ ବିଫଳ ହେଲେ ଆନ୍ତର୍ଜାତିକ ଆଥଲେଟ୍ ଦୂତି ଚାନ୍ଦ । ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ୪ ବର୍ଷ ପାଇଁ ବ୍ୟାନ ହେବା ନିଜ ପକ୍ଷ ରଖିଛନ୍ତି ଦୂତି । ହେଲେ ସେ ଯେଉଁ କାରଣ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା । କ୍ୟାନସର ଆକ୍ରାନ୍ତ ଥିବା ସମୟରେ ଖାଇଥିବା ମେଡିସିନ୍ ପାଇଁ ହୁଏତ ଏଭଳି ହୋଇଥାଇ ପାରେ ବୋଲି କହିବା ସହ ଦଣ୍ଡାଦେଶର ପୁନଃ ବିଚାର ପାଇଁ ନାଡାକୁ ଅନୁରୋଧ କରିବେ ବୋଲି କହିଛନ୍ତି ଦୂତି ।

ଡୋପ୍ ଟେଷ୍ଟରେ ବିଫଳତାରୁ ଆଥଲେଟିକ୍ ଜଗତରୁ ୪ ବର୍ଷ ବାସନ୍ଦ ହେବା ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ କହିଛନ୍ତି- ଜାଣିଶୁଣି କୌଣସି ନିଷିଦ୍ଧ ଔଷଧ ସେବନ କରିନି । ୨୦୨୧ରେ ଜଙ୍ଘ ମାଂସପେଶୀରେ ଯନ୍ତ୍ରଣା ହେବାରୁ ପରବର୍ତ୍ତୀ ଅବସ୍ଥାରେ ଅଲଟ୍ରାସାଉଣ୍ଡ ଓ ଏମଆରଆଇରୁ ସେ ଲେଭଲ-୧ କ୍ୟାନସରରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଥିଲା । ଫଳରେ ଯନ୍ତ୍ରଣା ଉପଶମ ପାଇଁ ଡାକ୍ତରଙ୍କ ପରାମର୍ଶରେ ପ୍ରଥମେ ଦେଶୀ ଜଡ଼ିବୁଟି ସେବନ କରିଥିଲେ । ଉପଷମ ନହେବାରୁ ପରେ ଫିଜିଓଙ୍କ ପରାମର୍ଶରେ ଏକ ନିର୍ଦ୍ଦିଷ୍ଟ ଔଷଧ ସେବନ କରିଥିଲେ । ହୁଏତ ସେହି ଔଷଧରେ ନିଷିଦ୍ଧ ସାମଗ୍ରୀ ଥାଇପାରେ ବୋଲି କହିଛନ୍ତି ଦୂତି ।

ଗତବର୍ଷ ଡିସେମ୍ବର ୫ ତାରିଖରେ ଡୋପ ଟେଷ୍ଟ ପାଇଁ ଦୂତିଙ୍କ ଠାରୁ ନିଆଯାଇଥିବା ସାମ୍ପୁଲ ପଜିଟିଭ୍ ଥିବା ଜଣାପ଼ଡ଼ିଥିଲା । ଫଳରେ ସେତେବେଳେ ତାଙ୍କୁ ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ସସ୍ପେଣ୍ଡ କରାଯାଇଥିଲା । ଦୂତିଙ୍କ କହିବା କଥା, ସେହି ସମୟରେ ଦୂତି ଡାକ୍ତରୀ ରିପୋର୍ଟ ଦାଖଲ ସହ ଦ୍ୱିତୀୟ ବାର ପରୀକ୍ଷା ପାଇଁ  ଆବେଦନ କରିଥିଲେ । ଆଉ ଦ୍ୱିତୀୟ ପରୀକ୍ଷାରେ ମଧ୍ୟ ଫେଲ ମାରିବାରୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ବା ନାଡା ଦୂତିଙ୍କୁ ଦୁଇ ଦିନ ତଳେ ୪ ବର୍ଷ ପାଇଁ ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବା ଉପରେ ବ୍ୟାନ୍ ଲଗାଇଛି । ଯାହା ଗତ ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇ ୨୦୨୭ ଜାନୁଆରୀ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ହେଲେ ଦଣ୍ଡାଦେଶର ୨୧ ଦିନ ଭିତରେ ଦୂତିଙ୍କ ପାଖରେ ଆଣ୍ଟି ଡୋପିଂ ଅପିଲ ପ୍ୟାନେଲ୍ ବା ADAP ନିକଟରେ ପୁନଃ ବିଚାର ପାଇଁ ଆବେଦନର ସୁଯୋଗ ରହିଛି । ତେଣୁ ଦଣ୍ଡାଦେଶର ପୁନଃ ବିଚାର ପାଇଁ ଅପିଲ୍ କରାଯିବ ବୋଲି କହିଛନ୍ତି ଦୂତିଙ୍କ ଓକିଲ ।

