• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତେଜିଲା ଭାରତ-ପାକିସ୍ତାନ କ୍ରିକେଟ୍ ବିବାଦ । ଆସନ୍ତାବର୍ଷ ଏସିଆ କପ୍ ଖେଳିବାକୁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବନାହିଁ ବୋଲି ପୂର୍ବତନ ବିସିସିଆଇ ସଂପାଦକ ଜୟ ଶାହ୍ କହିବା ପରେ, ପାଲଟା ଜବାବ ରଖିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ପାକିସ୍ତାନ କ୍ରିକେଟ୍ ଟିମ୍ ମଧ୍ୟ ଭାରତରେ ଆସନ୍ତାବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ବର୍ଜନ କରିବ ବୋଲି ଚେତାବନୀ ଦେଇଛି ।

ପିସିବି ପକ୍ଷରୁ ବିବୃତି ଜାରି କରାଯାଇଛି ଯେ, ଜୟ ଶାହଙ୍କ ମନ୍ତବ୍ୟ ଏକପାଖିଆ ଏବଂ ଏହା ଅନ୍ତର୍ଜାତୀୟ କ୍ରିକେଟ୍ ସମୁଦାୟରେ ଫାଟ ସୃଷ୍ଟି କରିପାରେ । ଏସିଆ କପକୁ ନିଉଟ୍ରାଲ୍ ଭେନ୍ୟୁ ବା ନିରପେକ୍ଷ ଦେଶରେ ଆୟୋଜନ କରାଗଲେ ଏହା ଭବିଷ୍ୟତରେ ଭାରତରେ ହେବାକୁ ଥିବା ଇଭେଣ୍ଟ ଗୁଡ଼ିକୁ ମଧ୍ୟ ପ୍ରଭାବିତ କରିପାରେ । ୨୦୨୩ କ୍ରିକେଟ୍ ଓ୍ୱାଲ୍ଡ କପ୍ ଏବଂ ୨୦୨୪ ରୁ ୨୦୩୧ ମଧ୍ୟରେ ହେବାକୁ ଥିବା ଆଇସିସି ଇଭେଣ୍ଟ ଗୁଡ଼ିକରେ ପାକିସ୍ତାନର ଗସ୍ତକୁ ମଧ୍ୟ ପ୍ରଭାବିତ କରିବ ବୋଲି କହିଛି ପିସିବି ।

କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଇଛି ତିକ୍ତତା । ଏଭଳି ସ୍ଥଳେ ପାକିସ୍ତାନ ଗସ୍ତରେ ଭାରତୀୟ କ୍ରିକେଟରଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏସି‌ଆ କପ୍ ନିରପେକ୍ଷ ସ୍ଥାନରେ ଆୟୋଜନ କରାଯାଇପାରେ ବୋଲି କହିଥିଲେ ଜୟ ଶାହ୍ । ପୂର୍ବରୁ ପାକିସ୍ତାନରେ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ଉପରେ ଆତଙ୍କୀ ହମଲା ହୋଇଥିବାର ମଧ୍ୟ ନଜିର ରହିଛି । ତେବେ ଜୟ ଶାହଙ୍କ ମନ୍ତବ୍ୟକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡର ଧମକ ପରେ, କଡ଼ା ଭାଷାରେ ଜବାବ ରଖିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ।

