• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

କଡ଼ ଲେଉଟାଉଛି କ୍ରିକେଟ ଜଗତ । ଅନ୍ତର୍ଜାତୀୟ କ୍ରିକେଟରଙ୍କ ପାଇଁ ବର୍ଷ ୨୦୨୪ ପାଲଟିଛି ଅବସର ଘୋଷଣାର ବର୍ଷ । ଚଳିତ ବର୍ଷ ଏଯାବତ ୨୨ଜଣ ଷ୍ଟାର କ୍ରିକେଟର କ୍ରିକେଟରୁ ସଂପୂର୍ଣ୍ଣ କିମ୍ବା ନିର୍ଦ୍ଦିଷ୍ଟ କିଛି ଫର୍ମାଟକୁ ବାଏ ବାଏ କହିସାରିଲେଣି । ଏହି ତାଲିକାରେ ଅନେକ ଭାରତୀୟ ଷ୍ଟାର ଖେଳାଳିଙ୍କ ନାମ ଥିବାବେଳେ, ତାଲିକା ଆହୁରି ବଢ଼ିବା ନେଇ ଅନୁମାନ କରାଯାଉଛି । ନିକଟ ଭବିଷ୍ୟତରେ ବିଶ୍ୱ କ୍ରିକେଟର ଏକାଧିକ କ୍ରିକେଟ ହେଭିୱେଟ୍ ନିଜର କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

ବର୍ଷ ୨୦୨୩ ଥିଲା କ୍ରିକେଟ କିମ୍ବଦନ୍ତୀଙ୍କ ଅକସ୍ମାତ ଅବସର ଘୋଷଣାର ବର୍ଷ । ପ୍ରଥମେ ଇଂଲିଶ ବୋଲର ଷ୍ଟୁଆର୍ଟ ବ୍ରଡ ଆସେସ ୨୦୨୩ ସମୟରେ ହଠାତ୍ ଅବସର ଘୋଷଣା କରି ଇଂଲିଶ ଫ୍ୟାନ୍ସଙ୍କୁ ଆଚମ୍ବିତ କରିଥିଲେ । କାରଣ ଜେମ୍ସ ଆଣ୍ଡରସନଙ୍କ ପରେ ବ୍ରଡ ସନ୍ୟାସ ନେବେ ବୋଲି ଆଶା କରଯାଉଥିଲା । ମାତ୍ର ଆଣ୍ଡରସନଙ୍କ ପୂର୍ବରୁ ବ୍ରଡ ପ୍ରଥମେ ସନ୍ୟାସ ଘୋଷଣା କରିବାରୁ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।  

ସେହିପରି ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର କ୍ୱିଣ୍ଟନ ଡିକକ୍ ICC କ୍ରିକେଟ ବିଶ୍ୱକପ ୨୦୨୩ ପରେ ଏକଦିବସୀୟ କ୍ରିକେଟକୁ ବାଏ ବାଏ କହିଥିଲେ । ଏହି ନିଷ୍ପତ୍ତି ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ୨୦୨୩ ପରି ୨୦୨୪ରେ ମଧ୍ୟ ଅବସର ଘୋଷଣା ପରମ୍ପରା ଲାଗି ରହିଛି । ବିଶେଷ କରି ଟେଷ୍ଟ କ୍ରିକେଟ ଫ୍ୟାନ୍ସଙ୍କୁ ଲାଗିଥିଲା ବଡ଼ ଝଟକା । ଅଷ୍ଟ୍ରେଲୀୟ ଓପନର ଡେଭିଡ୍ ୱାର୍ଣ୍ଣର ଓ ଦକ୍ଷିଣ ଆଫ୍ରିକୀୟ ଓପନର ଡିନ ଏଲଗାର ଜାନୁଆରୀ ପ୍ରଥମ ସପ୍ତାହରେ କ୍ରିକେଟର ଲମ୍ବା ଫର୍ମାଟକୁ ଗୁଡବାଏ କହିଥିଲେ । ସେହିପରି କ୍ରିକେଟ ଜଗତ ଦୁଇଟି ବଡ଼ ନାଁ ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟକୁ ବିଦାୟ କହିସାରିଛନ୍ତି ।

