• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାଙ୍ଗଝୌ ଏସିଆନ୍ସ ଗେମସର ହକିରେ ଭାରତକୁ ସ୍ୱର୍ଣ୍ଣପଦକ । ଫାଇନାଲରେ ଜାପାନକୁ ୫-୧ ଗୋଲରେ ହରାଇ ଗୋଲଡ ମେଡାଲ ଜିତିଲା ଟିମ୍ ଇଣ୍ଡିଆ । ଏଥିସହିତ ଭାରତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଛି । ଫାଇନାଲରେ ମନପ୍ରୀତ ସିଂ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ହରମନପ୍ରୀତ ସିଂ ଦ୍ୱିତୀୟ ଗୋଲ ଦେଇଥିଲେ ।

ଭାରତୀୟ ଦଳରେ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସ ତୃତୀୟ ଗୋଲ ସ୍କୋର କରିଥିଲେ । ପୂର୍ବରୁ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ଥିବା ଭାରତ ସେମିଫାଇନାଲରେ କୋରିଆକୁ ହରାଇ ଫାଇନାଲରେ ପହଞ୍ଚିଥିଲା । ଏହି ସ୍ୱର୍ଣ୍ଣ ସହ ଏସିଆନ ଗେମସ ହକିରେ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପୂର୍ବରୁ ୧୯୬୬, ୧୯୯୮ ଏବଂ ୨୦୧୪ ଏସିଆଡରେ ସ୍ୱର୍ଣ୍ଣ ଜିତିଥିଲା ଭାରତ ।

 

ଅନ୍ୟପଟେ ଏସିଆନ୍ ଗେମସ୍‌ରେ କ୍ରିକେଟ୍‌ ଫାଇନାଲରେ ପହଞ୍ଚିଛି ଭାରତ । ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ତିଆ । ୯୭ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୯.୨ ଓଭରରେ ହାସଲ କରିନେଇଛି । ତିଳକ ବର୍ମାଙ୍କ ମାତ୍ର ୨୫ ବଲରୁ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଫାଇନାଲରେ ପହଞ୍ଚିଛି । ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରୁ ବିଜୟୀ ଟିମ୍ ସହ ଫାଇନାଲ ମ୍ୟାଚ୍ ଖେଳିବ ଭାରତ ।

ହାଙ୍ଗଝୌ ଏସିଆନ ଗେମ୍ସର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିସାରିଥିବା ଭାରତ ଖାତାରେ ଆଜି ଆହୁରି ଅନେକ ପଦକ ସାମିଲ ହେବା ସମ୍ଭାବନା ରହିଛି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଥିଲେ । ସେ ପୁରୀ ବେଳାଭୂମିରେ ୨୦ଫୁଟ ଲମ୍ବର ହକି ଷ୍ଟିକ୍ ତିଆରି କରିଥିଲେ । ସେହିଭଳି ମେଡାଲ ଇଭେଣ୍ଟରେ ଆଜି ତୀରନ୍ଦାଜୀ, ଅଶ୍ୱଚାଳନା, ଜୁ-ଜିତସୁ, ବ୍ରିଜଓ କାନୋଇ ଉପରେ ନଜର ରହିବ । ସେପଟେ ଆଜି ଏସିଆନ ଗେମସର ମ୍ୟାଟକୁ ଓହ୍ଲାଇବେ ବଜରଙ୍ଗ ପୁନିଆଙ୍କ ସମେତ ଅନ୍ୟ କୁସ୍ତିଯୋଦ୍ଧାମାନେ ।