• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ମଣିପୁର ପୋଲିସ ASP ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିଯୁକ୍ତି ପରେ ସେ ଗତକାଲି ଦାୟିତ୍ୱ ନେଇଛନ୍ତି । ଏହାକୁ ଏକ ଗୌରବମୟ ମୁହୂର୍ତ୍ତ ବୋଲି କହି ସେ ଟୁଇଟ ମାଧ୍ୟମରେ ଜଣାଇଛନ୍ତି । ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କୁ ସେ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ସେ ତାଙ୍କ ପିତା ମାତାଙ୍କ ଉପସ୍ଥିତିରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ପିତା,ମାତାଙ୍କ ଆଶୀର୍ବାଦ ଓ ସମର୍ଥନ ପାଇ ସେ ଆଜି ଏହି ସଫଳତାର ଶୀର୍ଷରେ ପହଞ୍ଚିପାରିଥିବା କହିଛନ୍ତି । ପିତା ମାତଙ୍କ ସହ ସେ ASP ଆସନରେ ବସି ଫଟୋ ଉଠାଇବା ସହ ସେମାନଙ୍କୁ ମଧ୍ୟ ସେହି ଆସନରେ ବସାଇଥିଲେ ।

ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ସରେ ୪୯ କେଜି ବର୍ଗ ମହିଳା ଭାରୋତ୍ତୋଳନରେ ରୌପ୍ୟ ପଦକ ହାସଲ କରିଥିଲେ । ଏହାପରେ ତାଙ୍କୁ ମଣିପୁର ସରକାର ପକ୍ଷରୁ ASP ପଦରେ ନିଯୁକ୍ତି ଦିଆଯାଇଛି । ଟୋକିଓ ଅଲିମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିବା ମୀରବାଇ ଏବେ ଚର୍ଚ୍ଚାରେ । ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କୁ ଲୋକେ ଏବେ ଖାକି ପୋଷାକରେ ଲୋକେ ଦେଖିପାରିବେ ।

ନିକଟରେ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଲଭଲିନା ବୋର୍ଗୋନଙ୍କୁ ଆସାମ ପୋଲିସରେ ଡିଏସପି ଭାବରେ ନିଯୁକ୍ତ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜନତା ଭବନରେ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଆସାମ ସରକାରଙ୍କ ନୂତନ କ୍ରୀଡା ନୀତି ଅନୁଯାୟୀ ଏହି ନିଯୁକ୍ତି ହେଉଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱକର୍ମା କହିଛନ୍ତି ।

ଆସାମ ପୋଲିସ୍ ମଧ୍ୟ ଲଭଲିନାଙ୍କ ଏହି ନିଯୁକ୍ତିକୁ ସ୍ୱାଗତ କରିଛି । ଲଭଲିନାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉପସ୍ଥିତି ନିଶ୍ଚିତ ଭାବରେ ବନ୍ଧୁତ୍ୱପୂର୍ଣ୍ଣ ପୋଲିସିଂ ଦିଗରେ ଆମର ମିଶନରେ ସାହାଯ୍ୟ କରିବ ବୋଲି ଆସାମ ପୋଲିସ ପକ୍ଷରୁ କୁହାଯାଇଛି । ଟୋକିଓ ଅଲିମ୍ପିକ୍ସରେ ଲଭଲିନା ବକ୍ସିଂର ୱେଲଟର ୱେଟ୍ କାଟେଗୋରୀର ୬୯ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ ।