/odishatv-khabar/media/post_attachments/uploadimage/library/16_9/16_9_0/Gill_1755512105.jpg)
Gill
ଯୁବ ବ୍ୟାଟର୍ ଶୁବମନ ଗିଲ୍ ଟେଷ୍ଟ ଓ ଦିନିକିଆ ଆନ୍ତର୍ଜାତିକରେ ଭାରତୀୟ ଟିମ୍ର ଅଭିନ୍ନ ଅଙ୍ଗ । ସେ ପାରମ୍ପରିକ ଫର୍ମାଟ୍ରେ ଟିମ୍ର ଅଧିନାୟକ ଆଉ ଦିନିକିଆରେ ଉପ-ଅଧିନାୟକ । ଟେଷ୍ଟ ଅଧିନାୟକ ଭାବେ ଶୁବମନ ନିଜ ପଦାର୍ପଣ ସିରିଜ୍ରେ ଜଣେ ବ୍ୟାଟର୍ ଭାବେ ରେକର୍ଡ ଭାଙ୍ଗିଥିବା ବେଳେ ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ସିରିଜ୍କୁ ୨-୨ରେ ଡ୍ର’ ରଖିଥିଲା ।
୨୦୨୩ ଦିନିକିଆ ବିଶ୍ୱକପ୍ରେ ଭାରତର ଫାଇନାଲ୍ ଯାଏଁ ଯାତ୍ରା ହେଉ ଅଥବା ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ମୁକୁଟ ବିଜୟ - ଗିଲ୍ ୫୦ ଓଭର୍ ଫର୍ମାଟ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ସେ ରୋହିତ ଶର୍ମାଙ୍କ ପରେ ଦିନିକିଆ ଟିମ୍ର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି । ତେବେ କ୍ଷୁଦ୍ରତମ ଫର୍ମାଟ୍ ‘ଟି-୨୦ ଆନ୍ତର୍ଜାତିକ’ରେ ତାଙ୍କ ସ୍ଥାନ ପକ୍କା ନୁହେଁ । ୨୦୨୪ ଟି-୨୦ ବିଶ୍ୱକପ୍ରେ ତାଙ୍କୁ ଭାରତୀୟ ଟିମ୍ରେ ସ୍ଥାନ ମିଳି ନ ଥିଲା । ତାଙ୍କୁ ଟ୍ରାଭେଲିଂ ରିଜର୍ଭ ଭାବେ ରଖାଯାଇଥିଲା । ସେ ୨୦୨୪ ଅଗଷ୍ଟ ଠାରୁ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ବି ଖେଳି ନାହାନ୍ତି ।
ଭାରତର ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ହେଉଛି ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ୍ । ୨୦୨୬ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଦୃଷ୍ଟିରୁ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଏଥର ଟି-୨୦ ଫର୍ମାଟ୍ରେ ଖେଳାଯିବ । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ଭାରତର ଟି-୨୦ ଯୋଜନାରେ ଫିଟ୍ ହେବେ କି ଗିଲ୍? ଏସିଆ କପ୍ ପାଇଁ ତାଙ୍କୁ ଟିମ୍ରେ କରାଯିବ କି ସାମିଲ୍?
