/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658833301.jpg)
Neeraj Chopra
ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତକୁ ବଡ ଝଟକା । ଏହି ଚାମ୍ପିୟନସିପରେ ଭାଗ ନେଇପାରିବେନି ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜତିଥିବା ନୀରଜ ଚୋପ୍ରା । ଅସୁସ୍ଥତା ହେତୁ ସେ ଆଗାମୀ ୨୮ ତାରିଖରେ ହେବାକୁ ଥିବା ୨୦୨୨ କମନେ୍ଓ୍ୱଲ୍ଥ ଗେମ୍ସରେ ଖେଳିପାରିବେ ନାହିଁ ।
ଭାରତୀୟ ଅଲମ୍ପିକ୍ ଆସୋସିଏସନ ସାଧାରଣ ସଂପାଦକ ରାଜୀବ ମେହେଟା ଏନେଇ ସୂଚନା ଦେଇଛନ୍ତି । ପ୍ରତିଯୋଗିତାରେ ଭାଗ ନେବାପାଇଁ ନୀରଜ ଶତ ପ୍ରତିଶତ ସୁସ୍ଥ ନଥିବା ସେ କହିଛନ୍ତି । ସେ ବିଶ୍ୱ ଆଥଲେଟିକ୍ ଚାମ୍ପିୟନ୍ସିପ୍ରେ ଆହତ ହୋଇଥିଲେ । ତାଙ୍କୁ ୨୦ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।
ବିଶ୍ୱ ଚାମ୍ପିୟନଶିପରେ ନୀରଜ ୮୮.୧୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ। ଚାମ୍ପିୟନଶିପର ଫାଇନାଲ ଲଢ଼େର ୪ର୍ଥ ପ୍ରୟାସରେ ହିଁ ସେ ୮୮.୧୩ ମିଟର ଦୂରକୁ ଜାଭେଲିନ ଫିଙ୍ଗିଥିଲେ। ଏହି ସମୟରେ ହିଁ ତାଙ୍କ ଜଙ୍ଘରେ ସମସ୍ୟା ସୃଷ୍ଟି ହୋଇଥିଲା। ରୌପ୍ୟ ପଦକ ଜିତିବା ପରେ ନୀରଜ ମଧ୍ୟ ଆହତ ହୋଇଥିବା କଥାକୁ ସ୍ୱୀକାର କରିଥିଲେ।
ସେ କହିଥିଲେ, “୪ର୍ଥ ଥ୍ରୋ ପରେ ମୁଁ ଜଙ୍ଘରେ ସାମାନ୍ୟ ସମସ୍ୟା ଅନୁଭବ କରିଛି। ଏଥିପାଇଁ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିନି। ଏହା ମୋ ମୁଣ୍ଡରେ ଚାଲିଥିଲା। ତଥାପି ମୁଁ ଅଧିକ ଦୂରତାକୁ ଫିଙ୍ଗିବି ବୋଲି ଆଶା ରଖିଛି। ଏଥିପାଇଁ ଜଙ୍ଘକୁ ବାନ୍ଧି ଦେଇଛି। ମୁଁ ଭାବୁଛି ସବୁ କିଛି ଠିକ୍ ହୋଇଯିବ। ସୋମବାର ସକାଳେ ଜଣାପଡ଼ିବ ଯେ ଆହତ ସମସ୍ୟା କେତେ ଗୁରୁତର।” ନୀରଜ ରବିବାର ଏକଥା କହିଥିଲେ। ଏବେ ତାଙ୍କ ଆହତ ସମସ୍ୟା ଜଟିଳ ଥିବା ସ୍ପଷ୍ଟ ହୋଇଛି।
ସେ ବାଦ ପଡ଼ିଥିବାରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ଜାଭେଲିନ ଥ୍ରୋରେ ଗୋଟିଏ ପଦକ ହରାଇଲା ବୋଲି ଅନେକ ଲୋକ ସୋଶିଆଲ ମିଡିଆରେ ବୟାନ ଦେବା ଆରମ୍ଭ କରିଛନ୍ତି। ୨୦୧୮ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ନୀରଜ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)