ପ୍ୟାରିସ୍ ଅଲିମ୍ପିକ୍ସ: ସେମିରେ ହାରିଲା ଭାରତ, କାଲି ବ୍ରୋଞ୍ଜ ପାଇଁ ଖେଳିବ ଟିମ୍‌ ଇଣ୍ଡିଆ

ସ୍ବର୍ଣ୍ଣ, ରୌପ୍ୟ ପଦରୁ ବଞ୍ଚିତ ଥିବା ଭାରତ ଆସନ୍ତାକାଲିର ମ୍ୟାଚ ଜିଣି ବ୍ରୋଞ୍ଜ୍‌ ପଦକ ଭାରତ ନାଁରେ କରିବ ବୋଲି ହକି ପ୍ରେମୀ ଆଶା ରଖିଛନ୍ତି ।

Hockey India

ପ୍ୟାରିସ୍ ଅଲିମ୍ପିକ୍ସ ସେମିଫାଇନାଲରେ ହାରିଲା ଭାରତ । ଜର୍ମାନୀ ସହ ସେମିଫାଇନାଲ ଖେଳିଥିବା ଭାରତ ପରାଜୟର ସାମ୍ନା କରିଛି । ଜର୍ମାନୀ ୩-୨ରେ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ପାଇଁ ଜର୍ମାନୀ ନେଦରଲାଣ୍ଡସ ସହ ଖେଳିବ । ଗତକାଲି ଅଲିମ୍ପିକ୍ସରେ ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ୍ ହାରିଥିବା ଭାରତ ମଧ୍ୟ ଗୁରୁବାର ବ୍ରୋଞ୍ଚ ପଦକ ପାଇଁ ସ୍ପେନ ସହ ମଇଦାନକୁ ଓହ୍ଲାଇବ । ସ୍ବର୍ଣ୍ଣ, ରୌପ୍ୟ ପଦରୁ ବଞ୍ଚିତ ଥିବା ଭାରତ ଆସନ୍ତାକାଲିର ମ୍ୟାଚ ଜିଣି ବ୍ରୋଞ୍ଜ୍‌ ପଦକ ଭାରତ ନାଁରେ କରିବ ବୋଲି ହକି ପ୍ରେମୀ ଆଶା ରଖିଛନ୍ତି।

ଅଧିକ ପଢ଼ନ୍ତୁ: Paris Olympics: କୁସ୍ତି ଫାଇନାଲ୍‌ରେ ପହଞ୍ଚି ପଦକ ନିଶ୍ଚିତ କଲେ ଭିନେଶ ଫୋଗାଟ

ଗତକାଲିର ମ୍ୟାଚ କଥା ଯଦି ଦେଖିବା ତେବେ ପ୍ରଥମ କ୍ବାର୍ଟରରୁ ହିଁ ଭାରତ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲା । ଫଳରେ ହରମନପ୍ରୀତ୍ ସିଂହଙ୍କ ନେତୃତ୍ବାଧୀନ ଦଳ ପ୍ରଥମେ ପେନାଲ୍ଟି କର୍ଣ୍ଣର ଅର୍ଜନ ଧାରାରେ ରହିଥିଲା । ଦ୍ବିତୀୟ ମିନିଟ୍‌ରେ ହିଁ ଭାରତ ପାଇଁ ପ୍ରଥମ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ହାର୍ଦ୍ଦିକ ସିଂହ । ସପ୍ତମ ମିନିଟରେ ଅଧିନାୟକ ହରମନପ୍ରୀତ୍ ସିଂହଙ୍କ ସୁନ୍ଦର ଡ୍ରାଗ୍ ଫ୍ଲିକ୍ ଭାରତକୁ ପ୍ରଥମ ଗୋଲ୍ ଦେଇଥିଲା । ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ କନର୍ଭଟ କରିଥିଲେ ଜର୍ମାନୀର ଗୁଞ୍ଜାଲୋ ପିଲାଟ୍‌। ଯାହାଫଳରେ ମ୍ୟାଚ୍‌ ୧-୧ରେ ବରାବର ହୋଇଥିଲା । ତେବେ ୨୭ତମ ମିନିଟ୍‌ରେ ଏକ ପେନାଲ୍ଟି ସଟ୍‌କୁ ଗୋଲରେ କନର୍ଭଟ କରିଥିଲେ କ୍ରିଷ୍ଟୋଫର ରୁର୍‌ । ଏହି ଗୋଲ ସହ ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ଜର୍ମାନୀ ୨-୧ରେ ଆଗୁଆ ରହିଥିଲା ।

ତେବେ ତୃତୀୟ କ୍ୱାର୍ଟରରେ ପୁଣି ଆକ୍ରମଣତ୍ମକ ଖେଳ ପ୍ରଦର୍ଶନ କରିଥିଲା ଭାରତ । ମ୍ୟାଚ୍‌ର ୩୬ତମ ମିନିଟ୍‌ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ କନର୍ଭଟ କରିଥିଲେ ଶୁଖଜିତ୍‌ ସିଂ । ଏହି ଗୋଲ ବଳରେ ମ୍ୟାଚ୍‌ ୨-୨ ବରାବର ସ୍ଥିତିକୁ ଆସିଥିଲା । କିନ୍ତୁ ମ୍ୟାଚ୍‌ର ୫୪ ତମ ମିନିଟ୍‌ରେ ମାର୍କୋ ମିଲଟାକୁଙ୍କ ଗୋଲ୍ ଭାରତକୁ ଫାଇନାଲ ଯିବାର ବାଟ ଓଗାଳିଥିଲା । ଯାହାଫଳର ଏହି ମ୍ୟାଚ୍‌କୁ ଭାରତ ୩-୨ରେ ପରାଜୟ ବରଣ କରିଥିଲା ।

ଅଧିକ ପଢ଼ନ୍ତୁ: Paris Olympics 2024: ସୁଟର ମନୁ ଭାକରଙ୍କୁ ମିଳିଲା ବଡ଼ ଦାୟିତ୍ୱ