• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୁବାଇ: ଆଇସିସି ଟି-ଟ୍ବେଣ୍ଟି ବିଶ୍ୱକପ୍ ପ୍ରତିଯୋଗିତାରେ ହ୍ୟାଟ୍ରିକ୍ ବିଜୟ ସହ ସେମିଫାଇନାଲର ନିକଟତର ହୋଇଛି ପାକିସ୍ତାନ । ଗତକାଲି ଦୁବାଇରେ ଖେଳାଯାଇଥିବା ସୁପର ୧୨ ଗ୍ରୁପ ୨ର ଏକ ମ୍ୟାଚରେ ବିପକ୍ଷୀ ଟିମ୍ ଆଫଗାନିସ୍ତାନକୁ ୫ ଓ୍ୱିକେଟରେ ହରାଇ ଲଗାତାର ତୃତୀୟ ବିଜୟ ହାସଲ କରିବାରେ ସମର୍ଥ ହୋଇଛି ପାକିସ୍ତାନୀ ଟିମ୍ ।

ପାକିସ୍ତାନ ସହ ହାରିଥିଲେ ମଧ୍ୟ ଜବରଦସ୍ତ ଲଢ଼େଇ କରି ଆଫଗାନିସ୍ତାନ ଦର୍ଶକଙ୍କ ମନ ଜିଣି ନେଇଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ପାକିସ୍ତାନ ଆଗରେ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ପାକିସ୍ତାନ ଗୋଟିଏ ଓଭର ବାକି ଥାଇ ଜିତିନେଇଥିଲା । ପାକିସ୍ତାନ ପକ୍ଷରୁ ବାବର ଆଜମ ୫୧ ରନ୍ କରିଥିବା ବେଳେ ଫକର ଜମାନ ୩୦ ଓ ଆସିଫ ଅଲି ୨୫ ରନ କରିଥିଲେ । ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ନବି ଓ ଗୁଲବୁଦ୍ଦିନ ୩୫ ରନ ଲେଖାଏଁ କରିଥିଲେ । ପାକିସ୍ତାନ ପକ୍ଷରୁ ଇମାଦ ୱାସିମ ୨ଟି ଓ୍ବିକେଟ ନେଇଥିବାବେଳେ ସାହିନ ଆଫ୍ରିଦି, ହାସାନ ଅଲି, ହାରିସ ରୌଫ ଓ ସଦାବ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ତେବେ ଲଗାତାର ୩ ଟି ମ୍ୟାଚରେ ବିଜୟ ସହ ପାକିସ୍ତାନର ସେମିଫାଇନାଲର ନିକଟତର ହୋଇଛି । ପାକିସ୍ତାନ ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ଭାରତକୁ ହରାଇ ନିଜ ମନୋବଳ ଦୃଢ କରିଛି । ଗ୍ରୁପ ୨ ର ତାଲିକାର ଶୀର୍ଷରେ ରହିଛି ପାକିସ୍ତାନ । ତେବେ ଆଫଗାନିସ୍ତାନ ତିନୋଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି ।

ସେପଟେ ଆଜି ସାମ୍ନାସାମ୍ନି ହେବେ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା । ଅପରାହ୍ଣ ୩ଟା ୩୦ ମିନିଟ ସମୟରେ ଏହି ମ୍ୟାଚ ଶରଜାହା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଅନ୍ୟ ଏକ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ଅଷ୍ଟ୍ରେଲିଆ । ଦୁବାଇ ଇଷ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚଟି ସନ୍ଧ୍ୟା ୭ଟା ୩୦ରେ ସମୟରେ ଖେଳାଯିବ ।