ଏହିକ୍ରମରେ ଚଳିତ ବର୍ଷ ମଧ୍ୟ ଅନେକ ସଫଳତମ କ୍ରିକେଟରଙ୍କ କ୍ରିକେଟ କ୍ୟାରିୟର ଶେଷ ହୋଇଛି । ନଜର ପକାନ୍ତୁ ବର୍ଷ ୨୦୨୪ରେ ଅବସର ଘୋଷଣା କରିଥିବା କିଛି କ୍ରିକେଟରଙ୍କ ତାଲିକା ଉପରେ...
ଡିନ ଏଲଗାର (ସମସ୍ତ ଫର୍ମାଟ)
ଦକ୍ଷିଣ ଆଫ୍ରିକା ପାଇଁ ୮୬ଟି ଟେଷ୍ଟ, ୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଭେଟେରାନ ଓପନର ଡିନ ଏଲଗାର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଭାରତ ବିପକ୍ଷରେ କେପଟାଉନରେ ସେ ଖେଳିଥିଲେ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍ । ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଭାବେ ବର୍ଷ ୨୦୨୪ରେ ଅବସର ଘୋଷଣା କରିଥିଲେ ଏଲଗାର । ୮୬ଟି ଟେଷ୍ଟରୁ ସେ ୩୭.୯୨ ଆଭରେଜରେ ୫୩୪୭ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୧୪ଟି ଶତକୀୟ ଇଂନିସ ଓ ୨୩ଟି ଅର୍ଦ୍ଧଶତକୀୟ ଇଂନିସ ସାମିଲ ରହିଛି । ୧୮ଟି ଟେଷ୍ଟ ମ୍ୟାଚରେ ସେ ଦକ୍ଷିଣ ଆଫ୍ରିକାର ଅଧିନାୟକତ୍ୱ ମଧ୍ୟ କରିଛନ୍ତି ।

ଡେଭିଡ ୱାର୍ଣ୍ଣର (ସମସ୍ତ ଫର୍ମାଟ)
ଭେଟେରାନ ଅଷ୍ଟ୍ରେଲୀୟ ଓପନର ୱାର୍ଣ୍ଣର ପ୍ରଥମେ ଟେଷ୍ଟ ଓ ପରେ ଦିନିକିଆ କ୍ରିକେଟକୁ ଅଲବିଦା କହିଛନ୍ତି । ୧୯ ନଭେମ୍ବର ୨୦୨୩ରେ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ ସେ ଭାରତ ବିପକ୍ଷରେ ଖେଳିଥିଲେ । ଏହା ଥିଲା ତାଙ୍କର ଶେଷ ଦିନିକିଆ ମ୍ୟାଚ୍ । ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ୱାର୍ଣ୍ଣର ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ମଧ୍ୟ ସନ୍ୟାସ ନେଇଥିଲେ । ୧୧୨ଟି ଟେଷ୍ଟରୁ ୱାର୍ଣ୍ଣରଙ୍କ ନାଁରେ ରହିଛି ୮୭୮୬ ରନ୍ । ଦିନିକିଆରେ ୧୬୧ ମ୍ୟାଚ୍ ଖେଳିଥିବାବେଳେ ଭେଟେରାନ ଓପନର ୬୯୩୨ ରନ ସଂଗ୍ରହ କରିଛନ୍ତି ।   

