• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରୁ ସେ ନିଜର କାର୍ଯ୍ୟ ଆରମ୍ଭ କରିବେ । ଏନେଇ ବିସିସିଆଇ ତରଫରୁ ସ୍ପଷ୍ଟ ସୂଚନା ମିଳି ସାରିଛି । ଦ୍ରାବିଡଙ୍କ ଉତ୍ତରାଧିକାରୀ ଭାବେ ସେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ଜିମ୍ବାୱେ ଗସ୍ତ ପାଇଁ କେବଳ ଭିଭିଏସ୍ ଲକ୍ଷ୍ମଣଙ୍କୁ ଦାୟିତ୍ୱ ଦେଇଥିଲା । କିନ୍ତୁ ଶ୍ରୀଲଙ୍କା ଗସ୍ତରୁ ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଗୌତମ ଗମ୍ଭୀର ରହିବେ ।

ଗୌତମଙ୍କ ତତ୍ତ୍ୱାବଧାନରେ ଭାରତ ଏକ ନୂଆ ଅଧିନାୟକଙ୍କ ସହ ସିରିଜ ଆରମ୍ଭ କରିବ । ବିଶ୍ୱକପ୍ ଜିତିବା ପରେ ଦଳର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳିଛି । ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଏହି ଗସ୍ତରୁ ବାଦ୍ ଦିଆଯାଇଛି । ସମ୍ପୂର୍ଣ୍ଣ ଭାବେ ନୂଆ ଥିବା ଗୌତମଙ୍କ ପାଇଁ ଏହି ସିରିଜ ନିହାତି ଭାବେ ମହତ୍ୱ ରଖିବ ।

ଅଧିକ ପଢ଼ନ୍ତୁ: କୋହଲିଙ୍କୁ ଚିଡ଼ାଇଲେ କ୍ଷତିରେ ପଡ଼ନ୍ତି ବିପକ୍ଷ ଖେଳାଳି!

କୋଚ୍‌ ଭାବେ ତାଙ୍କର କୌଣସି ଅଭିଜ୍ଞତା ନାହିଁ । ସେ କେବଳ ଆଇପିଏଲରେ ଦୁଇ ଦଳ ସହ ତିନୋଟି ସିଜନରେ ମୁଖ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ଦୁଇ ବର୍ଷ ରହିଥିବା ବେଳେ ଥରେ କୋଲକାତା ନାଇଟ୍ ରାଇଡର୍ସ ସହ ଚଳିତ ବର୍ଷ ଆରମ୍ଭରେ କାର୍ଯ୍ୟ କରିଛନ୍ତି ।

ତେବେ ମେଣ୍ଟର ଭାବେ ତାଙ୍କର ଭଲ ରେକର୍ଡ ରହିଛି । LSG ଆଇପିଏଲ୍ ୨୦୨୨ ଏବଂ ୨୦୨୩ ରେ ପ୍ଲେ ଅଫ୍‌ରେ ପହଞ୍ଚିଥିବା ବେଳେ କେକେଆର୍ ଦୁଇ ମାସ ପୂର୍ବରୁ ଟାଇଟଲ୍ ଜିତିଥିଲା । ତେଣୁ ଗମ୍ଭୀରଙ୍କର କୌଣସି କୋଚିଂ ଅଭିଜ୍ଞତା ନଥିବା ବେଳେ ମଧ୍ୟ ତାଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ବିଶେଷଜ୍ଞ ଗମ୍ଭୀରଙ୍କ ସପକ୍ଷରେ ମନ୍ତବ୍ୟ ଦେଇଥିବା ବେଳେ ପୂର୍ବତନ ବିଶ୍ୱ ବିଜେତା ଅଧିନାୟକ କପିଳ ଦେବ କିନ୍ତୁ ଏ ବିଷୟରେ କିଛି କହିବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି, ଯଦି ଗୌତମ ଗମ୍ଭୀର ସେହି ପଦବୀ ଗ୍ରହଣ କରୁଛନ୍ତି ତାଙ୍କୁ ଏବଂ ଦଳକୁ ଶୁଭେଚ୍ଛା ଜଣାଉଛି ଓ ଆଶା କରୁଛି ଯେ ସେମାନେ ପୂର୍ବରୁ କରିଥିବା କାର୍ଯ୍ୟ ଅପେକ୍ଷା ଭଲ କରିବେ ।

