• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଇପିଏଲର ଚଳିତ ସିଜନରେ ଖେଳାଳିଙ୍କ ଉପରେ ବର୍ଷିଲା ଟଙ୍କା । କୋଟି କୋଟି ଟଙ୍କାରେ ବିକ୍ରି ହେଲେ ଖେଳାଳି । ବେଙ୍ଗଳୁରୁରେ ୨ ଦିନିଆ ମେଗା ନିଲାମୀ ଅନୁଷ୍ଠିତ ହୋଇଥିବା ବେଳେ, ସବୁଠାରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ଓ୍ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍ ଇଶାନ କିଶନ । ତେବେ ନଜର ପକାନ୍ତୁ କେଉଁ ଟିମକୁ ଗଲେ କେଉଁ ଖେଳାଳି ? 

ଦୁଇ ଦିନର ଆଇପିଏଲ୍ ନିଲାମୀରେ ମୋଟ ୨୦୪ ଖେଳାଳିଙ୍କୁ ୫୫୧ କୋଟି ୭୦ ଲକ୍ଷ ଟଙ୍କାରେ କିଣିଛନ୍ତି ଆଇପିଏଲର ୧୦ଟି ଟିମ୍ । ନିଲାମୀରେ ସବୁଠାରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ଓ୍ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍ ଇଶାନ କିଶନ । ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଶନଙ୍କୁ ୧୫ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ୨୦୨୦ ଆଇପିଏଲର ଦଳ ପାଇଁ ରନ୍ ମେସିନ୍ ସାଜିଥିବା ଈଶାନଙ୍କୁ ମୁମ୍ବାଇ କୌଣସି ହାଲତରେ ହାତଛଡ଼ା କରିବାକୁ ଚାହୁଁନଥିଲା । ତେଣୁ ୨ କୋଟି ବେସ୍ ପ୍ରାଇସ୍ ଥିବା ଈଶାନଙ୍କୁ ପଞ୍ଜାବ, ଗୁଜରାଟ ଓ ହାଇଦ୍ରାବାଦ୍ ସହ ପ୍ରତିଦ୍ୱନ୍ଦିତା କରି ନିଲାମୀ ଡାକିଥିଲା ।

ସେହିପରି ଅଲ୍ରାଉଣ୍ଡର୍ ଦୀପକ ଚହର ବି ବନିଥିଲେ ଅନ୍ୟତମ ଦାମୀ ଖେଳାଳି । ତାଙ୍କୁ ୧୪ କୋଟି ଟଙ୍କାରେ କିଣିଛି ତାଙ୍କ ପୁରୁଣା ଦଳ ଚେନ୍ନାଇ ସୁପର୍ କିଙ୍ଗ୍ସ । ଅନ୍ୟପଟେ ପଂଜାବ କିଂଗସ୍ ଅର୍ଥ ଅଜାଡି ଦେଇଥିଲା ଇଂଲିଶ ଖେଳାଳି ଲିଆମ୍ ଲିଭିଙ୍ଗଷ୍ଟୋନଙ୍କ ଉପରେ । ନିଲାମୀର ଦ୍ୱିତୀୟ ଦିନରେ ୧୧ କୋଟି ୫୦ ଲକ୍ଷ ଟଙ୍କାରେ ତାଙ୍କୁ କିଣିଥିଲା ପଞ୍ଜାବ । ସେହିପରି ଜୋଫ୍ରା ଆର୍ଚରଙ୍କୁ ୮ କୋଟି ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ୍ । ଈଶାନ୍ ଓ ଚହରଙ୍କ ବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି କିଛି ପ୍ରମୁଖ ଖେଳାଳି । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲର ନେତୃତ୍ୱ ନେଉଥିବା ବ୍ୟାଟ୍ସମ୍ୟାନ୍ ଶ୍ରେୟାସ୍ ଆୟାରଙ୍କୁ ୧୨ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ୍ ।

ପେସ୍ ବୋଲର୍ ହର୍ଷଲ ପଟେଲ ଓ ଶ୍ରୀଲଙ୍କାର ଅଲ୍ ରାଉଣ୍ଡର୍ ଓ୍ୱାନିନ୍ଦୁ ହସରଙ୍ଗାଙ୍କୁ ଆରସିବି ଏବଂ ୱେଷ୍ଟ୍ ଇଣ୍ଡିଜ୍ ଖେଳାଳି ନିକୋଲାସ୍ ପୁରନଙ୍କୁ ହାଇଦ୍ରାବାଦ ୧୦ କୋଟି ୭୫ ଲକ୍ଷରେ କିଣିଛନ୍ତି । ସେହିପରି ବୋଲର୍ ପ୍ରସିଦ୍ଧ କ୍ରିଷ୍ନାଙ୍କୁ ରାଜସ୍ଥାନ ରୟାଲ୍ସ ଏବଂ ନ୍ୟୁଜିଲ୍ୟାଣ୍ଡ୍ ବୋଲର୍ ଲୋକି ଫର୍ଗୁସନଙ୍କୁ ଗୁଜରାଟ୍ ଟାଇଟନ୍ସ ୧୦ କୋଟି ଟଙ୍କାରେ କିଣିଛନ୍ତି ।

