• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅହମଦାବାଦରେ ଚାଲିଛି ବିଶ୍ୱକପ୍ ଗ୍ରାଣ୍ଡ୍ ଫିନାଲେ, ଆଉ ସାରା ଦେଶକୁ ଘାରିଛି କ୍ରିକେଟ୍ ଫିଭର୍ । ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମରେ ଚାଲିଛି ଭାରତ- ଅଷ୍ଟ୍ରେଲିଆ କାଣ୍ଟେ କା ଟକ୍କର୍ । ସେଠି ନରେନ୍ଦ୍ର ମୋଦି ଷ୍ଟାଡିୟମ ମୈଦାନରେ ଗୋଟିଏ ଗୋଟିଏ ବଲ୍ ପଡ଼ିଲେ, ଏକାଠି ଧକ୍ ଧକ୍ ହେଉଛି ଭାରତୀୟଙ୍କ ହୃଦସ୍ପନ୍ଦନ । ତେବେ ଆଜି ଦେଶରେ ଏବଂ ଖାସ୍ କରି ଓଡ଼ିଶାରେ ଏହାର କ୍ରେଜ୍ କିପରି ରହିଛି, ଦେଖନ୍ତୁ ଏହି ରିପୋର୍ଟରେ ।

କ୍ରିକେଟ୍ ଫିଭରରେ କମ୍ପୁଛି ସାରା ଦେଶ... ଶୁଭୁଛି ଇଣ୍ଡିଆ ଇଣ୍ଡିଆ । ଗାଁରୁ ସହର, ପିଲା ଠୁ ବୟସ୍କ, ପୁରୁଷ-ମହିଳା... ଏପରିକି ଦେଶର ସିପାହୀ । ସଭିଏଁ ଆଜି କ୍ରିକେଟ୍ ଫ୍ୟାନ୍ । ଟିମ୍ ଇଣ୍ଡିଆକୁ ଚିୟର କରିବା ପାଇଁ କିଏ ତ୍ରିରଙ୍ଗା ଉଡ଼ାଉଛି, କିଏ ନୀଳ ଜର୍ସି ପିନ୍ଧିଛି, ତ ଆଉ କିଏ ଭଗବାନଙ୍କୁ ପ୍ରାର୍ଥନା କରିଛି ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଦୀପଦାନ କରି ।

ଭାରତର ବିଜୟ କାମନା କରି ଉଜ୍ଜୈନ ମହାକାଳ ମନ୍ଦିରରେ ଭସ୍ମ ଆରତୀ ହୋଇଥିବା ବେଳେ, ଶ୍ରୀମନ୍ଦିରରେ ଦୀପଦାନ କରିଛନ୍ତି ସେବାୟତ ଓ ଶ୍ରୀଜଗନ୍ନାଥ ସେନା । ମାଆ ସମଲେଶ୍ୱରୀଙ୍କଠାରେ ପୂଜାର୍ଚ୍ଚନା, ଏଣେ ଜଟଣୀ ପାତ୍ରପଡ଼ାରେ ବିଜୟ ଯଜ୍ଞ ଓ କଳଯାତ୍ରା । ରାଉରକେଲା ଝିରପାଣିରେ ବି ଟିମ୍ ଇଣ୍ଡିଆର ଶୁଭ ମନାସିଛନ୍ତି ଛଟ୍ ପୂଜା ବ୍ରତଧାରୀ ।

