ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୫ ତମ ସଂସ୍କରଣ ବା ୨୦୨୨ ଆଇପିଏଲ ପାଇଁ ଦଳ ଗୁଡ଼ିକ ବିସିସିଆଇ ପାଖକୁ ରିଟେନ୍ସନ୍ ଓ ରିଲିଜ୍ କରିଥିବା ଖେଳାଳିଙ୍କ ତାଲିକା ପଠାଇ ସାରିଛନ୍ତି । ଏହି ସମସ୍ତ ତାଲିକା ପାଇବା ପରେ ବିସିସିଆଇ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଏହି ତାଲିକା ପଠାଇବାର ଶେଷ ତାରିଖ ଥିଲା ।
ତେବେ ବିସିସିଆଇ ଯେଉଁ ବିଜ୍ଞପ୍ତି ପ୍ରକାଶ କରିବ ସେଥିରେ ବିଭିନ୍ନ ଦଳ କରିଥିବା ଖର୍ଚ୍ଚର ପରିମାଣ ମଧ୍ୟ ଲେଖାଥିବ । ଯଦି କୌଣସି ଦଳ ୪ ଜଣ ଖେଳାଳିଙ୍କୁ ରିଟେନ୍ କରେ ତେବେ ତାକୁ ୪୨ କୋଟି ଟଙ୍କା କ୍ଷତି ସହିବାକୁ ହେବ । ସେହିଭଳି ତିନି ଜଣ ଖେଳାଳିଙ୍କୁ ରିଟେନ୍ କଲେ ଏହି ରାଶି ହ୍ରାସ ପାଇ ୩୩ କୋଟି ଟଙ୍କା ହେବ । ଯଦି କୌଣସି ଖେଳାଳି ମାତ୍ର ଦୁଇ ଜଣ ଖେଳାଳିଙ୍କୁ ରିଟେନ୍ କରେ ତେବେ ତାକୁ ୨୪ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ । ଠିକ୍ ସେହିଭଳି ଯଦି କୌଣସି ଦଳ ଜଣେ ଖେଳାଳିଙ୍କୁ ରିଟେନ୍ କରେ ତେବେ ତାକୁ ୧୪ କୋଟି ଟଙ୍କା ଦେବାକୁ ପଡ଼ିବ ।
Also Read
ଗୋଟିଏ ପଟେ ଏହି ତାଲିକା ବିଷୟରେ ଜାଣିବା ପାଇଁ ଫ୍ୟାନ୍ସମାନେ ଚାତକ ଭଳି ଚାହିଁ ରହିଥିବା ବେଳେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ନିଜ ତରଫରୁ ଚାରି ଜଣ ଖେଳାଳି ବାଛିଛନ୍ତି । ଷ୍ଟାର ସ୍ପୋର୍ଟସ ସହିତ ଆଲୋଚନା ବେଳେ ସେ, ରିତୁରାଜ ଗାଇକୱାଡ, ରବିନ୍ଦ୍ର ଜାଡେଜା, ଫାଫ ଡୁ ପ୍ଲେସିସ୍ ଏବଂ ସାମ କରନଙ୍କ ନାଁ କହିଛନ୍ତି । ଏହି ଚାରି ଖେଳାଳିଙ୍କୁ ସେ ରିଟେନ୍ ତାଲିକାରେ ରଖିଛନ୍ତି ।
ତେବେ ଗମ୍ଭୀର କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ରିଟେନ୍ ତାଲିକାରେ ସ୍ଥାନ ଦେଇ ନାହାଁନ୍ତି । ୪ ରିଟେନ୍ ଖେଳାଳିଙ୍କ ତାଲିକାରେ ଧୋନିଙ୍କ ନା ରଖିନାହାନ୍ତି ଗମ୍ଭୀର । ହେଲେ ଏହା ପଛରେ କ’ଣ କାରଣ ଥାଇପାରେ ତାହା ଅସ୍ପଷ୍ଟ । କିନ୍ତୁ ସବୁଠାରୁ ବଡ଼ କଥା ହେଲା ସିଏସ୍କେ ଅଧିନାୟକଙ୍କ ରିଟେନ୍ ହେବାର ସମ୍ଭାବନା ସବୁଠୁ ଅଧିକ । କାରଣ ଧୋନି ଆଗାମୀ ଆଇପିଏଲ୍ ଖେଳିବେ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି । ଧୋନି CSKର ସବୁଠାରୁ ଅଧିକ ଟଙ୍କା ନେଉଥିବା ଖେଳାଳିଙ୍କ ମଧ୍ୟରୁ ଜଣେ ।
ତେବେ ଦଳରେ ରିତୁରାଜ ଗାଇକୱାଡ ଏବଂ ରବିନ୍ଦ୍ର ଜାଡେଜା ରିଟେନ୍ ହେଉଥିବା ପ୍ରାୟତଃ ସ୍ଥିର ହୋଇସାରିଛି । ଅବଶିଷ୍ଟ ଗୋଟିଏ ସ୍ଥାନ ପାଇଁ ସାମ୍ କରନ, ଫାଫ୍ ଡୁ ପ୍ଲେସିସ୍ ଏବଂ ମୋଇନ୍ ଅଲିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ । ଗୋଟିଏ ଦଳ ସର୍ବାଧିକ ୨ ଜଣ ବିଦେଶୀ ଖେଳାଳିଙ୍କୁ ରିଟେନ୍ କରିପାରିବାର ବ୍ୟବସ୍ଥା ରହିଛି ।
ରିଟେନ୍ ଓ ରିଲିଜ୍ ତାଲିକା ବିଦ୍ଧିବଦ୍ଧ ଭାବେ ପ୍ରକାଶ ପାଇବା ପୂର୍ବରୁ ଇଏସ୍ପିଏନ୍ କ୍ରିକ୍ ଇନ୍ଫୋର ତଥ୍ୟ ଅନୁଯାୟୀ, ଚେନ୍ନାଇ ସୁପର କିଙ୍ଗ୍ସ ଧୋନି, ଜାଡେଜା, ଗାଇକୱାଡ ଏବଂ ମୋଇନଙ୍କୁ ରିଟେନ୍ କରି ସାରିଛି । ରିତୁରାଜ ଗାଇକୱାଡ୍ ଆଇପିଏଲ୍ ୨୦୨୧ରେ ୬୩୫ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ ଜିତି ଥିବାବେଳେ ମୋଏନ୍ ଅଲି ମଧ୍ୟ ନିଜର ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଦଳର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଅଛନ୍ତି । ସେ ଅତି କମରେ ଆଉ ଗୋଟିଏ ସିଜିନରେ ଦଳ ସହ ଖେଳିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । କିଛି ଦିନ ପୂର୍ବରୁ ଧୋନି ଏକ କାର୍ଯ୍ୟକ୍ରମରେ କହିଥିଲେ, ସେ ନିଜର ଶେଷ ଟି-ଟ୍ୱେଣ୍ଟି ଚେନ୍ନାଇରେ ଖେଳିବେ ।