ବର୍ଷେ ହେଲା ଖେଳି ନାହାନ୍ତି ଟି-୨୦ ଆନ୍ତର୍ଜାତିକ
ଗିଲ୍ ବର୍ଷେ ହେଲା ଭାରତ ପକ୍ଷରୁ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନାହାନ୍ତି । ଏହି ସମୟରେ ଅନ୍ୟ ଖେଳାଳିମାନେ ଶୀର୍ଷ କ୍ରମରେ ତାଙ୍କ ସ୍ଥାନ ଦଖଲ କରିନେଲେଣି । ଗତ ବର୍ଷ ଟି-୨୦ ବିଶ୍ୱକପ୍ ପରେ ତିନି ବରିଷ୍ଠ ଖେଳାଳି - ବ୍ୟାଟର୍ ରୋହିତ ଶର୍ମା (ତତ୍କାଳୀନ ଅଧିନାୟକ) ଓ ବିରାଟ କୋହଲି ଏବଂ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଆନ୍ତର୍ଜାତିକ କ୍ରିକେଟ୍ର କ୍ଷୁଦ୍ରତମ ଫର୍ମାଟ୍ ଛାଡ଼ିଥିଲେ । ବିଶ୍ୱକପ୍ର ଠିକ୍ ପରେ ଭାରତ ପରବର୍ତ୍ତୀ ଟି-୨୦ ସିରିଜ୍ ଜିମ୍ବାୱେ ବିପକ୍ଷରେ ଖେଳିଥିଲା । ଏଥିପାଇଁ ଗିଲ୍ଙ୍କୁ ଭାରତୀୟ ଟିମ୍ର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ଟିମ୍ ମଧ୍ୟ ଏହି ସିରିଜ୍ ଜିତିଥିଲା ।
ଏହାପରେ ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଟି-୨୦ ସିରିଜ୍ ପାଇଁ ଗିଲ୍ଙ୍କୁ ପ୍ରାୟତଃ ପୂର୍ଣ୍ଣ କ୍ଷମତାସମ୍ପନ୍ନ ଟିମ୍ର ଉପ-ଅଧିନାୟକ କରାଯାଇଥିଲା । ଏଥିରୁ ସଙ୍କେତ ମିଳିଥିଲା ଯେ କ୍ଷୁଦ୍ରତମ ଫର୍ମାଟ୍ରେ ବି ତାଙ୍କୁ ଭବିଷ୍ୟତର ଅଧିନାୟକ ଦୃଷ୍ଟିରୁ ବିଚାର କରାଯାଉଛି । ଏହାପରେ ଟେଷ୍ଟ କ୍ରିକେଟ୍କୁ ପ୍ରାଥମିକତା ଦିଆଗଲା । ଗିଲ୍ଙ୍କୁ ଭାରତର ପରବର୍ତ୍ତୀ ତିନି ଟି-୨୦ ସିରିଜ୍ (ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷ) ପାଇଁ ଟିମ୍ରେ ସାମିଲ୍ କରାଯାଇ ନ ଥିଲା । ତାଙ୍କ ଅନୁପସ୍ଥିତିରେ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ ଅକ୍ଷର ପଟେଲ୍ଙ୍କୁ ଟି-୨୦ ଟିମ୍ର ଉପ-ଅଧିନାୟକତ୍ୱ ଦିଆଯାଇଥିଲା ।
ଅନ୍ୟପଟେ, ଏହି ସମୟରେ ଭାରତୀୟ ଟିମ୍ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିଥିଲା । ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ଫାଇନାଲ୍ ଦୌଡ଼ରେ ରହିବା ଲାଗି ଏହି ସିରିଜ୍ଗୁଡ଼ିକ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । କାର୍ଯ୍ୟସୂଚୀଜନିତ ଅଡ଼ୁଆ ଏବେ ବି ରହିଛି । ସେପ୍ଟେମ୍ବର ୨୮ରେ ଏସିଆ କପ୍ର ଫାଇନାଲ୍ ମ୍ୟାଚ୍ ଶେଷ ହେବାର ଚାରି ଦିନ ପରେ ହିଁ ଭାରତ ଅକ୍ଟୋବର ୨ରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍ ଖେଳିବ । ଗିଲ୍ ଏଥିରେ ଟିମ୍ର ନେତୃତ୍ୱ ନେବେ । ଏପରି ସ୍ଥଳେ, କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ତାଙ୍କୁ ଟି-୨୦ ଟିମ୍ରୁ ବାହାରେ ରଖାଯିବ କି?
