• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭାରତ-ପାକିସ୍ତାନ ଏସିଆ କପ୍ ସୁପର ୪ ମ୍ୟାଚରେ ରେକର୍ଡ ବର୍ଷା । ମ୍ୟାଚରେ ପ୍ରଥମେ ବର୍ଷା ବାଧକ ସାଜିବାରୁ ରିଜର୍ଭ ଡେ'ରେ ଖେଳାଯାଇଛି ମ୍ୟାଚ୍ । ଅସମାପ୍ତ ସ୍କୋରରୁ ବ୍ୟାଟିଂ ଆରମ୍ଭ କରି ଟିମ ଇଣ୍ଡିଆ, ପାକିସ୍ତାନ ସାମ୍ନାରେ ବିଶାଳ ୩୫୭ ରନର ଲକ୍ଷ୍ୟ ରଖିଛି । କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ପୁଣି ଭାରତୀୟ ବ୍ୟାଟରଙ୍କ ବ୍ୟାଟରୁ ରନ ବର୍ଷା ହୋଇଛି । ବିରାଟ କୋହଲି ଓ କେଏଲ ରାହୁଲ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ରନର ଭାଗିଦାରୀ କରିଛନ୍ତି । ଫଳରେ ଏହି ମ୍ୟାଚ୍ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଇତିହାସରେ ଅନ୍ୟତମ ସ୍ମରଣୀୟ ମ୍ୟାଚ୍ ହୋଇଯାଇଛି ।

ଦୁଇ ଭାରତୀୟ ବ୍ୟାଟର ବିରାଟ କୋହଲି ଓ କେଏଲ ରାହୁଲ ୧୯୪ ବଲରୁ ୨୩୩ ରନର ରେକର୍ଡ ଭାଗିଦାରୀ କରିଛନ୍ତି । ଯାହା ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୨ ୱିକେଟ ହରାଇ ବିଶାଳ ୩୫୬ ରନ୍ କରିଛି । ଏହି ରେକର୍ଡ ପାର୍ଟନରସିପ୍ ପୂର୍ବରୁ ପାକିସ୍ତାନ ବ୍ୟାଟର ନାସିର ଜାମସେଦ୍ ଓ ମହମ୍ମଦ ହାଫିଜଙ୍କ ନାମରେ ରହିଥିଲା ।

ବିରାଟ କୋହଲି ୯୪ ବଲରୁ ୯ଟି ଚୌକା ଓ ୩ଟି ଛକା ସହାୟତାରେ ୧୨୨ ରନ୍ ଓ କେଏଲ ରାହୁଲ ୧୦୬ବଲରୁ ୧୨ ଚୌକା ଓ ୨ଟି ଛକା ସହାୟତାରେ ୧୧୧ ରନର ମାରାଥନ ଇଂନିସ ଖେଳିଛନ୍ତି । ରାହୁଲଙ୍କ ପାଇଁ ଏହି ଇଂନିସ ସ୍ୱତନ୍ତ୍ର ହୋଇଛି । କାରଣ ଦୀର୍ଘଦିନ ପରେ ଟିମକୁ କମବ୍ୟାକ କରିବା ପରେ ଏପରି ଧୂଆଁଧାର ଇଂନିସ ଖେଳିଛନ୍ତି ରାହୁଲ । ପ୍ରଥମେ କ୍ୟାପଟେନ ରୋହିତ ଶର୍ମା ଓ ଯୁବ ଓପନର ଶୁବମନ ଗିଲ୍ ପାକିସ୍ତାନ ବୋଲରଙ୍କୁ ଧୁଲେଇ କରି ଶତକୀୟ ଭାଗୀଦାରି କରିଥିଲେ । ପରେ ବିରାଟ କୋହଲି ଓ କେଏଲ ରାହୁଲ ଶକ୍ତିଶାଳୀ କୁହାଯାଉଥିବା ପାକିସ୍ତାନ ବୋଲରଙ୍କୁ ପଡ଼ିଆର ସବୁ ଦିଗତୁ ସଟ୍ ମାରି ସଂପୂର୍ଣ୍ଣ ନିଷ୍ପ୍ରଭ କରିଦେଇଥିଲେ ।

ନଜର ପକାନ୍ତୁ ଏସିଆ କପରେ ହୋଇଥିବା ଶ୍ରେଷ୍ଠ ପାର୍ଟନରସିପ ଉପରେ..

