• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଅପେକ୍ଷାର ଅନ୍ତ...ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ମେଡାଲ ଖାତା ଖୋଲିଛି ଭାରତ । ସୁଟର ମନୁ ଭାକର ଭାରତକୁ ଭେଟି ଦେଇଛନ୍ତି ପ୍ରଥମ ମେଡାଲ । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ୍ ମେଡାଲ୍ ଜିତିଛନ୍ତି ମନୁ ଭାକର । ଫାଇନାଲ ମୁକାବିଲାରେ ମୋଟ ୨୨୧.୭ ପଏଣ୍ଟ ସ୍କୋର କରିବା ସହ ପ୍ୟାରିସରେ ତ୍ରିରଙ୍ଗା ଉଡ଼ାଇଛନ୍ତି ୨୨ ବର୍ଷୀୟ ମନୁ । ୧୨ ବର୍ଷ ପରେ ଏହା ହେଉଛି  ଭାରତର ସୁଟିଂ ମେଡାଲ ।

ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ତୃତୀୟ ସ୍ଥାନରେ ରହିଥିଲେ ମନୁ । ପ୍ୟାରିସରେ ବ୍ରୋଞ୍ଜ ମେଡାଲ ଜିତିବା ପରେ ମନୁ ଭାକର ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ୨୦ ବର୍ଷ ପରେ ବ୍ୟକ୍ତିଗତ ଇଭେଣ୍ଟରେ ସେ ପ୍ରଥମ ମହିଳା ଭାବେ ଅଲିମ୍ପିକ୍ସ ସୁଟିଂ ଫାଇନାଲରେ ପହଞ୍ଚିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହାପୂର୍ବରୁ ୨୦୦୪ରେ ଫାଇନାଲରେ ପ୍ରବେଶ କରିଥିଲେ ସୁମା ଶୀରୁର୍ । ଅଲିମ୍ପିକରେ ପ୍ରଥମ ଭାରତୀୟ ମହିଳା ଭାବେ ମନୁ, ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ । 

୨୦୨୧ରେ ଟୋକିଓ ଅଲିମ୍ପିକର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ମନୁଙ୍କ ପିସ୍ତଲ ସାଥ୍ ଦେଇନଥିଲା । ପିସ୍ତଲ କାମ ନ କରିବାରୁ ମନୁଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ଫଳରେ ନିଜର ଅଲିମ୍ପିକ ଡେବ୍ୟୁରେ ପାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେବାକୁ ବାଧ୍ୟ ହୋଇଥିଲେ ମନୁ । ପିସ୍ତଲ କାମ ନ କରିବା ନେଇ ମନୁ ଏକ ସାକ୍ଷାତକାରରେ କହିଥିଲେ, " ଟୋକିଓ ଅଲମ୍ପିକରେ ଖରାପ ସ୍ମୃତି ନେଇ ଫେରିବାକୁ ପଡ଼ିଥିଲା, ଆଶ୍ଚର୍ଯ୍ୟ ଲାଗିଥିଲା କାହିଁକି ଏପରି ଘଟିଲା ? କଣ ଭୁଲ୍ ଥିଲା ?"

୨୦୨୩ରେ ପ୍ୟାରିସରେ ଅନୁଷ୍ଠିତ ଏସିଆନ ସୁଟିଂ ଚାମ୍ପିୟନସିପରେ ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ପଞ୍ଚମ ସ୍ଥାନରେ ରହିବା ପରେ ଅଲମ୍ପିକ୍ ଟିକେଟ ହାତେଇଥିଲେ ମନୁ । ଏହା ପୂର୍ବରୁ ISSF ସୁଟିଂ ବିଶ୍ୱକପରେ ସର୍ବକନିଷ୍ଠ ଭାରତୀୟ ଭାବେ ଗୋଲ୍ଡ ମେଡାଲ ଜିତିବାର ରେକର୍ଡ ତାଙ୍କ ନାମରେ ରହିଛି । ୨୦୧୮ରେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଚାମ୍ପିୟନ୍ ମଧ୍ୟ ରହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now