• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ନିଶାଦ କୁମାରଙ୍କ କମାଲ । ଦମଦାର ପ୍ରଦର୍ଶନ ସହ ଲଗାତାର ନିଜର ଦ୍ୱିତୀୟ ପାରା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ନିଶାଦ । ପୁରୁଷ ଉଚ୍ଚ ଡିଆଁ (High Jump) ପ୍ରତିଯୋଗିତାରେ ୨୪ ବର୍ଷୀୟ ନିଶାଦ, ସିଜିନର ଶ୍ରେଷ୍ଠ ପ୍ରଦର୍ଶନ ୨.୦୪ ମିଟର ଜମ୍ପ୍ ସହ ରୌପ୍ୟ ପଦକ ବିଜେତା ହୋଇଛନ୍ତି । ଆମେରିକାର ରୋଡ୍ରିକ୍ ଟନସେଣ୍ଡ୍ ୨.୧୨ ମିଟର ଜମ୍ପ୍ ସହ ପ୍ରଥମ ସ୍ଥାନରେ ରହିବା ସହ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ରୋଡ୍ରିକ୍ ସ୍ୱର୍ଣ୍ଣ ବିଜେତା ରହିଥିଲେ ।

ନିଶାଦ ଚମତ୍କାର ପ୍ରଦର୍ଶନ ସହ ୨.୦୮ ମିଟରରୁ ଅଧିକ ଜମ୍ପ୍ କରିବାକୁ ସମସ୍ତ ପ୍ରୟାସ କରିଥିଲେ । ମାତ୍ର ସଫଳ ହୋଇପାରିନଥିଲେ । ଅନ୍ୟଜଣେ ଭାରତୀୟ ଆଥଲେଟ୍ ରାମ୍ ପାଲ୍ ମଧ୍ୟ ସମାନ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ । ୧.୯୫ ମିଟର ସହ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଶୀର୍ଷ ତିନି ପ୍ରତିଯୋଗୀଙ୍କ ମଧ୍ୟରେ ରହି ପାରିନଥିଲେ । ୧୨ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ।

ପାରା ଅଲିମ୍ପିକ୍ସ ପଦକ ପର୍ଯ୍ୟନ୍ତ ନିଶାଦଙ୍କ ଯାତ୍ରା

ଏକ ନିମ୍ନ ମଧ୍ୟବିତ୍ତ ପରିବାରର ପୁଅ ନିଶାଦ । ହିମାଚଳ ପ୍ରଦେଶର ଏକ ଛୋଟିଆ ଗାଁ ବଦୌନରେ ନିଶାଦ ପରିବାର ସହ ରୁହନ୍ତି । ଗାଁରେ ଥିବା ଅଧଏକର ଜମିରେ ଚାଷ କାମରେ ବାପାଙ୍କୁ ସାହାଯ୍ୟ କରନ୍ତି ନିଶାଦ । ତେବେ ବର୍ଷ ୨୦୦୭ରେ ମାତ୍ର ୮ ବର୍ଷର ହୋଇଥିବାବେଳେ ତାଙ୍କ ସହ ଘଟିଥିଲା ଏକ ବଡ଼ ଦୁର୍ଘଟଣା । ଘାସ କଟା ମେସିନରେ ନିଶାଦଙ୍କ ହାତ କଟିଯାଇଥିଲା । ଏହାପରେ ସେ ସବୁଦିନ ପାଇଁ ନିଜର ଡାହାଣ ହାତ ହରାଇଥିଲେ ।

ମାତ୍ର ତାଙ୍କ ପ୍ରତିଭାଙ୍କୁ ଏହି ଦୁର୍ଘଟଣା ପ୍ରଭାବିତ କରିପାରିନଥିଲା ବରଂ ମାନସିକସ୍ତରରେ ଆହୁରି ଶକ୍ତିଶାଳୀ କରିଥିଲା । ଛୋଟ ଥିବାବେଳେ ଶାରୀରିକ ଭାବେ ସୁସ୍ଥ ଥିବା ପିଲାଙ୍କ ସହ ପ୍ରତିଯୋଗିତାରେ ଭାଗନେଇ ସେ ୧୦୦ ମିଟର, ୨୦୦ ମିଟର ଓ ଉଚ୍ଚ ଡିଆଁ ପ୍ରତିଯୋଗିତାରେ ପଦକ ବିଜେତା ରହିଥିଲେ । ଏହାପରେ ସେ ୨୦୧୭ରେ ପଞ୍ଚକୁଲାରେ କୋଚ୍ ନସୀମ ଅହମ୍ମଦ ଠାରୁ ପ୍ରଶିକ୍ଷଣ ନେଇଥିଲେ ।

୨୦୧୯ରେ ଦୁବାଇରେ ଆୟୋଜିତ ୱାର୍ଲ୍ଡ ଚାମ୍ପିଅନ୍ସରେରେ ପ୍ରଥମ ବଡ଼ ସଫଳତା ସହ ପଦକ ଜିତିବାକୁ ସକ୍ଷମ ହୋଇଥିଲେ । ଏହାପରେ ଟୋକିଓ ପାରା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଚର୍ଚ୍ଚାରେ ରହିଥିଲେ । ପରେ ଏସିଆନ ପାରା ଗେମ୍ସରେ ସ୍ୱର୍ଣ୍ଣ, ୨୦୨୩ ଓ ୨୦୨୪ ୱାର୍ଲ୍ଡ ଚାମ୍ପିଅନସିପରେ ମଧ୍ୟ ରୌପ୍ୟ ପଦକ ବିଜେତା ରହିଛନ୍ତି । 

ପଦକ ତାଲିକାରେ ଭାରତର ସ୍ଥାନ

ପ୍ୟାରିସ ପାରା ଅଲିମ୍ପିକ୍ସରେ ଏହା ଥିଲା ଭାରତର ସପ୍ତମ ପଦକ ଓ ଦ୍ୱିତୀୟ ରୌପ୍ୟ । ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସହିତ ଭାରତ ଏବେ ପଦକ ତାଲିକାର ୨୭ତମ ସ୍ଥାନରେ ରହିଛି । ପୂର୍ବରୁ ପ୍ରୀତି ପାଲ୍ ୨୦୦ ମିଟର T35 ବର୍ଗରେ ୩୦.୦୧ ସେକେଣ୍ଡରେ ପହଞ୍ଚିବା ସହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଫଳରେ ଚଳିତ ପ୍ୟାରିସ ପାରା ଅଲିମ୍ପିକ୍ସରେ ଦ୍ୱିତୀୟ କାଂସ୍ୟ ପଦକ ବିଜେତା ହୋଇଥିଲେ । ଅଗଷ୍ଟ ୩୦ ତାରିଖରେ ପ୍ରୀତି ୧୦୦ ମିଟର T35 ବର୍ଗରେ ମଧ୍ୟ କାଂସ୍ୟ ପଦକ ଜିତିଥିଲେ । 

OTV is now on Whatsapp

Join and get latest news update delivered to you via whatsapp

Join Now