ବିରାଟ କୋହଲି-କେଏଲ ରାହୁଲ - ୨୩୩

ମହମ୍ମଦ ହାଫିଜ-ନାରିସ ଜାମସେଦ - ୨୨୪

ୟୁନିସ ଖାନ୍-ସୋଏବ ମଲିକ - ୨୨୩

ଇଫତିକାର ଅହମ୍ମଦ-ବାବର ଆଜମ - ୨୧୪

ଅଜିଙ୍କ୍ୟ ରାହାଣେ-ବିରାଟ କୋହଲି - ୨୧୩

୧୩୦୦୦ ହଜାର ରନ ପୂରଣ କରିବାରେ ବିରାଟ କୋହଲି ଦ୍ରୁତତମ ବ୍ୟାଟର

ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ନିଜର ପୁରୁଣା ରେକର୍ଡ କାଏମ ରଖିବାରେ ସଫଳ ହୋଇଛନ୍ତି । ୩୪ ବର୍ଷୀୟ ବିରାଟ, ପାକିସ୍ତାନ ବିପକ୍ଷରେ ନିଜ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରର ୪୭ତମ ଶତକ ହାସଲ କରିଛନ୍ତି । ଏଥିସହ ଅନ୍ତର୍ଜାତୀୟ ଦିନିକିଆରେ ୧୩,୦୦୦ ହଜାର ରନ୍ ପୂରଣ କରିବାରେ ବିରାଟ ଦ୍ରୁତତମ ବ୍ୟାଟର ବନିଯାଇଛନ୍ତି । କୋହଲି ୨୬୭ ଇଂନିସରେ ଏହି ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ପୂର୍ବରୁ ସଚିନ ତେନ୍ଦୁଲକର ୩୨୧ ଇଂନିସ, ରିକି ପଣ୍ଟିଂ ୩୪୧ ଇଂନିସ, କୁମାର ସାଙ୍ଗାକାରା ୩୬୩ ଇଂନିସ ଓ ସନଥ ଜୟସୁରିୟା ୪୧୬ ଇଂନିସରେ ୧୩୦୦୦ ରନ୍ ପୂରଣ କରିଥିଲେ ।

୫୦ ଓଭର ବିଶିଷ୍ଟ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଶତକ

ଶ୍ରୀଲଙ୍କାର ଭେଟେରାନ ସନଥ ଜୟସୁରିୟାଙ୍କ ନାମରେ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଶତକ ରହିଛି । ସେ ୬ଟି ଶତକ ହାସଲ କରି ତାଲିକାର ଶୀର୍ଷରେ ରହିଛନ୍ତି । ଏହା ପଛକୁ ବିରାଟ କୋହଲି ୪ଟି ଶତକ ସହ ଦ୍ୱିତୀୟରେ ରହିଛନ୍ତି । କୁମାର ସାଙ୍ଗାକାରା ମଧ୍ୟ ସମାନ ୪ଟି ଶତକ ହାସଲ କରିଛନ୍ତି । ପାକିସ୍ତାନର ସୋଏବ ମଲିକ ୩ଟି ଶତକ ହାସଲ କରିବାର ରେକର୍ଡ କରିଛନ୍ତି ।

କଲମ୍ବୋରେ ବିରାଟ କୋହଲିଙ୍କ ଶେଷ ୪ଟି ଇଂନିସ

କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମ ବିରାଟଙ୍କ ପାଇଁ ଅନ୍ୟତମ ଲକି ଷ୍ଟାଡିୟମ ସାବ୍ୟସ୍ତ ହୋଇଛି । ବିରାଟ ଏହି ଷ୍ଟାଡିୟମରେ ଖେଳିଥିବା ଶେଷ ୪ଟି ମ୍ୟାଚରେ ଯଥାକ୍ରମେ ୧୧୯ ବଲରୁ ୧୨୮ରନ, ୯୬ ବଲରୁ ୧୩୧ ରନ, ୧୧୬ବଲରୁ ୧୧୦ ରନ୍ ଓ ୯୪ ବଲରୁ ୧୨୨ ରନର ଇଂନିସ ଖେଳିଛନ୍ତି ।

ଗୋଟିଏ ମ୍ୟାଚରେ ଟିମ ଇଣ୍ଡିଆର ୩ ନମ୍ବର ଓ ୪ ନମ୍ବରେ ସ୍ଥାନରେ ଖେଳିଥିବା ବ୍ୟାଟରଙ୍କ ଶତକ

ରାହୁଲ ଦ୍ରାବିଡ଼-ସଚିନ ତେନ୍ଦୁଲକର ବର୍ଷ ୧୯୯୯ରେ କେନିୟା ବିପକ୍ଷରେ ଶତକ ହାସଲ କରିଥିଲେ । ସେହିପରି ୨୦୦୯ରେ ଗୌତମ ଗମ୍ଭୀର ବିରାଟ କୋହଲି ମଧ୍ୟ କୋଲକାତାରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚରେ ଶତକ ହାସଲ କରିଥିଲେ । ଏବଂ ବିରାଟ କୋହଲି ଓ କେଏଲ ରାହୁଲ ପାକିସ୍ତାନ ବିପକ୍ଷରେ କଲମ୍ବୋରେ ୩ ନମ୍ବର ଓ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରି ଶତକୀୟ ଇଂନିସ ଖେଳିଛନ୍ତି ।