ହେନରିଚ୍ କ୍ଲାସନ (ଟେଷ୍ଟ)
ଦକ୍ଷିଣ ଆଫ୍ରିକୀୟ ୱିକେଟ କିପର ବ୍ୟାଟର ହେନେରିଚ କ୍ଳାସନ ମଧ୍ୟ ୨୦୨୪ରେ ଟେଷ୍ଟ କ୍ରିକେଟକୁ ବାଏ ବାଏ କହିଛନ୍ତି । ଜାନୁଆରୀ ୮ରେ କ୍ଲାସନ ଅବସର ଘୋଷଣା କରିଥିଲେ । ଅକ୍ଟୋବର ୨୦୧୯ରେ ଭାରତ ବିପକ୍ଷରେ ସେ ଟେଷ୍ଟ ଡେବ୍ୟୁ କରିଥିଲେ ।
ସୌରଭ ତିୱାରୀ (ସମସ୍ତ ଫର୍ମାଟ)
ବାମହାତୀ ଝାଡ଼ଖଣ୍ଡ ବ୍ୟାଟର ସୌରଭ ତିୱାରୀ ଚଳିତ ବର୍ଷ ଫେବ୍ରୁଆରୀରେ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କରିଛନ୍ତି । ଏଥିସହିତ ନିଜର ୧୭ ବର୍ଷର କ୍ରିକେଟ କ୍ୟାରିୟରକୁ ଶେଷ କରିଛନ୍ତି । ଶେଷଥର ପାଇଁ ସେ ମୁମ୍ବାଇ ଇଣ୍ଡିନ୍ସ ପକ୍ଷରୁ ଆଇପିଏଲ ଖେଳିଥିଲେ । ଭାରତ ପାଇଁ ତିନୋଟି ଦିନିକିଆ ମ୍ୟାଚ ଖେଳିଥିବାବେଳେ ଆଇପିଏଲରେ ଖରାପ ପ୍ରଦର୍ଶନ କାରଣରୁ ଜାତୀୟ ଦଳରେ ଆଉ ସୁଯୋଗ ମିଳିନଥିଲା ।
ବରୁଣ ଆରୋନ (ସମସ୍ତ ଫର୍ମାଟ)
ଦ୍ରୁତ ବୋଲର ବରୁଣ ଆରୋନ ଚଳିତ ବର୍ଷ ଫେବ୍ରୁଆରୀରେ ପ୍ରଥମ ଶ୍ରେଣୀ କ୍ରିକେଟରୁ ବିଦାୟ ନେଇଥିଲେ । ବର୍ଷ ୨୦୧୧ରୁ ୨୦୧୫ ମଧ୍ୟରେ ସେ ଭାରତ ପାଇଁ ୯ଟି ଟେଷ୍ଟ ଖେଳି ୧୮ଟି ୱିକେଟ ନିଜ ନାମରେ କରିଛନ୍ତି ।

ନେଲ ୱାଗନର (ସମସ୍ତ ଫର୍ମାଟ)
ନ୍ୟୁଜିଲାଣ୍ଡର ବାମହାତୀ ଦ୍ରୁତ ବୋଲର ନେଲ ୱାଗନର ଚଳିତ ବର୍ଷ ଆରମ୍ଭରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ କହିଛନ୍ତି । ନ୍ୟୁଜିଲାଣ୍ଡ ପାଇଁ ସେ ୬୪ଟି ଟେଷ୍ଟ ଖେଳିଥିବାବେଳେ ୨୬୦ ୱିକେଟ ହାସଲ କରିଛନ୍ତି । ୨୦୨୧ରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ବାରତକୁ ହରାଇଥିବା କିୱି ଏକାଦଶର ପରମୁଖ ସଦସ୍ୟ ରହିଥିଲେ ୱାଗନର ।

କଲିନ ମନରୋ (ସମସ୍ତ ଫର୍ମାଟ)
୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିବା ପରେ ନ୍ୟୁଜିଲାଣ୍ଡ ଓପନର କଲିନ ମନରୋ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଶେଷ କରିଛନ୍ତି । ୨୦୨୦ରେ ସେ ଶେଷ ୬୫ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲେ । ୫୭ଟି ଦିନିକିଆ ଓ ଗୋଟିଏ ଟେଷ୍ଟ ମ୍ୟାଚ୍ ମଧ୍ୟ ସେ ଖେଳିଛନ୍ତି ।

