Pranab Prakash Das: OCA ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା; ବ୍ୟକ୍ତିଗତ କାରଣ ଦର୍ଶାଇ ଦେଲେ ଇସ୍ତଫା...

OCA ସଭାପତି ପଦରୁ ଇସ୍ତଫା ଦେଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ଇସ୍ତଫା ଦେଇଥିବା କହିଲେ ସମ୍ପାଦକ ସଞ୍ଜୟ ବେହେରା। 

Pranab Prakash Das

OCA ସଭାପତି ପଦରୁ ଇସ୍ତଫା ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି ଦାସ। ବବି OCAର ସଭାପତି ପଦରୁ ଇସ୍ତଫା ଦେଇଥିବା ସମ୍ପାଦକ ସଞ୍ଜୟ ବେହେରା ଏନେଇ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇ ଥିବା ସଞ୍ଜୟ କହିଛନ୍ତି। ଆସନ୍ତା ୪୫ ଦିନ ଭିତରେ OCAର ସଭାପତି ପଦ ପାଇଁ ନିର୍ବାଚନ କରାଯିବ। ଏକ ସାଧରଣ ପରିଷଦ ବୈଠକ ଡ଼କାଯାଇ ସଭାପତି ନିର୍ବାଚନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଆଜି ଅନୁଷ୍ଠିତ ବୈଠକରେ ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫାପତ୍ର ଗୃହୀତ ହୋଇଛି। 

୮ ମାସ ପରେ ବାରବାଟୀ ଷ୍ଟାଡ଼ିୟମରେ ଏକ ଆନ୍ତଜାର୍ତୀୟ ମ୍ୟାଚ ଖେଳା ଯାଉଥିବାରୁ ସେ ପର୍ଯ୍ୟନ୍ତ ସଭାପତି ପଦରେ ରହିବାକୁ OCA ସମ୍ପାଦକ ସଞ୍ଜୟ ବେହେରା ପ୍ରଣବଙ୍କୁ ଅନୁରୋଧ କରିଥିଲେ। ତେବେ ପ୍ରଣବ ଏହି ପଦରେ ରହିଲେ OCA ପାଇଁ କିଛି କରି ପାରିବେ ନାହିଁ ବୋଲି ସମ୍ପାଦକଙ୍କୁ କହିଥିଲେ। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ କାରଣ ପାଇଁ ଅବଧି ସରିବା ପୂର୍ବରୁ ସେ ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ବର୍ତ୍ତମାନ ପାଇଁ କାମଚଳା ସଭାପତି ଭାବରେ OCA ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଦ୍ବାୟିତ୍ବ ତୁଲାଇବେ। ୨୦୨୨ ଅକ୍ଟୋବର ୨୮ରେ OCA ସଭାପତି ଭାବରେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ହୋଇଥିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ଏହା ପୂର୍ବରୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପଙ୍କଜ ଲୋଚନ ମହାନ୍ତି OCAର ସଭାପତି ଥିଲେ।

ଅଧିକ ପଢ଼ନ୍ତୁ: ଯାଜପୁର ବିଜେଡିରେ ପଡିଛି ଘଳିଆ, ବିଜେପି କ୍ୟାମ୍ପକୁ ଡେଇଁଲେଣି ମାଳମାଳ ନେତା ଓ କର୍ମୀ

ତେବେ ଶାସକ ବିଜେଡ଼ି OCAକୁ ନିଜ ଅକ୍ତିଆରରେ ରଖିବା ପାଇଁ ଚାହିଁବାରୁ ୨୦୨୨ OCA ନିର୍ବାଚନରେ ପ୍ରଣବ ବିନା ପ୍ରତିଦ୍ବନ୍ଦ୍ବିତାରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବରେ ସେ ଏହି ଦାୟିତ୍ବ ନେଇଥିବା ସେତେବେଳେ OCA ପକ୍ଷରୁ କୁହାଯାଇଥିଲା। ବିଜେଡ଼ି ସରକାରର ପତନ ପରେ ପ୍ରଣବ ପ୍ରକାଶଙ୍କ ପତିଆରା କମିଯାଇଥିଲା। ଗତ ୨ ବର୍ଷ ଭିତରେ ପ୍ରଣବ OCAରେ ୨/୩ଟି ବୈଠକରେ ଯୋଗ ଦେଇଥିବା ବେଳେ ପ୍ରାୟ କୌଣସି ବୈଠକୁକୁ ଆସୁନଥିବା OCAର ଜଣେ କର୍ମକର୍ତ୍ତା କହିଛନ୍ତି। 

ବିଜେପି କ୍ଷମତାକୁ ଆସିବା ପରେ ପ୍ରଣବ ପ୍ରକାଶ ଦାସଙ୍କୁ ବାଦ୍‌ ଦେଇ OCAର କେତେ ଜଣ କର୍ମକର୍ତ୍ତା କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ। ଏପରକି OCA ଓ ବାରବାଟୀ ଷ୍ଟାଡ଼ିୟମର ଉନ୍ନତି ପାଇଁ ଆଲୋଚନା କରିଥିବା ନେଇ ଚର୍ଚ୍ଚା ହେଉଛି। ବିଜେଡ଼ି ସରକାର ଥିବା ବେଳେ OCAର କର୍ମକର୍ତ୍ତା ବିଶେଷ କରି ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ବିଜେଡ଼ି ନେତାଙ୍କ ଉତ୍ତମ ସମ୍ପର୍କ ରକ୍ଷା କରୁଥିଲେ। ଏପରିକି କଟକ ସହରରେ ନିର୍ବାଚନ ବେଳେ ଆଶୀର୍ବାଦ ବେହେରା ବିଜେଡ଼ିକୁ ସର୍ମଥନ କରନ୍ତି ବୋଲି ଚର୍ଚ୍ଚା ହୁଏ। ଗତ ବିଧାନସଭା ନିର୍ବାଚନ ବେଳେ ବାରବାଟୀ-କଟକ ଆସନରୁ ବିଜେଡ଼ିରୁ OCA ସମ୍ପାଦକ ସଞ୍ଜୟ ବେହେରା ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ। ସେତେବେଳେ ଉଭୟ ଆଶୀର୍ବାଦ ବେହେରା ଓ ତାଙ୍କ ପୁଅ ସଞ୍ଜୟ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ବାରବାଟୀ-କଟକରୁ ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡ଼ି।  ଚର୍ଚ୍ଚା ହୁଏ, ଏହି ଟିକେଟ୍‌କୁ ନେଇ ପ୍ରଣବଙ୍କ ସହ ମନୋମାଳିନ୍ୟର ସୂତ୍ରପାତ ହୋଇଥିଲା। ତେବେ ଏ ସମ୍ପର୍କରେ ପ୍ରଣବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। 

ଅଧିକ ପଢ଼ନ୍ତୁ: ଫସଲ କ୍ଷତି ନେଇ ଜିଲ୍ଲାକୁ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ, କରିବେ ସ୍ଥିତି ଅନୁଧ୍ୟାନ