ଭାରତର ପ୍ରଶିକ୍ଷକ ଭାବରେ କପିଳଙ୍କ କାର୍ଯ୍ୟକାଳ

ଭାରତୀୟ ଦଳର ପ୍ରଶିକ୍ଷକ ଭାବେ କପିଳ ଦେବ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେ ଏକ ବର୍ଷ ପାଇଁ ଦାୟିତ୍ୱରେ ଥିଲେ । ଗତ ସେପ୍ଟେମ୍ବର ୧୯୯୯ ରୁ ସେପ୍ଟେମ୍ବର ୨୦୦୦ ପର୍ଯ୍ୟନ୍ତ ସେ ଭାରତୀୟ ଦଳର ପ୍ରଶିକ୍ଷକ ଥିଲେ । ତେବେ ତାଙ୍କ ଅଧୀନରେ ଭାରତ ଭଲ ପ୍ରଦର୍ଶନ କରିପାରିନଥିଲା । ଟେଷ୍ଟରେ ତାଙ୍କର ପ୍ରଦର୍ଶନ ଅତି ଖରାପ ଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସମସ୍ତ ମ୍ୟାଚ ହାରିଥିଲା । ଏହା ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ମ୍ୟାଚରେ ମଧ୍ୟ ପରାଜୟ ଭୋଗିଥିଲା ଭାରତ ।

ଦୀର୍ଘ ୧୨ ବର୍ଷ ପରେ ଘରୋଇ ପରିବେଶରେ ଦଳ ପରାଜୟ ଭୋଗିଥିଲା । ସେହି ସମୟରେ କପିଲଙ୍କୁ ତାଙ୍କ ପୂର୍ବତନ ସାଥୀ ମନୋଜ ପ୍ରଭାକରଙ୍କ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଚାପୁଡ଼ା ମାରିଥିଲେ । ବିଶ୍ୱ ବିଜୟୀ ଅଧିନାୟକଙ୍କ ଏପରି ଆଚରଣରେ ପୁରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଘୋଟାଲା ଓ ସିରିଜ ପରାଜୟ ଫଳରେ ତାଙ୍କୁ ପରବର୍ତ୍ତୀ ସମୟରେ କୋଚ୍ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

ଗମ୍ଭୀରଙ୍କ ପାଇଁ ଆହ୍ୱାନ

ତେବେ ଗମ୍ଭୀରଙ୍କ ନିଯୁକ୍ତି କପିଲଙ୍କ ପରି ହେବ ନାହିଁ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଭାରତ ୧୩ ବର୍ଷ ପରେ ବିଶ୍ୱକପ ବିଜୟ ସହ ୧୧ ବର୍ଷ ପରେ ଆଇସିସି ଟାଇଟଲ ହାସଲ କରିନେଇଛି । ଏଣୁ ଗମ୍ଭୀରଙ୍କ ଉପରେ ସେତେଟା ଚାପ ନାହିଁ । ଆଗାମୀ ବର୍ଷ ଚାମ୍ପିଅନ୍ସ ଟ୍ରଫି ଓ ତୃତୀୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ରହିଛି । ପରେ ୨୦୨୬ରେ ଭାରତରେ ଟି-୨୦ ବିଶ୍ୱକପ୍ ହେବ । ଚଳିତ ବର୍ଷ ଶେଷରେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ଭାରତ ।

ସୂଚନା ଅନୁସାରେ, ଶ୍ରୀଲଙ୍କା ଗସ୍ତରୁ ବାଦ୍ ପଡ଼ିଥିବା ରୋହିତ ଶର୍ମା ଓ ବିରାଟ କୋହଲି ଯଥାଶୀଘ୍ର ଦଳରେ ଯୋଗ ଦିଅନ୍ତୁ ବୋଲି ସେ ଚାହୁଁଛନ୍ତି । କାରଣ ଆସନ୍ତା ଚାମ୍ପିଅନ୍ସ ଟ୍ରଫିରେ ସେମାନଙ୍କ ଦଳରେ ଯୋଗଦାନ ଅତି ଆବଶ୍ୟକ । ଅନ୍ୟ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେଇପାରନ୍ତି ସୂର୍ଯ୍ୟକୁମାର ଯାଦବ । ଅଧିନାୟକ ଭାବେ ହାର୍ଦ୍ଦିକ ନୁହେଁ ସୂର୍ଯ୍ୟକୁମାର କାର୍ଯ୍ୟଭାର ସମ୍ଭାଳିବେ ବୋଲି ଜଣା ପଡ଼ିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now