• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଅଲିମ୍ପିକ୍ସ ପଦକର ସ୍ୱପ୍ନ ସବୁ ଆଥଲେଟଙ୍କର ରହିଥାଏ । କାରଣ ବିଶ୍ୱ କ୍ରୀଡାର ସବୁଠୁ ବଡ଼ ମଞ୍ଚରେ ନିଜର ଦେଶର ପ୍ରତିନିଧିତ୍ୱ କରିବା ଓ ପଦକ ଜିତିବା ସବୁବେଳେ ସ୍ୱତନ୍ତ୍ର । ତେବେ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବା ସବୁ ଆଥଲେଟଙ୍କ ପକ୍ଷେ ସହଜ ହୁଏନାହିଁ । ପ୍ରଥମେ ସମସ୍ତ ସର୍ତ୍ତାବଳୀକୁ ପାଳନ କରି ଯୋଗ୍ୟତା ଅର୍ଜନ କରିବା ଆଥଲେଟଙ୍କ ପାଇଁ ବଡ଼ ଆହ୍ୱାନ ହୋଇଥାଏ । ପରେ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ବା ମେଡାଲ ରାଉଣ୍ଡରେ ପ୍ରବେଶ ପାଇଁ ପୁଣି ଯୋଗ୍ୟତା ଅର୍ଜନ କରିବାକୁ ପଡ଼େ ।

ଏଥିପାଇଁ ଦୀର୍ଘ ବର୍ଷର ପ୍ରସ୍ତୁତି ଓ ପରିଶ୍ରମ ବାଜିରେ ଲାଗିଥାଏ । ମାତ୍ର ଯେବେ ଆଖି ସାମ୍ନାରେ ସାମାନ୍ୟତମ ଭୁଲ୍ ପାଇଁ ପଦକ ହାତରୁ ଖସିଯାଏ, ଏହାକୁ ସହଜରେ ଗ୍ରହଣ କରିବା ଜଣେ ଖେଳାଳିଙ୍କ ପକ୍ଷରେ କଷ୍ଟକର ହୁଏ । ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ଏମିତି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ବ୍ୟଥିତ କରିଛି । ସାମାନ୍ୟ ଅସାବଧାନତା କାରଣରୁ ଜଣେ ଯୁବ ଆଥଲେଟଙ୍କ ହାତରୁ ଚାଲିଯାଇଛି ପଦକ ଓ ଚୁରମାର ହୋଇଯାଇଛି ଅଲିମ୍ପିକ୍ ପଦକ ସ୍ୱପ୍ନ ।

ଫ୍ରାନ୍ସର ପୋଲ୍ ଭଲ୍ଟର ଆନ୍ଥୋନି ଏମିରତି(Pole vaulter Anthony Ammirati ), ନିଜର ଘରୋଇ ଦର୍ଶକଙ୍କ ସାମ୍ନାରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଥିଲେ । ଫ୍ରେଞ୍ଚ୍ ଦର୍ଶକ ୨୧ ବର୍ଷୀୟ ପୋଲ୍ ଭଲ୍ଟର ଆନ୍ଥୋନିଙ୍କ ଠାରୁ ପଦକ ଆଶା ରଖିଥିଲେ ।ଆଥଲେଟିକ୍ସ ଇଭେଣ୍ଟର ପୁରୁଷ ପୋଲ୍ ଭଲ୍ଟରେ ଆନ୍ଥୋନି ମଧ୍ୟ ୫.୭୦ ମିଟରର ଉଚ୍ଚତାକୁ ସହଜରେ କ୍ଳିଅର କରିବା ସହ ଫାଇନାଲର ନିକଟତର ହୋଇଥିଲେ । ମାତ୍ର ଶେଷ ମୁହୂର୍ତ୍ତରେ ତାଙ୍କ ସହ ଘଟିଥିଲା ଏମିତି ଅଘଟଣ, ଯାହା ସେ କେବେ କଳ୍ପନା ବି କରିନଥିଲେ । 