ଦିନେଶ କାର୍ତ୍ତିକ (ସମସ୍ତ ଫର୍ମାଟ)
ଭେଟେରାନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ଆଇପିଏଲ ସମେତ ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି । ୩୯ ବର୍ଷୀୟ ଷ୍ଟାର ବ୍ୟାଟର ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିବା ପରେ ଅବସର ଘୋଷଣା କରିଥିଲେ । କାର୍ତ୍ତିକ ୯୪ଟି ଦିନିକିଆ, ୬୦ଟି ଟି-ଟ୍ୱେଣ୍ଟି ଓ ୨୬ଟି ଟେଷ୍ଟ ଭାରତ ପାଇଁ ଖେଳିଛନ୍ତି । ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ୨୫୬ଟି ଆଇପିଏଲ ମ୍ୟାଚ ମଧ୍ୟ ଖେଳିଛନ୍ତି କାର୍ତ୍ତିକ । ଆଇପିଏଲର ସମସ୍ତ ସଂସ୍କରଣରେ ଖେଳିଥିବା ଖେଳାଳିଙ୍କ ମଧ୍ୟରେ କାର୍ତ୍ତିକ ଅନ୍ୟତମ ।
କେଦାର ଯାଦବ (ସମସ୍ତ ଫର୍ମାଟ)
୩୯ ବର୍ଷୀୟ କେଦାର ଯାଦବ ଚଳିତ ମାସ ଜୁନ ମାସରେ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ଭାରତ ପାଇଁ ୭୩ଟି ଦିନିକିଆ, ୯ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି ।

ଡେଭିଡ ୱାଇଜ (ସମସ୍ତ ଫର୍ମାଟ)

ଅଲରାଉଣ୍ଡର ଡେଭିଡ ୱାଇଜ୍ ଦୁଇଟି ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି । ଦକ୍ଷିଣ ଆଫ୍ରିକା ଓ ନାମ୍ବିଆ । ୫୪ଟି ଟି-ଟ୍ୱେଣ୍ଟି ଓ ୧୫ଟି ଦିନିକିଆ ମ୍ୟାଚ୍ ଖେଳିଥିବା ୱାଇଜ୍ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୪ ପରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଥିଲେ । 

ସିବ୍ରଣ୍ଡ୍ ଏନଜଲବ୍ରେଟ୍ (ସମସ୍ତ ଫର୍ମାଟ)
ନେଦରଲ୍ୟାଣ୍ଡସର ବ୍ୟାଟର ସିବ୍ରଣ୍ଡ୍ ଏନଜଲବ୍ରେଟ୍ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୪ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ୨୦୨୩ରେ ଡେବ୍ୟୁ କରିବା ପରେ ନେଦରଲ୍ୟାଣ୍ଡସ ପାଇଁ ସେ ୧୨ଟି ଦିନିକିଆ ଓ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି ।

ବ୍ରାଏନ ମାସାବା (ଟି-ଟ୍ୱେଣ୍ଟି)
ଉଗାଣ୍ଡାର କ୍ୟାପଟେନ ବ୍ରାଏନ ମାସାବା ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୨ରେ ଟିମର ଶୋଚନୀୟ ପ୍ରଦର୍ଶନ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ନିଜ କ୍ୟାରିୟରରେ ଏହି ଷ୍ଟାର ଅଲରାଉଣ୍ଡର ମୋଟ ୬୩ଟି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି ।

