• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌ର ଆଜି ଦ୍ୱିତୀୟ ମ୍ୟାଚ୍ । ଓଭାଲ୍‌ରେ ଭାରତୀୟ ସମୟ ଦିନ ୧୨ଟାରେ ମ୍ୟାଚ୍ ଆରମ୍ଭ ହେବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଦଳ । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ୱେଲିଙ୍ଗଟନ୍‌ରେ ଥିବା ମ୍ୟାଚ୍‌ରେ ଗୋଟିଏ ବି ବଲ୍ ପଡ଼ିପାରିନଥିଲା । ଆଜିର ମ୍ୟାଚ୍ ଜିତି ସିରିଜ୍‌ରେ ଅଗ୍ରଣୀ ଲାଭ କରିବା ଲକ୍ଷ୍ୟରେ ଦୁଇ ଦଳ ।

ତେବେ ଆଜି ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଉଭୟ ଦଳ ସେମିଫାଇନାଲ୍ ରାଉଣ୍ଡରେ ପରାଜୟ ଲାଭ କରିବା ପରେ ଏବେ ଏହି ସିରିଜ୍ ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ୱ ରଖୁଛି । ନ୍ୟୁଜିଲାଣ୍ଡ ଟିମ୍‌ରେ ଫିନ୍ ଆଲେନ୍, କେନ୍ ଓ୍ୱିଲିୟମସନ୍‌ଙ୍କ ଭଳି ଖେଳାଳି ଥିବା ବେଳେ ଭାରତ ମଧ୍ୟ ଯୁବ ବାହିନୀଙ୍କୁ ଟିମ୍‌ରେ ସାମିଲ କରିଛି । ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଫ୍ୟୁଚର ଅଧିନାୟକ ଭାବେ ଦେଖାଯାଉଥିବା ବେଳେ ଏହି ସିରିଜ୍ ତାଙ୍କ ପାଇଁ ହେବ ଅଗ୍ନି ପରୀକ୍ଷା ।

ଅନ୍ୟପଟେ ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ବିଦାୟ ନେବା ପରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବାରେ ଲାଗିଛି । ଚୟନକୁ ନେଇ ପ୍ରଶ୍ନ ଉଠିବାରୁ ବିସିସିଆଇ ଶୁକ୍ରବାର ଜାତୀୟ ଚୟନ କମିଟିର ସମସ୍ତ ୪ ସଦସ୍ୟଙ୍କୁ ବିଦା କରି ଦେଇଛି । ଏଥିସହ ଚୟନ କମିଟି ପାଇଁ ନୂଆ ଦରଖାସ୍ତ ଆହ୍ୱାନ କରିଛି । ୨୮ ତାରିଖ ସୁଦ୍ଧା ଆଶାୟୀମାନେ ବିସିସିଆଇ ନିକଟରେ ନିଜର ଆବେଦନପତ୍ର ଦାଖଲ କରିବେ । ବିସିସିଆଇ ନୂଆ ଚୟନ କମିଟି ସହ ପରାମର୍ଶଦାତା କମିଟି ମଧ୍ୟ ଗଠନ କରିବ ବୋଲି ଜଣାପଡ଼ିଛି ।

ବର୍ତ୍ତମାନ ରୋହିତ ଶର୍ମା ସମସ୍ତ ୩ଟି ଯାକ ଫର୍ମାଟର ଅଧିନାୟକ ରହିଛନ୍ତି । କିନ୍ତୁ ଟି-୨୦ରେ ତାଙ୍କ କ୍ୟାପ୍‌ଟେନ୍‌ସିପ୍‌କୁ ନେଇ ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ସେହିପରି ରୋହିତଙ୍କୁ ଏବେ ୩୫ ବର୍ଷ । ୨୦୨୪ ଟି-୨୦ ବିଶ୍ୱକପ ବେଳକୁ ତାଙ୍କ ବୟସ ୩୭ ହୋଇ ସାରିଥିବ । ତେଣୁ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ବିସିସିଆଇ ଜଣେ ଯୁବ ଖେଳାଳିଙ୍କୁ କମାଣ ଦେବାକୁ ଚାହୁଁଛି । ଏହାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଟି-୨୦ ପାଇଁ ଜଣେ ଯୁବକ ଖେଳାଳିଙ୍କୁ ସ୍ଥାୟୀ ଅଧିନାୟକ ଭାବେ ବଛାଯାଇପାରେ । ଏହି ଅଧିନାୟକ ପଦ ପାଇବା ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ରୋହିତଙ୍କ ଅନୁପସ୍ଥିତିରେ ସେ ଏକାଧି ଦ୍ୱିପାକ୍ଷିକ ସିରିଜ୍‌ରେ କ୍ୟାପ୍‌ଟେନ୍‌ସିପ୍‌ କରିଛନ୍ତି ।