ଯୁବ ଫ୍ରେଞ୍ଚ ଆଥଲେଟ୍ ଆନ୍ଥୋନି ନିଜର ପୋଲ୍ ସହିତ ଉଚ୍ଚତାକୁ କ୍ଳିଅର କରୁଥିବା ସମୟରେ ତାଙ୍କର ପ୍ରାଇଭେଟ୍ ପାର୍ଟ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଉଚ୍ଚତାକୁ ସୂଚାଉଥିବା ବାର୍ ରେ ଲାଗିଯାଇଥିଲା । ଜୋରରେ ଲାଗିବା ଯୋଗୁଁ ସେ ତଳେ ପଡ଼ିଯାଇଥିଲେ । ଯାହା ଫଳରେ ବାର୍ ତଳକୁ ଖସିଯାଇଥିଲା । ଯାହା ତାଙ୍କୁ ଫାଇନାଲ ରାଉଣ୍ଡ ଓ ପଦକରୁ ବଞ୍ଚିତ କରିଥିଲା । 

ଏହାପୂର୍ବରୁ ଏମିରତି ବିନା କୌଣସି ସମସ୍ୟାରେ ୨ ଥର ସଫଳତାର ସହ ଧାର୍ଯ୍ୟ ଉଚ୍ଚତାକୁ ପାର୍ କରିଥିଲେ । ମାତ୍ର ଫାଇନାଲକୁ ଉନ୍ନୀତ ହେବାକୁ ଖେଳାଯାଇଥିବା ପ୍ରୟାସରେ ତାଙ୍କର ଭାଗ୍ୟ ସାଥ୍ ଦେଇନଥିଲା । ଫଳରେ ନିଜର ଗ୍ରୁପରେ ମାତ୍ର ୫.୬୦ ଉଚ୍ଚତା ପାର୍ କରିବା ସହ ତାଙ୍କୁ ଦ୍ୱାଦଶ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଯୋଗ୍ୟତା ପର୍ଯ୍ୟାୟରେ ଏପରି ପ୍ରଦର୍ଶନ ସହ ଫାଇନାଲରୁ ବାଦ୍ ପଡ଼ିବା ପରେ ଭାବବିହ୍ୱଳ ହୋଇଯାଇଥିଲେ ଆନ୍ଥୋନି । କହିଥିଲେ, "ପ୍ରତିଯୋଗିତା ହାରି ସାରିଛି, ଅଲମ୍ପିକ୍ ଗେମ୍ସ ଶେଷ । ଏବେ ମୋତେ ବ୍ୟାଗ୍ ପ୍ୟାକ୍ କରି ଘରକୁ ଯିବାକୁ ପଡ଼ିବ । ଏହାକୁ ଗ୍ରହଣ କରିବା କଷ୍ଟ କିନ୍ତୁ ଏହି ଖେଳଟି ଏମିତି...।" 

ସେହିପରି ଚଳିତ ଅଲମ୍ପିକ୍ସରେ ଆନ୍ଥୋନି ଏକମାତ୍ର ଆଥଲେଟ୍ ନୁହଁନ୍ତି, ଯିଏ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପ୍ରତିଯୋଗିତାରୁ ବାଦ୍ ପଡିଛନ୍ତି । ଶନିବାର ବ୍ରିଟିଶ ଧାବିକା ଜେରେମିଆ ଆଜୁ ମଧ୍ୟ ଦୌଡ଼ ପ୍ରତିଯୋଗିତାରେ ଫଲସ୍ ଷ୍ଟାର୍ଟ ନେବା ଯୋଗୁଁ ଅଯୋଗ୍ୟ ଘୋଷିତ ହେବା ସହ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି । 

 

OTV is now on Whatsapp

Join and get latest news update delivered to you via whatsapp

Join Now