ସେ କହିଛନ୍ତି, କ୍ରୀଡ଼ାଜଗତ ବିଶେଷ କରି କ୍ରିକେଟ୍ ପ୍ରତି ପ୍ରମୁଖ ଯୋଗଦାନ ଦୃଷ୍ଟିରୁ, ଭାରତକୁ ଅଣଦେଖା କରାଯାଇପାରିବ ନାହିଁ । ଆସନ୍ତାବର୍ଷ ଭାରତରେ ବିଶ୍ୱକପ୍ ଆୟୋଜିତ ହେଉଛି ଏବଂ ସେଥିରେ ସବୁ ବଡ଼ ଟିମ୍ ଯୋଗଦେବାକୁ ଆସୁଛନ୍ତି । ଏଥିସହିତ ଏସିର କପ୍ ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ, ତାହା କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେବା ବୋଲି ସେ ସୂଚନା ଦେଇଛନ୍ତି । ବିସିସିଆଇର ନୂଆ ସଭାପତି ରୋଜର୍ ବିନ୍ନି ମଧ୍ୟ କହିଛନ୍ତି ଯେ, ଭାରତ ସରକାର ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ସେପଟେ ଭାରତ-ପାକ୍ କ୍ରିକେଟ୍ ବିବାଦକୁ ନେଇ ପାକିସ୍ତାନରେ ଶୁଭୁଛି ମିଶ୍ରିତ ସ୍ୱର । ୟୁନିସ୍ ଖାନଙ୍କ ଭଳି କିଛି ପୂର୍ବତନ କ୍ରିକେଟର୍ ମ୍ୟାନ୍ ଇନ୍ ଗ୍ରୀନକୁ ଭାରତରେ ଆୟୋଜିତ କୌଣସି ଟୁର୍ଣ୍ଣାମେଣ୍ଟରେ ଭାଗ ନନେବାକୁ ଅପିଲ୍ କରିଛନ୍ତି । ଅନ୍ୟପକ୍ଷରେ ଏଭଳି କଲେ ପାକିସ୍ତାନ୍ କ୍ରିକେଟର ସ୍ଥିତି ସାଂଘାତିକ ହୋଇପାରେ ବୋଲି ଚେତାଇଛନ୍ତି ଆଉ ଜଣେ ପୂର୍ବତନ କ୍ରିକେଟର୍ ପୂର୍ବତନ ପାକିସ୍ତାନ ସ୍ପିନର୍ ଦାନିଶ କନେରିଆ । ପିସିବିର ମନ୍ତବ୍ୟ ଉପରେ ପ୍ରଶ୍ନ ଉଠାଇବା ସହିତ, କହିଛନ୍ତି ଯେ ପାକିସ୍ତାନ ଯଦି ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରେ ଭାଗ ନନିଏ, ତେବେ ଏହା ଅନ୍ତର୍ଜାତୀୟ କ୍ରିକେଟରୁ ବାଦ୍ ପଡ଼ିଯିବ ।

ଏଭିତରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଚେୟାରମ୍ୟାନ୍ ରମିଜ୍ ରାଜାଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ କହୁଛନ୍ତି ଯେ, ଭାରତର ସମର୍ଥନ ବିନା ପାକିସ୍ତାନ କ୍ରିକେଟ୍ ଭୁଶୁଡ଼ି ପଡ଼ିବ ।

୨୦୦୮ ମୁମ୍ବାଇ ଆକ୍ରମଣ ପରଠୁ ଭାରତ-ପାକିସ୍ତାନ କ୍ରିକେଟ୍ ସଂପର୍କରେ ବି ତିକ୍ତତା ଆସିଛି । ସେବେଠୁ ଆଉ ପାକିସ୍ତାନ ଖେଳିବାକୁ ଯାଇନାହିଁ ଭାରତ । ମ୍ୟାନ୍ ଇନ୍ ବ୍ଲୁ ଶେଷଥର ପାଇଁ ୨୦୦୬ରେ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ପାକିସ୍ତାନ ଯାଇଥିଲା । ୨୦୧୨-୧୩ରେ ଶେଷ ଥର ପାଇଁ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ଖେଳିବାକୁ ଭାରତ ଗସ୍ତରେ ଆସିଥିଲା ପାକିସ୍ତାନ । ଏହାପରଠୁ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନାହିଁ । କେବଳ ମଲ୍ଟି-ଟିମ୍ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଛନ୍ତି ଏହି ୨ ପଡ଼ୋଶୀ ଦେଶର କ୍ରିକେଟ୍ ଟିମ୍ ।