ତୃତୀୟ ଥର ଦିନିକିଆ କ୍ରିକେଟ ବିଶ୍ୱକପ୍ ଟ୍ରଫି ହାତେଇବା ଲାଗି ପ୍ରାଣପଣେ ଲଢ଼େଇ କରୁଛନ୍ତି ମେନ୍-ଇନ୍-ବ୍ଲୁ । ତେଣେ ଗ୍ୟାଲେରିରୁ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ଆଶାରେ, ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ ଭିତରେ ଫୁଲ୍ ଜୋଶରେ ଅଛନ୍ତି ୧ ଲକ୍ଷ ୩୦ହଜାର ଦର୍ଶକ । ଇଣ୍ଡିଆ ଇଣ୍ଡିଆ ଚିତ୍କାରରେ ଫାଟି ପଡ଼ୁଛି ବିଶ୍ୱର ସବୁଠୁ ବଡ଼ ଷ୍ଟାଡିୟମ । ଚାରିଆଡ଼େ ଖାଲି ନୀଳଜର୍ସି । ମ୍ୟାଚ୍ ଦେଖିଛନ୍ତି ଶାହରୁଖ, ଦୀପିକା-ରଣବୀର, ଅନୁଷ୍କା ଓ ଅଥୟାଙ୍କ ସମେତ ବହୁ ସେଲିବ୍ରିଟି ।

ତେଣେ ପଡ଼ିଆ ବାହାରେ ବି ଦେଖିବାକୁ ମିଳିଛି ଜନସମୁଦ୍ର । ଖାଲି ଗୁଜରାଟ କାହିଁକି, ଆଜି ଦେଶର କୋଣ ଅନୁକୋଣରେ ଗ୍ରାଣ୍ଡ୍ ଫିନାଲେର ମଜା ନେବା ଲାଗି ହୋଇଛି ଗ୍ରାଣ୍ଡ୍-ଆରେଞ୍ଜମେଣ୍ଟ । ବଡ଼ ସ୍କ୍ରିନରେ ଏକାଠି ମ୍ୟାଚର ମଜା ନେଉଛନ୍ତି କ୍ରିକେଟ ଧର୍ମାବଲମ୍ବୀ । ସେମାନଙ୍କ ଦେହରେ ଟିମ୍ ଇଣ୍ଡିଆ ଜର୍ସି, ଦେହମୁହଁରେ ଟାଟୁ, ହାତରେ ପ୍ଲା-କାର୍ଡ ନହେଲେ ତ୍ରିରଙ୍ଗା । ମହାରାଷ୍ଟ୍ର ପୁଣେରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିଶାଳ କଟ୍-ଆଉଟରେ କ୍ଷୀର ବି ଢାଳିଛନ୍ତି ସେମାନେ । ଜମ୍ମୁରେ ସିଆରପିଏଫ୍ ଯବାନ ମାନେ ବି ଫୁଲ୍ ଜୋଶରେ । ସେପଟେ ଖାଲି ଦେଶ ନୁହେଁ, ବିଦେଶରେ ବି ଏକାଠି ମ୍ୟାଚର ମଜା ନେଇଛନ୍ତି ପ୍ରବାସୀ ଭାରତୀୟ ।

ବିଶ୍ୱକପ୍ ଫାଇନାଲ୍ ଟକ୍କର ପୂର୍ବରୁ ଆଜି ପଡ଼ିଆରେ ବିରାଟ କୋହଲିଙ୍କୁ ନିଜ ସ୍ୱାକ୍ଷରିତ ଜର୍ସି ଉପହାର ଦେଇଥିଲେ ସଚ୍ଚିନ ତେନ୍ଦୁଲକର । ଏଥିସହ ପଡ଼ିଆରେ ବିଶ୍ୱକପ୍ ଟ୍ରଫିକୁ ଅବସ୍ଥାପିତ କରିଥିଲେ ସର୍ବସମ୍ମୁଖରେ । ତେବେ ଆଜିର ସବୁଠୁ ଖାସ୍ କାର୍ଯ୍ୟକ୍ରମ ଥିଲା, ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବାୟୁସେନା ସୂର୍ଯ୍ୟକିରଣ ଟିମର ଚିତାକର୍ଷକ ଏୟାର୍ ଶୋ' । ନୀଳ ସମୁଦ୍ର ଭଳି ଦିଶୁଥିବା ଷ୍ଟାଡିୟମ ଉପରେ ଉଡ଼ିଥିଲା ୯ଟି ହକ୍ ବିମାନ ।