ଟିମ୍ ଇଣ୍ଡିଆର ମୁଖ୍ୟ ଲକ୍ଷ୍ୟ ହେବ ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ରେ ମୁକୁଟ ବଞ୍ଚାଇବା । ତେଣୁ ଏସିଆ କପ୍ ଭଳି ବହୁରାଷ୍ଟ୍ରୀୟ ମଞ୍ଚରେ ଭାରତର ସାମର୍ଥ୍ୟକୁ ପରଖିବା ପାଇଁ ଚୟନକାରୀମାନେ ସର୍ବଶ୍ରେଷ୍ଠ ଟିମ୍ ଚୟନ କରିବେ । ଏହି ଦୃଷ୍ଟିରୁ ଗିଲ୍ଙ୍କ ନାମ ଉପରେ ବି ବିଚାର କରାଯାଇପାରେ ।
ପ୍ରଭାବଶାଳୀ ଟି-୨୦ ଫର୍ମ
ଗିଲ୍ ବର୍ଷେ ହେଲା ଟି-୨୦ ଆନ୍ତର୍ଜାତିକ ଖେଳି ନ ଥିଲେ ବି ସେହି ସମୟରେ ଦିନିକିଆ ଓ ଟେଷ୍ଟରେ ସବୁ ସିରିଜ୍ର ଅଂଶବିଶେଷ ହୋଇଥିଲେ । ସେ ଦ୍ୁଇ ମାସ ପୂର୍ବେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ଖେଳିଥିଲେ । ଏହି ଟି-୨୦ ଟୁର୍ଣ୍ଣାମେଣ୍ଟର ପୂର୍ବ ସିଜନ୍ରେ ସେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳି ଛଅ ଅର୍ଦ୍ଧଶତକ ସହାୟତାରେ ୬୫୦ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୫୫ରୁ ଅଧିକ ଥିଲା ।
ଏହାଛଡ଼ା ଗିଲ୍ ଟାଇଟନ୍ସ ଟିମ୍ର ଅଧିନାୟକ ବି ଅଛନ୍ତି । ଏ ବର୍ଷ ତାଙ୍କ ନେତୃତ୍ୱରେ ଟିମ୍ ପ୍ଲେଅଫ୍ରେ ସ୍ଥାନ ପାଇଥିଲା । ଅବଶ୍ୟ ଟିମ୍ ଏଲିମିନେଟର୍ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରିଯାଇଥିଲା । ଏହି ଆଇପିଏଲ୍ ଫର୍ମ ଭାରତୀୟ ଟି-୨୦ ଟିମ୍କୁ ତାଙ୍କ ପ୍ରତ୍ୟାବର୍ତ୍ତନ ପଥ ପରିଷ୍କାର କରିପାରେ ।
ଟିମ୍ରେ କାହାଠୁ ମିଳୁଛି ଚାଲେଞ୍ଜ୍
ଗିଲ୍ ଏ ଯାବତ ଭାରତ ପକ୍ଷରୁ ୨୧ ଟି-୨୦ ମ୍ୟାଚ୍ ଖେଳି ପ୍ରାୟ ୧୪୦ ଷ୍ଟ୍ରାଇକ୍ ରେଟ୍ରେ ୫୭୮ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ନ୍ୟୁଜିଲାଣ୍ଡ ବିପକ୍ଷ ଶତକ ବି ରହିଛି । ସେ ଶେଷ ଥର ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଟି-୨୦ ମ୍ୟାଚ୍ରେ ଯଶସ୍ୱୀ ଜୟସ୍ୱାଲଙ୍କ ସହ ଓପନିଂ କରିବା ସହ ବ୍ୟକ୍ତିଗତ ୩୯ ରନ୍ର ଇନିଂସ୍ ଖେଳିଥିଲେ । ସେହି ମ୍ୟାଚ୍ରେ ସଞ୍ଜୁ ସାମ୍ସନ୍ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । ଟି-୨୦ ଟିମ୍ରେ ଗିଲ୍ ସାଧାରଣତଃ ଓପନିଂ କରିଥା’ନ୍ତି । ତାଙ୍କ ଅନୁପସ୍ଥିତିରେ ଅଭିଷେକ ଶର୍ମା ଓ ସଞ୍ଜୁ ସାମ୍ସନ୍ ଓପନିଂ ସ୍ଥାନ ଉପରେ ଆସ୍ଥାନ ଜମାଇଲେଣି ।