ଆଇପିଏଲ୍ ହାଟରେ ଦେଖିବାକୁ ମିଳିଥିଲା ଯୁବ କ୍ରିକେଟରଙ୍କ କ୍ରେଜ୍ । ବିଶ୍ୱ ଚାଂପିଅନ୍ ଭାରତୀୟ ଅଣ୍ଡର ନାଇଣ୍ଟିନ୍ ଟିମର ଖେଳାଳି କୋଟି କୋଟି ଟଙ୍କାରେ ବିକ୍ରି ହୋଇଥିଲେ । ଅଣ୍ଡର୍ ନାଇଣ୍ଟିନ ବିଶ୍ୱକପ୍ର ହିରୋ ରାଜ୍ ବାଓ୍ୱାଙ୍କୁ ୨ କୋଟିରେ କିଣିଥିଲା ପଂଜାବ । ଏହି ଅଲରାଉଣ୍ଡର ୧୯ ବର୍ଷରୁ କମ୍ ବିଶ୍ୱକପ୍ରେ ୬୩ ଆଭରେଜରେ ୨୫୨ ରନ୍ କରିବା ସହିତ ଫାଇନାଲରେ ନେଇଥିଲେ ୫ଟି ଓ୍ୱିକେଟ୍ । ସେହିପରି ଅଲରାଉଣ୍ଡର ରାଜବର୍ଦ୍ଧନ ହଙ୍ଗରଗେକରଙ୍କୁ ଦେଢ଼ କୋଟିରେ କିଣିଛି ଚେନ୍ନାଇ । ଅଣ୍ଡର ନାଇଣ୍ଟିନ୍ ଟିମର କ୍ୟାପଟେନ ୟଶ୍ ଧୁଲଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଗରୁ ଅଣ୍ଡର୍ ନାଇଣ୍ଟିନ୍ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକାର ଷ୍ଟାର୍ ଦେଓ୍ୱାଲଡ୍ ବ୍ରେଭିସଙ୍କୁ ୩ କୋଟିରେ କିଣିଥିଲା ମୁମ୍ବାଇ । ବିସ୍ଫୋରକ ବ୍ୟାଟିଂ ପାଇଁ ବେବି ଏବି ଭାବେ ଜଣାଶୁଣା ବ୍ରେଭିସ୍ ଟୁର୍ଣ୍ଣାମେଣ୍ଟର ଥିଲେ ଟପ୍ ସ୍କୋରର୍ ।

ସେପଟେ ଏଥର ଆଇପିଏଲରେ ଓଡ଼ିଆ କ୍ରିକେଟର୍ ଶୁଭ୍ରାଂଶୁ ସେନାପତିଙ୍କୁ ଦେଖିବାକୁ ମିଳିବ । ଓଡ଼ିଶା ରଣଜୀ ଟିମ୍ର କ୍ୟାପଟେନ୍ ଶୁଭ୍ରାଂଶୁଙ୍କୁ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର୍ କିଙ୍ଗ୍ସ । ୨୫ ବର୍ଷୀୟ ଶୁଭ୍ରାଂଶୁ ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିଲେ । ପରେ ତାଙ୍କୁ CSK ପକ୍ଷରୁ ନେଟ୍ସରେ ଟ୍ରାଏଲ୍ ପାଇଁ ଡକାଯାଇଥିଲା । CSK କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ତାଙ୍କ ବ୍ୟାଟିଂଦେଖି ପ୍ରଭାବିତ ହୋଇଥିବା ଚର୍ଚ୍ଚା ହୋଇଥିଲା । ଚେନ୍ନାଇ ତାଙ୍କୁ କିଣିବା ପରେ ଖୁସିରେ ସାଙ୍ଗମାନଙ୍କ ସହିତ ନାଚି ଉଠିଥିଲେ ଶୁଭ୍ରାଂଶୁ । ଏହାପୂର୍ବରୁ ଓଡ଼ିଆ କ୍ରିକେଟ୍ର ହଳଧର ଦାସ, ପ୍ରଜ୍ଞାନ ଓଝା, ଅଭିଷେକ ରାଉତ ଓ ବିପ୍ଳବ ସାମନ୍ତରାୟ ଆଇପିଏଲ୍ ଖେଳିସାରିଛନ୍ତି ।