Paris Olympics 2024 : ଅଲିମ୍ପିକ୍ସରେ ଆଜି ଏକାଧିକ ପଦକ ଆଶାରେ ଭାରତ

ଅଲିମ୍ପିକ୍ସରେ ଆଜି ଏକାଧିକ ପଦକ ଆଶାରେ ଭାରତ । ଗୋଲ୍ଡେନ ବୟ ନୀରଜ ଚୋପ୍ରା ଓ ପୁରୁଷ ହକି ଟିମ ପାଖରେ ରହିଛି ପଦକ ଜିତିବାର ସୁଯୋଗ ।

Neeraj Chopra

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱ କ୍ରୀଡାର ଏହି ମେଗା ଇଭେଣ୍ଟର ତ୍ରୟୋଦଶ ଦିବସରେ ଭାରତ ନିଜର ପଦକ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି । ଲମ୍ବା ଅପେକ୍ଷା ପରେ ଭିନେଶ ଫୋଗଟ କୁସ୍ତି ଫାଇନାଲରେ ପହଞ୍ଚିବା ସହ ପଦକ ପକ୍କା କରିଥିଲେ । ମାତ୍ର ଫାଇନାଲ ମୁକାବିଲା ପୂର୍ବରୁ ଅଧିକ ଓଜନ କାରଣରୁ ଅଯୋଗ୍ୟ ଘୋଷିତ ହେବାପରେ ଭାରତର ପଦକ ଆଶାକୁ ଜୋରଦାର ଝଟକା ଲାଗିଛି ।

ନୀରଜ ଚୋପ୍ରା

ଡିଫେଣ୍ଡିଂ ଅଲିମ୍ପିକ୍ ଚାମ୍ପିଅନ ନୀରଜ ଚୋପ୍ରା ଓ ପୁରୁଷ ହକି ଟିମ ଆଜି ମୈଦାନକୁ ଓହ୍ଲାଇବାକୁ ଥିବାରୁ ଏକାଧିକ ପଦକ ଆଶାରେ ରହିଛି ଭାରତୀୟ ଟିମ । ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ନୀରଜ ୮୯.୩୪ ମିଟର ଥ୍ରୋ କରିବା ପରେ ସିଧାସଳଖ ଫାଇନାଲକୁ ଉନ୍ନୀତ ହୋଇଥିଲେ । ଅଲିମ୍ପିକ୍ସରେ ଶ୍ରେଷ୍ଠ କରିବା ଲକ୍ଷ୍ୟରେ ସେ ଅନେକ ଲିଗରେ ଅଂଶଗ୍ରହଣ କରିନଥିଲେ ।

୨୬ ବର୍ଷୀୟ ଜାଭେଲିନ୍ ସୁପରଷ୍ଟାର ନିଜର ଟାଇଟେଲ୍ ଡିଫେଣ୍ଡ କରିବା ଲକ୍ଷ୍ୟରେ ରହିଛନ୍ତି, ଯାହାକୁ ସେ ଟୋକିଓ ଅଲିମ୍ପିକ୍ସରେ ଜିତିଥିଲେ । ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ସେ ପ୍ରଥମ ଭାରତୀୟ ଭାବେ ପଦକ ଜିତିଥିଲେ । ଏହାପରେ ସେ ଗୋଲ୍ଡେନ ବୟ ଭାବେ ସାରା ଦେଶରେ ପରିଚିତ ହୋଇଥିଲେ । ତେବେ  ପ୍ୟାରିସରେ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିବା ଲକ୍ଷ୍ୟରେ ରହିଛନ୍ତି ନୀରଜ । ମାତ୍ର ପାକିସ୍ତାନର ଅର୍ସଦ ନଦୀମ, ଜର୍ମାନୀର ଜୁଲିଏନ ୱେବର ଓ ଗ୍ରେନଡାର ଆଣ୍ଡରସନ ପିଟର୍ସଙ୍କ ପରି ପ୍ରତିଯୋଗୀ ଥିବାରୁ ନୀରଜ ଫାଇନାଲରେ କଡ଼ା ପ୍ରତିନ୍ଦ୍ୱନ୍ଦ୍ୱୀତାର ସାମ୍ନା କରିପାରନ୍ତି ।

ଅଧିକ ପଢ଼ନ୍ତୁ: ୨ କେଜି ଓଜନ ବଢ଼ିଥିଲା, କମାଇବା ପାଇଁ କେତେ କ’ଣ କରିଥିଲେ...!

ଭାରତୀୟ ହକି ଟିମ

ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ପାଇଁ ମୈଦାନକୁ ଓହ୍ଲାଇବ । ସ୍ପେନ୍ ସହିତ ଭାରତର ମୁକାବିଲା ରହିଛି । ୨୦୨୦ ଟୋକିଓ ଅଲିମ୍ପିକ୍ସ ପରଠାରୁ ଭାରତ ଓ ସ୍ପେନ୍ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ୯ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ୫ଟିରେ ବିଜୟୀ ହୋଇଛି ମେନ୍ ଇନ୍ ବ୍ଲୁ । 

ମଙ୍ଗଳବାର ଖେଳାଯାଇଥିବା ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ହକି ସେମିଫାଇନାଲରେ ହକି ବିଶ୍ୱ ମାନ୍ୟତାର ନମ୍ବର ୨ ଟିମ ଜର୍ମାନୀ ଠାରୁ ୩-୨ ରେ ପରାସ୍ତ ହୋଇଥିଲା ମାନ୍ୟତାର ୫ ନମ୍ବର ସ୍ଥାନରେ ଥିବା ଭାରତ । କ୍ୟାପଟେନ୍ ହରମନପ୍ରିତ ସିଂ ଓ ସୁଖଜିତ୍ ସିଂ ଦୁଇଟି ଗୋଲ୍ କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ଲଢ଼ୁଆ ପ୍ରଦର୍ଶନ କରିବା ପରେ ଭାରତର ସବୁ ପ୍ରୟାସ ବିଫଳ ହୋଇଥିଲା । ଫଳରେ ସେମିଫାଇନାଲରେ ପରାଜୟ ସହ ଲଗାତାର ଦ୍ୱିତୀୟ ଥର ଅଲିମ୍ପିକ୍ସ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି ଭାରତ । ଜର୍ମାନୀ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକି ପ୍ରତିଯୋଗିତାର ଫାଇନାଲ ମୁକାବିଲା ଖେଳାଯିବ ।

ଅଧିକ ପଢ଼ନ୍ତୁ: Paris Olympics 2024: ନୀରଜ ଚୋପ୍ରାଙ୍କ ପାଇଁ କ୍ରିକେଟର ପନ୍ତଙ୍କ ବଡ଼ ଘୋଷଣା