ଡୋପିଂ ଟେଷ୍ଟ ପାଇଁ ଗତବର୍ଷ ଡିସେମ୍ବର ୫ରୁ ଦୂତୀଙ୍କ ନମୂନା ଯାଇଥିବାରୁ ଏହା ପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ, ପୁରସ୍କାର ଏବଂ ପଏଣ୍ଟସକୁ ଖାରଜ କରିଛନ୍ତି ନାଡା । ତେବେ ପୂର୍ବରୁ ମଧ୍ୟ ଅନୁରୂପ ଏକ ସ୍ଥିତିର ସମ୍ମୁଖୀନ ହୋଇ ସେଥିରୁ ମୁକୁଳିଥିଲେ ଦୂତି । ଶରୀରରେ ମାତ୍ରାଧିକ ପୁରୁଷ ହରମୋନ୍ ବା ହାଇପର ଆଣ୍ଡ୍ରୋଜେନ୍ ଥିବା ଅଭିଯୋଗରେ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀ଼ଡ଼ା ପୂର୍ବରୁ ଦୂତିଙ୍କ ଉପରେ ଆଇଏଏଏଫ୍ ପକ୍ଷରୁ ବ୍ୟାନ୍ ଲଗାଇଯାଇଥିଲା ।

ତେବେ ପରେ ଦୂତି ଏହାକୁ ସୁଇଜରଲାଣ୍ଡସ୍ଥିତ ଇଣ୍ଟର ନ୍ୟାସନାଲ୍ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଆଣ୍ଡ ସ୍ପୋର୍ଟସରେ ଚାଲେଞ୍ଜ୍ କରି ଜିତିଥିଲେ । ଆଉ ବ୍ୟାନ୍ ହଟିବା ପରେ ୨୦୧୬ ରିଓ ଅଲିମ୍ପିକ୍ ଖେଳିବା ସହ ୨୦୧୮ରେ ଏସିଆନ୍ ଗେମ୍ସରେ ଶହେ ଓ ୨ ଶହ ମିଟର ଦୌଡ଼ରେ ଦୁଇଟି ରୌପ୍ୟ ପଦକ ଜିତଥିଲେ । ହେଲେ ଏବେ ଡୋପିଂ ଟେଷ୍ଟରେ ବିଫଳତାରୁ ନାଡାର ନିଷେଧାଦେଶ ଦୂତିଙ୍କ କ୍ରୀଡ଼ା କ୍ୟାରିୟରକୁ ଏକରକମ ଧୂଳିସାତ୍ କରି ଦେଇଛି । ତେବେ ପୁନଃ ବିଚାର ପାଇଁ ଦୂତୀ କରିବାକୁ ଥିବା ଅପିଲରେ କେତେ ସଫଳ ହେଉଛନ୍ତି, ଏବଂ ଏକଦା ଭାରତର ଦ୍ରୁତତମ ଧାବିକାଙ୍କ ଭବିଷ୍ୟତ କେଉଁ ମୋଡ଼ ନେଉଛି ତା ଉପରେ ଆଥଲେଟିକ୍ ଜଗତର ନଜର ରହିଛି ।

  • Reported by:
  • NIRANJAN REDDY