Advertisment

T20 World Cup: ସେମି ଫାଇନାଲ୍ ମ୍ୟାଚ୍ ପୂର୍ବରୁ ICUରେ ଥିଲେ ପାକ୍‌ କ୍ରିକେଟର ରିଜୱାନ୍‌

ସେମି ଫାଇନାଲ୍ ମ୍ୟାଚ୍ ଖେଳିବା ପୂର୍ବରୁ ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନ୍‌ ୨ ଦିନ ଆଇସିୟୁରେ ଭର୍ତ୍ତି ହୋଇଥିଲେ।

author-image
Rajalaxmi Sahoo
Mohammad Rizwan

Mohammad Rizwan

ଇସଲାମାବାଦ: ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ ଜିତିବା ସ୍ୱପ୍ନ ପାକିସ୍ତାନର ଭାଙ୍ଗି ଯାଇଛି। ଗତକାଲି ଖେଳା ଯାଇଥିବା ସେମି ଫାଇନାଲ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଅଷ୍ଟ୍ରେଲିଆ(AUS vs PAK T20 World Cup) ଫାଇନାଲରେ ପ୍ରବେଶ କରିଛି। ପାକିସ୍ତାନକୁ ୫ ୱିକେଟରେ କଙ୍ଗାରୁ ଦଳ ପରାସ୍ତ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଏହା ପାକିସ୍ତାନର ପ୍ରଥମ ପରାଜୟ ଥିଲା ଓ ଏହି ପରାଜୟରେ ପାକିସ୍ତାନର ଟି-୨୦ ବିଶ୍ୱକପ୍‌ ଜିତିବା ସ୍ୱପ୍ନ ମଧ୍ୟ ଭାଙ୍ଗି ଯାଇଛି। ହେଲେ ଏସବୁ ଭିତରେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।     

Advertisment

ସେମି ଫାଇନାଲ୍ ମ୍ୟାଚ୍ ଖେଳିବା ପୂର୍ବରୁ ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନ୍‌ ୨ ଦିନ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ୨ ଦିନ ପରେ ସେ ସେମି ଫାଇନାଲ୍ ମ୍ୟାଚ୍ ଖେଳିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ୫୨ ବଲ୍‌ରେ ସେ ୬୭ ରନ୍ ସଂଗ୍ରହ କରିଥିଲେ। ମ୍ୟାଚ୍‌ ପୂର୍ବରୁ କାହାକୁ ବି ଜଣାନଥିଲା ଯେ, ରିଜୱାନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ପରେ ତାଙ୍କର କିଛି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା ଓ ଜଣାପଡ଼ିଥିଲା, ସେମି ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ରିଜୱାନ୍‌ ଅସୁସ୍ଥ ଥିଲେ। 

ପାକିସ୍ତାନର ବ୍ୟାଟିଂ କନ୍‌ସଲଟାଣ୍ଟ୍‌ ମାଥ୍ୟୁ ହେଡେନ୍ ନିଜେ ସେମିଫାଇନାଲ୍‌ ମ୍ୟାଚ୍‌ ସମୟରେ ଏହି ଖୁଲାସା କରିଛନ୍ତି। ମ୍ୟାଚ୍‌ର ୨୪ ଘଣ୍ଟା ପୂର୍ବରୁ ଫୁସ୍‌ଫୁସ୍ ଜନିତ ସଂକ୍ରମଣ ଯୋଗୁ ରିଜୱାନ୍‌ ଆଇସିୟୁରେ ଥିଲେ। ତେବେ ଅସୁସ୍ଥ ସତ୍ତ୍ୱେ ମଧ୍ୟ ସେ ସେମିଫାଇନାଲ୍‌ ମ୍ୟାଚ୍ ଖେଳି ଥିଲେ ଓ ଚମତ୍କାର ପ୍ରଦର୍ଶନ କରି ଅର୍ଦ୍ଧଶତକ ହାସଲ କରିଥିଲେ ବୋଲି ମାଥ୍ୟୁ ହେଡେନ୍ କହିଛନ୍ତି।  

Advertisment

ପାକିସ୍ତାନ ଟିମ୍‌ର ଡାକ୍ତର ନଜୀବ ସୋମରୋ କହିଛନ୍ତି, ନଭେମ୍ବର ୯ ତାରିଖରେ ମହମ୍ମଦ ରିଜୱାନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସେଠାରେ ଦୁଇ ରାତି ଆଇସିୟୁରେ ରଖାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟିଥିଲା ଏବଂ ମ୍ୟାଚ୍ ପୂର୍ବରୁ ସେ ଫିଟ୍ ହୋଇଯାଇଥିଲେ।

ମହମ୍ମଦ ରିଜୱାନଙ୍କୁ ଉଚ୍ଚ ପ୍ରଶଂସା କରି ଅଧିନାୟକ ବାବର ଆଜମ କହିଛନ୍ତି, ସତରେ ସେ ଜଣେ ଟିମ୍ ମ୍ୟାନ୍‌। ସେ ଯେଉଁଭଳି ଭାବରେ ମ୍ୟାଚ୍‌ ଖେଳିଲେ, ତାହା ଅସାଧାରଣ ଥିଲା। ସେ ଅସୁସ୍ଥ ଅନୁଭବ କରୁଥିବା ଦେଖି  ମୁଁ ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲି। ପୂରା ଠିକ୍ ଥିବା ସେ କହିଥିଲେ।’

ସୂଚନାଥାଉ କି,ପାକିସ୍ତାନ ସହ ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଟି-୨୦ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ପ୍ରବେଶ କରିଛି। ଦ୍ୱିତୀୟ ସେମିରେ ପାକିସ୍ତାନକୁ ୫ ୱିକେଟରେ କଙ୍ଗାରୁ ଦଳ ପରାସ୍ତ କରିଥିଲା। 

T20 World Cup Pakistani Cricket Team Mohammad Rizwan
Advertisment
Advertisment