ଚଳିତ ବର୍ଷ ଚାମ୍ପିୟନସ୍ ଟ୍ରଫି ୨୦୨୫ ପାକିସ୍ତାନ ଦ୍ୱାରା ଆୟୋଜିତ ହୋଇଥିଲା । ଯେଉଁଥିରେ ପ୍ରାକିସ୍ତାନୀ କ୍ରିକେଟ ଦଳ ଅତ୍ୟନ୍ତ ଶୋଚନୀୟ ପରାଜୟ ବରଣ କରିଥିଲା । ଏପରିକି ଟ୍ରଫି ଜିତିବା ତ ଦୂରରେ ଥାଉ ଦଳ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ଜିତିପାରିଲା ନାହିଁ । ମାତ୍ର ୫ଟି ମ୍ୟାଚ ଖେଳି ଗ୍ରୁପ ଷ୍ଟେଜରୁ ବାହାରି ଯାଇଥିଲା ।
ତେବେ ଚାମ୍ପିୟନ୍ସ ଟ୍ରଫି ସରିବା ପରେ ପାକିସ୍ତାନୀ କ୍ରିକେଟ ବୋର୍ଡ ଖେଳାଳିଙ୍କ ମ୍ୟାଚ ଫି ୭୫ ପ୍ରତିଶତ କାଟିବା ପାଇଁ ନିଷ୍ପତ୍ତି ନେଇଛି । PCB ଆଗାମୀ ଜାତୀୟ ଟି-୨୦ କପରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ମ୍ୟାଚ୍ ଫିସ୍ ହ୍ରାସ କରିଛି ।
Also Read
ଖେଳାଳିମାନଙ୍କୁ ମ୍ୟାଚ୍ ଫିସ୍ ବାବଦକୁ ୧୦ହଜାର ପାକିସ୍ତାନୀ ଟଙ୍କା ବା ଭାରତ ହିସାବରେ ପାଖାପାଖି ମାତ୍ର ୩ ହଜାର ଟଙ୍କା ଦିଆଯିବ । ଯାହା ଗତ ସିଜିନ୍ ତୁଳନାରେ ୭୫ ପ୍ରତିଶତ କମ୍ । ପୂର୍ବରୁ ଜାତୀୟ ଟି-୨୦ କପରେ ଖେଳାଳିମାନେ ପ୍ରତି ମ୍ୟାଚ୍ ଖେଳିବା ପାଇଁ ୪୦,୦୦୦ ପାକିସ୍ତାନୀ ଟଙ୍କା ପାଉଥିଲେ । ଏବେ ଏହାକୁ ହଠାତ୍ ହ୍ରାସ କରାଯାଇଛି ।
ଏପରିକି ଖେଳ ପାଇଁ ଥିବା ରିଜର୍ଭ ଖେଳାଳିଙ୍କୁ ମାତ୍ର ୫ ହଜାର ଟଙ୍କା ଦିଆଯିବା ନେଇ ନିଷ୍ପତ୍ତି ଦିଆଯାଇଛି । ତେବେ ଏକ ରିପୋର୍ଟ ଅନୁସାର ୨୦୨୨ରେ ଖେଳାଳି ମାନଙ୍କୁ ୬୦ ହଜାର ପାକିସ୍ତାନୀ ଟଙ୍କା ପ୍ରଦାନ କରାଯାଉଥିଲା । ଯାହାକୁ ପର୍ଯ୍ୟାୟ କ୍ରମେ ୪୦ ହଜାର ଓ ଏବେ ୧୦ ହଜାରକୁ ଖସାଇ ଦିଆଯାଇଛି ।
ତେବେ ଚର୍ଚ୍ଚା ହେଉଛି ଚମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ହୋଇଥିବା ଅତ୍ୟଧିକ ଖର୍ଚ୍ଚ ମ୍ୟାନେଜ କରିବାକୁ PCB ଏପରି ନିଷ୍ପତ୍ତି ନେଇଛି । କିନ୍ତୁ ପିସିବିର ଜଣେ ଅଧିକାରୀ କହିଛନ୍ତି ମ୍ୟାଚ୍ ଫି କମିଥିଲେ ମଧ୍ୟ ଘରୋଇ କ୍ୟାଲେଣ୍ଡରରେ ଟୁର୍ଣ୍ଣାମେଣ୍ଟର ସଂଖ୍ୟା ବଢିଛି । ତେଣୁ PCB କହିଛି, ଖେଳାଳିଙ୍କୁ ରୋଜଗାରରେ କୌଣସି ଅସୁବିଧା ହେବନାହିଁ ।