ଭୁବନେଶ୍ୱର: ବିଶ୍ୱର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳୀ ଭାବେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ। ପାରା ବିଶ୍ୱ ବ୍ୟାଡ୍ମିଣ୍ଟନ ଚାମ୍ପିଅନସିପରେ ୫ ସ୍ୱର୍ଣ୍ଣ ସହ ୭ ପଦକ। ପାରା ଏସିଆନ ଗେମ୍ସରେ ଗୋଟିଏ ସ୍ୱର୍ଣ୍ଣ ସହ ୩ଟି ପଦକ ଆଣିଛନ୍ତି। ସେହିପରି ପାରା ଏସିଆନ ଗେମ୍ସରେ ଆଥ୍ଲେଟିକ୍ସରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ଜିତିଥିବା ଜୟନ୍ତୀ ବେହେରାଙ୍କ ସଫଳତାର ତାଲିକା ବି ବେଶ ଲମ୍ବା। ଜୁନିୟର ବିଶ୍ୱ ଚାମ୍ପିଆନସିପରେ ୨ଟି ସ୍ୱର୍ଣ୍ଣ ସହ ୩ଟି ପଦକ ହାସଲ କରିିଛନ୍ତି ଜୟନ୍ତୀ। ଦୃଷ୍ଟି ବାଧିତ ଚେସ୍ ତାରକା ପ୍ରାଚୁର୍ଯ୍ୟ ପ୍ରଧାନ ଓ ସୌନ୍ଦର୍ଯ୍ୟ ପ୍ରଧାନ ପାରା ଏସିଆନ ଗେମ୍ସରେ ପଦକ ଜିତି ରାଜ୍ୟର ଟେକ ରଖିଛନ୍ତି।
ତେବେ ସରକାରଙ୍କ ଆଖି ଆଢୁଆଳରେ ରହିଯାଇଛି ଏମାନଙ୍କ ସଫଳତା ୧୨ ଜଣ ପାରା ଆଥଲେଟ୍ ଆନ୍ତର୍ଜାତୀୟ ଓ ୨୧ ଜଣ ଜାତୀୟସ୍ତରରେ ପଦକ ଜିତିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣକି ବି ଏଯାଏଁ ଚାକିରି ଦେଇନାହାନ୍ତି। ରାଜ୍ୟ ସରକାର ପ୍ରତିବାଦ ସ୍ୱରୂପ ଓଡ଼ିଶା ପାରା ପ୍ଲେୟାର୍ସ ଫୋରମ ଜାତୀୟ କ୍ରୀଡା ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେବା ସହ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛି।
ଚାକିରି ହେଉ କି ପ୍ରୋତ୍ସାହନ ରାଶି ବିହାର, ରାଜସ୍ଥାନ, ହରିଆଣା ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ସାଧାରଣ ଓ ପାରା ଆଥଲେଟଙ୍କୁ ସମାନ ସରକାରୀ ସୁବିଧା ପ୍ରଦାନ କରାଯାଉଛି। ତେବେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ୨୦୧୬ ଦିବ୍ୟାଙ୍ଗ ଅଧିନିୟମ ଅନୁସାରେ ସମାନତା ରକ୍ଷା ଲାଗି ପାରା ଆଥଲେଟ୍ଙ୍କ ନିଯୁକ୍ତି କ୍ଷେତ୍ରରେ ସମାନ ଅଧିକାର ମିଳିବା କଥା। ତେବେ ନଜର ପକାନ୍ତୁ ସେଇ ବର୍ଷ ଅର୍ଥାତ୍ ୨୦୧୬ ମେ ୬ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମା ଉପରେ ( No.GAD-SC-Rules-0017-2016-10350 6.5.2016)।
ସାଧାରଣ ଖେଳାଳିଙ୍କୁ ଚାକିରି ପ୍ରଦାନ ନେଇ ଏହି ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ପାରା ଖେଳାଳିଙ୍କୁ ବିଚାରକୁ ନେଇନଥିଲେ ରାଜ୍ୟ ସରକାର। ନିଯୁକ୍ତି ଦାବିରେ ୨୦୧୯ ଜାନୁୟାରୀ ୨ ତାରିଖରେ ପାରା ଆଥଲେଟ୍ ଗଣଧାରଣା ଦେଇଥିଲେ। ଚାକିରୀ ଦିଆଯିବ ବୋଲି ସେତେବେଳେ କ୍ରୀଡ଼ା ବିଭାଗ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ଯାଏଁ ତାହା କେବଳ ପ୍ରତିଶ୍ରୁତିରେ ହିଁ ରହିଛି।
ରାଜ୍ୟ ଗୋଷ୍ଠୀ କ୍ରୀଡା ଓ ଏସିଆନ ଗେମ୍ସରେ ପଦକ ଜିତିଥିବା କେ. ରବି କୁମାରଙ୍କଠାରୁ ଆରମ୍ଭ କରି ଶ୍ରାବଣୀ ନନ୍ଦ, ଦୁତି ଚାନ୍ଦ, ନମିତା ଟପ୍ପୋଙ୍କ ଭଳି ଅନେକ ଖେଳାଳୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ତେବେ ରାଜ୍ୟର ଗୌରବ ବଢାଇଥିବା ପାରା ଆଥଲେଟ୍ଙ୍କୁ କାହିଁକି ଉପେକ୍ଷା କରାଯାଉଛି ତାକୁ ନେଇ ଉଠିଛି ପ୍ରଶ୍ନ।
ରିପୋର୍ଟ: ନବଘନ ବିଷୋୟୀ, ଦ୍ୱୀତିକୃଷ୍ଣ ପଟ୍ଟନାୟକ, ନିରଞ୍ଜନ ରେଡ୍ଡୀ