• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଜୟରୁ ଆରମ୍ଭ ହୋଇଥିବା ଅଭିଯାନ ବିଜୟରେ ସରିଲା । ଆଇପିଏଲ୍-୨୦୨୨ର ବିଜେତା ହୋଇଛି ଗୁଜରାଟ ଟାଇଟନ୍ସ । ଗତକାଲି ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍‌ରେ ମାତ୍ ଦେଇଛି । ପ୍ରଥମେ ବ୍ୟାଟିଂ କରି ୧୩୧ ରନ୍‌ର ଲୋ ସ୍କୋର ଟାର୍ଗେଟ ଦେଇଥିଲା ରାଜସ୍ଥାନ । ଏହାର ପିଛା କରି ଗୁଜରାଟ ୨୩ ରନ୍‌ରେ ୨ଟି ଓ଼୍ବିକେଟ୍ ହରାଇଥିଲା ।

ତେବେ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶୁବମନ୍ ଗିଲ୍‌ଙ୍କ ୬୩ ରନ୍‌ର ପାଟନରସିପ୍ ଟିମ୍‌କୁ ବିଜୟ ଯାଏଁ ପହଞ୍ଚାଇଥିଲା । ଶୁବମନ୍ ଶେଷ ବଲ୍‌ରେ ଛକା ମାରି ମ୍ୟାଚ୍‌କୁ ଜିତି ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଚଳିତ୍ ଥର ଡେବ୍ୟୁ କରିଥିଲା ଗୁଜରାଟ । ତାସହ ପାଣ୍ଡ୍ୟାଙ୍କ ଜବରଦସ୍ତ ପ୍ରଦର୍ଶନ ଚଳିତ ଥର ଗୁଜରାଟକୁ ଏକ ନମ୍ବର ସ୍ଥାନରେ ପହଞ୍ଚାଇଛି । ଫାଇନାଲ୍ ମ୍ୟାଚ୍‌ରେ ବି ପାଣ୍ଡ୍ୟା ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବିତ କରିଛନ୍ତି । ୩୪ ରନ୍ର ଦ୍ରୁତ ବ୍ୟାଟିଂ ଓ ୩ଟି ଓ଼୍ବିକେଟ୍ ନିଜ ନାଁରେ କରିଛନ୍ତି ପାଣ୍ଡା । ଏହି ସିଜନ୍‌ରେ ଡେବ୍ୟୁ କରିଥିବା ଗୁଜରାଟ ପ୍ରଥମ ମ୍ୟାଚ୍‌ରୁ ପ୍ରଭାବଶାଳୀ ଥିଲା ।

ସୁପର ସନ୍‌ଡେରେ ହୋଇଥିଲା ସୁପର ଫାଇନାଲ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ହୋଇଥିଲା ଆଇପିଏଲ୍‌ର ଗ୍ରାଣ୍ଡ ଫିନାଲେ । ସାମ୍ନାସାମ୍ନି ହୋଇଥିଲେ ଚଳିତ ଥରର ଦୁଇ ହେଭିେୱେଟ୍ ଟିମ୍ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ । ୨୦୦୮ ଆଇପିଏଲ୍ ସିଜିନ୍ ୱାନ୍‌ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିଥିଲା ଏଥର ନୂଆ କରି ସାମିଲ ହୋଇଥିବା ଟିମ୍ ଗୁଜରାଟ ଟାଇଟନ୍ସ । ଟସ୍‌ ଜିତି ରାଜସ୍ଥାନ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ।

ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ୍‌ ହରାଇ ୧୩୦ ରନ୍‌ କରିଥିଲା । ରାଜସ୍ଥାନ ପକ୍ଷରୁ ଜସ୍‌ ବଟଲର୍‌ ସର୍ବାଧିକ ୩୯ ରନ୍‌ କରିଥିବା ବେଳେ ଜେସୱାଲ ୨୨ ରନ୍‌ କରିଥିଲେ । ରାଜସ୍ଥାନର ମିଡିଲ୍‌ ଓଭର୍‌ରେ ୱିକେଟ୍‌ ହରାଇବାରୁ ଟିମ୍‌ ୧୩୦ ରନ୍‌ରେ ସୀମିତ ହୋଇଯାଇଥିଲା । ଗୁଜରାଟ ପକ୍ଷରୁ କ୍ୟାପ୍ଟେନ୍‌ ହାର୍ଦ୍ଦିକ ପାଣ୍ତ୍ୟା ୩ଟି ୱିକେଟ୍‌ ନେଇଥିଲେ ।

ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଉପସ୍ଥିତରେ ଏହି ମହା ମୁକାବିଲା ଖେଳାଯାଇଥିଲା । ଫାଇନାଲ୍‌ରେ ଗ୍ରାଣ୍ତ ଓପ୍‌ନିଙ୍ଗ ଦେଖିବାକୁ ମିଳିଥିଲା । ପ୍ରସିଦ୍ଧ ଗାୟକ ଏ ଆର୍‌ ରେହମାନ ଓ ଅଭିନେତା ରଣବୀର ସିଂ ଫାଇନାଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।