ବିରାଟ କୋହଲି (ଟି-ଟ୍ୱେଣ୍ଟି)
ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ମ୍ୟାଚରେ ୨୦୨୪ରେ ମ୍ୟାନ ଅଫ ଦ ମ୍ୟାଚ୍ ଆୱାର୍ଡ ଗ୍ରହଣ କରିବା ସମୟରେ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟର ଛୋଟ ଫର୍ମାଟରୁ ସନ୍ୟାସ ଘୋଷଣା କରିଥିଲେ । ଫାଇନାଲ ମୁକାବିଲାରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନର ମ୍ୟାଚ୍ ବିଜୟୀ ଇଂନିସ ଖେଳିଥିଲେ । ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ ଓ ଟି-ଟ୍ୱେଣ୍ଟି ବିଶ୍ୱକପରେ ଦୁଇଥର ପ୍ଲେଆର ଅଫ ଦ ଟୁର୍ଣ୍ଣାମେଣ୍ଟ ବିଜେତା ରହିଛନ୍ତି ବିରାଟ ।

ରୋହିତ ଶର୍ମା (ଟି-ଟ୍ୱେଣ୍ଟି) 

୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତକୁ ଟାଇଟେଲ ବିଜେତା କରିବା ପରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟକୁ ଅଲବିଦା କହିତିଲେ ରୋହିତ ଶର୍ମା । ତୃତୀୟ ଭାରତୀୟ କ୍ୟାପଟେନ ଭାବେ ସେ ବିଶ୍ୱକପ ଟ୍ରଫି ଉଠାଇଥିଲେ । ଅବସର ଘୋଷଣା ସମୟରେ ରୋହିତ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳି ରହିଥିଲେ । ଏଥିସହ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପରେ ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ରହିଥିଲେ । 

ରବୀନ୍ଦ୍ର ଜାଡେଜା (ଟି-ଟ୍ୱେଣ୍ଟି) 
୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟ ପରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଏହି ଫର୍ମାଟକୁ ବିଦାୟ କହିଥିଲେ । ବିଶ୍ୱକପ ବିଜୟର ଗୋଟିଏ ଦିନ ପରେ ସୋସିଆଲ ମିଡିଆରେ ଏହି ଘୋଷଣା କରିଥିଲେ ଜାଡେଜା । ୨୦୦୯ରୁ ୨୦୨୪ ମଧ୍ୟରେ ୭୪ଟି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି ଷ୍ଟାର ଅଲରାଉଣ୍ଡର । ଏଥିରୁ ସେ ୫୧୫ ରନ୍ ସଂଗ୍ରହ କରିବା ସହ ୫୪ ୱିକେଟ ନିଜ ନାମରେ କରିଛନ୍ତି । 

ସେହିପରି ବର୍ଷ ୨୦୨୪ରେ ଅବସର ନେଇଥିବା ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡର ଭେଟେରାନ ବୋଲର ଜେମ୍ସ ଆଣ୍ଡରସନ, ଟିମ ଇଣ୍ଡିଆ ଭେଟେରାନ ଶିଖର ଧାୱନ, ଟି-ଟ୍ୱେଣ୍ଟିରେ ଆଇସିସି ମାନ୍ୟତାରେ ପୂର୍ବରୁ ନମ୍ବର ୧ ରହିସାରିଥିବା ଇଂଲଣ୍ଡର ବିସ୍ଫୋରକ ବ୍ୟାଟର ଡେୱିଡ ମଲାନ, ୱେଷ୍ଟଇଣ୍ଡିଜର ସାନନ ଗାବ୍ରିଏଲ, ଅଷ୍ଟ୍ରେଲିଆର ୱିଲ୍ ପୁକଭସ୍କି, ଭାରତୀୟ ଦ୍ରୁତ ବୋଲର ବରିନ୍ଦର ଶ୍ରନ ଓ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ମୋଇନ ଅଲ୍ଲୀ ରହିଛନ୍ତି ।  

OTV is now on Whatsapp

Join and get latest news update delivered to you via whatsapp

Join Now