• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ବିଶ୍ୱକପ ହକିର ଉଦଘାଟନୀ ମ୍ୟାଚରେ ରେଡ଼ ଲାୟନ ତଥା ବେଲଜିୟମ ଦଳ ବିଜୟୀ ହୋଇଛି । ଲକ୍ଷ୍ନୌରେ ଖେଳାଯାଇଥିବା ୨୦୧୬ ସଂସ୍କରଣରେ ରନର୍ସ ଅପ ଥିବା ବେଲଜିୟମ ଦଳ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରିଛି ।  ବିଶ୍ୱକପରେ ପ୍ରଥମ ମ୍ୟାଚରେ ଜିତିଛି ବେଲଜିୟମ୍ । ଏହି ମ୍ୟାଚ କୁ ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଶୁଭାରମ୍ଭ କରି ଉଭୟ ଦଳର ଖେଳାଳି ଓ ରେଫ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଥମ ମ୍ୟାଚରେ ବେଲଜିୟମ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଆଜିର ମ୍ୟାଚରେ ବେଲଜିୟମ ପୂରା ପ୍ରଭାବ ବିସ୍ତାର କରି ଖେଳିଥିବାର ଦେଖିବାକୁ ମିଲିଥିଲା । ଖେଳର ଷଷ୍ଠ ମିନିଟରେ ବେଲଜିୟମ ପ୍ରଥମ ଗୋଲ ଦେଇଥିଲା । ୧୫ ମିନିଟରେ ଦକ୍ଷିଣ ଆଫ୍ରିକା ଗୋଲ ଦେଇ ଖେଳକୁ ସମାନ ସ୍ତରକୁ ଆଣିଥିଲା । ଏହାପରେ ବେଲଜିୟମ୍ ନୂଆ ରଣନୀତି ନେଇ ପଡିଆକୁ ଓହ୍ଲାଇଥିଲା । ବେଲଜିୟମ୍ ଆଉ ୪ଟି ଗୋଲ ଦେଇ ମ୍ୟାଚରେ ବିଜୟ ହାସଲ କରିଥିଲା । ଦୁଇଟି ଗୋଲ ଦେଇଥିବା ବେଲଜିୟମର ଦୁଭେକ ରୋମାନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଛି । ଅନ୍ୟପକ୍ଷରେ ଗ୍ରୁପ ବିରେ ସ୍ଥାନ ପାଇଥିବା ଟିମ୍ ଇଣ୍ଡିଆ ଆଜି ଫ୍ରାନ୍ସକୁ ରାତି ୮ଟାରେ ଭେଟିବ ।

ତେବେ ମଧ୍ୟାହ୍ନ ୧୨ଟାରେ ଜର୍ମାନୀ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇସାରିଛି । ଅପରାହ୍ଣ ୨ଟା ୩୦ରେ ମୁହାଁମୁହିଁ ହେବେ କାନାଡା ଏବଂ ପୋଲାଣ୍ଡ ଏବଂ ସଂଧ୍ୟା ୫ଟାରେ ମାଲେସିଆ ଏବଂ ଚିଲି ମଧ୍ୟରେ କଡା ଟକ୍କର ହେବ । ବିନା ଦର୍ଶକରେ ମ୍ୟାଚ୍ ହେଉଥିବା ବେଳେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଷ୍ଟାଡିୟମ୍ ହୋଟେଲ ସବୁକିଛି ସୁରକ୍ଷା ବଳୟରେ ରହିଛି ।

ଜୁନିଅର ହକି ବିଶ୍ୱକପରେ ପୂର୍ବରୁ ଦୁଇ ଥର ଚାମ୍ପିଅନ୍‌ ହୋଇଥିବା ଭାରତ ଏଥର ଜୋରଦାର ଟକ୍କର ଦେବ ବୋଲି ହକିପ୍ରେମୀ ଆଶା ରଖିଛନ୍ତି । ମ୍ୟାଚ୍ ଲାଗି ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ମଧ୍ୟ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ୍ ଅଂଶଗ୍ରହଣ କରୁଥିବା ବେଳେ ପୁଲ୍ Bରେ ସ୍ଥାନ ପାଇଛି ଟିମ୍ ଇଣ୍ଡିଆ । ପୁଲ୍ A ପୁଲରେ ବେଲଜିୟମ୍, ଚିଲି, ମାଲେସିଆ ଏବଂ ଦକ୍ଷିଣ ଆଫ୍ରିକା ଦଳ ରହିଛନ୍ତି । ସେହିପରି ପୁଲ୍ B ପୁଲରେ ରହିଛନ୍ତି କାନାଡା, ଫ୍ରାନ୍ସ, ଭାରତ ଏବଂ ପୋଲାଣ୍ଡ। ପୁଲ୍ Cରେ ରେ ସାଉଥ କୋରିଆ, ନେଦର ଲ୍ୟାଣ୍ଡସ, ସ୍ପେନ୍ ଓ ଆମେରିକା ରହିଥିବା ବେଳେ ପୁଲ୍ Dରେ ରହିଛନ୍ତି ଆର୍ଜେଣ୍ଟିନା, ଇଜିପ୍ଟ, ଜର୍ମାନୀ ଏବଂ ପାକିସ୍ତାନ ।