ଟି-୨୦ ଫର୍ମାଟ୍ରେ ଏବେ ଅଭିଷେକ ବିଶ୍ୱର ଏକ ନମ୍ବର ବ୍ୟାଟର୍ । ଭାରତର ଶେଷ ଟି-୨୦ ସିରିଜ୍ରେ ସେ ଇଂଲଣ୍ଡ ବିପକ୍ଷରେ ପ୍ରାୟ ୨୨୦ ଷ୍ଟ୍ରାଇକ୍ ରେଟ୍ରେ ୨୭୯ ରନ୍ କରିଥିଲେ । ଓପନିଂ ସ୍ଥାନରେ ଖେଳି ସଞ୍ଜୁ ତିନି, ଅଭିଷେକ ଦୁଇ ଓ ଯଶସ୍ୱୀ ଗୋଟିଏ ଶତକ ହାସଲ କରିଛନ୍ତି । ସଞ୍ଜୁ ବ୍ୟାଟିଂ ସହ ୱିକେଟ୍କିପିଂ ବି କରନ୍ତି । ତେଣୁ ତାଙ୍କ ଚୟନ ପ୍ରାୟତଃ ନିଶ୍ଚିତ । ଓପନିଂରେ ଦ୍ୱିତୀୟ ସ୍ଥାନ ପାଇଁ ଅଭିଷେକ ଓ ଯଶସ୍ୱୀଙ୍କ ଠାରୁ ଗିଲ୍ଙ୍କୁ ଚାଲେଞ୍ଜ୍ ମିଳିବ ।
ଗିଲ୍ଙ୍କ ଭଳି ଯଶସ୍ୱୀ ମଧ୍ୟ ବର୍ଷେ ହେଲା ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନାହାନ୍ତି । ତାଙ୍କୁ ମଧ୍ୟ ଟେଷ୍ଟ ସିରିଜ୍ ଦୃଷ୍ଟିରୁ ଟି-୨୦ ଟିମ୍ରୁ ବିଶ୍ରାମ ଦିଆଯାଇଥିଲା । ତେବେ ଏହା ପୂର୍ବରୁ ତାଙ୍କୁ ୨୦୨୪ ଟି-୨୦ ବିଶ୍ୱକପ୍ ପାଇଁ ମନୋନୀତ ଟିମ୍ରେ ବ୍ୟାକ୍ଅପ୍ ଓପନର୍ ଭାବେ ରଖାଯାଇଥିଲା । ସେତେବେଳେ ତାଙ୍କୁ ଗିଲ୍ଙ୍କ ଠାରୁ ଅଗ୍ରାଧିକାର ଦିଆଯାଇଥିଲା ।
ଏ କଥା ଭିନ୍ନ ଯେ ରୋହିତ ଓ ବିରାଟ ଇନିଂସ୍ ଓପନ୍ କରିବାରୁ ସେ ଶେଷ ଯାଏଁ ବ୍ୟାକ୍ଅପ୍ ହୋଇ ରହିଯାଇଥିଲେ । ଏହି ଦୁଇ ଭେଟେରାନ୍ ଖେଳାଳି ଅବସର ନେଇସାରିଥିବାରୁ ଏବେ ଓପନର୍ ଭାବେ ଯଶସ୍ୱୀ ଆଗଧାଡ଼ିରେ ରହିବା କଥା । କିନ୍ତୁ ବର୍ଷକ ଭିତରେ ଓପନିଂ ସ୍ଥାନ ପାଇଁ ଚାଲେଞ୍ଜ୍ ବହୁତ ବଢ଼ିଗଲାଣି ।
ଯଦି ଆଇପିଏଲ୍ ୨୦୨୫ ପ୍ରଦର୍ଶନକୁ ବିଚାରକୁ ନିଆଯିବ, ତା’ହେଲେ ଦେଖାଯାଇପାରିବ ଯେ ଗିଲ୍ ଓ ଯଶସ୍ୱୀଙ୍କ ରନ୍ ମଧ୍ୟରେ ବଡ଼ ବ୍ୟବଧାନ ନାହିଁ । ଏସିଆ କପ୍ ଟିମ୍ରେ ସଞ୍ଜୁ-ଅଭିଷେକ ଯୋଡ଼ିକୁ ଅପରିବର୍ତ୍ତିତ ରଖାଗଲେ, ଯଶସ୍ୱୀ ଓ ଗିଲ୍ଙ୍କ ମଧ୍ୟରୁ ଜଣେ ବ୍ୟାକ୍ଅପ୍ ଓପନର୍ ଭାବେ ସ୍ଥାନ ପାଇପାରନ୍ତି । ଗିଲ୍ଙ୍କ ପାଇଁ ଆଉ ଏକ ସମ୍ଭାବନା ରହିଛି, ତାଙ୍କୁ ମଧ୍ୟକ୍ରମରେ ଫିଟ୍ କରାଯାଇପାରେ; କିନ୍ତୁ ସେଠାରେ ବି ଚାଲେଞ୍ଜ୍ କମ୍ ନୁହେଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)