• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ସମାନ ଫର୍ମାଟରେ ସାମ୍ନାସାମ୍ନି ହୋଇଥାନ୍ତେ ଭାରତ-ନ୍ୟୁଜିଲାଣ୍ତ । କିନ୍ତୁ ବର୍ଷା କାରଣରୁ ଫିଲ୍ଡରେ ଗୋଟିଏ ବି ବଲ୍‌ ଖେଳା ନଯାଇ ମ୍ୟାଚ୍‌କୁ ବାତିଲ କରାଯାଇଛି । ଦ୍ୱିପହର ୧୨ଟା ବେଳକୁ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିଲା । ଯାହା ଫଳରେ ଦିନ ୨ଟା ବେଳେ ମ୍ୟାଚ୍‌କୁ ବାତିଲ କରାଯାଇଥିଲା । ୩ଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ୨୦ ନଭେମ୍ବରରେ ଖେଳାଯିବ।

ଆଜିର ମ୍ୟାଚ୍‌ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଉଭୟ ଦଳ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲେ। ଆଜି ଠାରୁ ସେମାନେ ଟି-୨୦ରେ ଫ୍ରେଶ ଷ୍ଟାର୍ଟ ଲକ୍ଷ୍ୟରେ ରହିଥିଲେ। କିନ୍ତୁ ବର୍ଷା ସବୁ ଯୋଜନାରେ ପାଣି ପକାଇ ଦେଇଛି।

ନ୍ୟୁଜିଲ୍ୟାଣ୍ଡର ୱେଲିଂଟନରେ ଆଜି ଅପରାହ୍ନରୁ ହିଁ ବର୍ଷା ଆରମ୍ଭ ହୋଇଯାଇଥିଲା। ଭାରତୀୟ ସମୟ ଦିନ ୧୨ଟା ଓ ନ୍ୟୁଜିଲ୍ୟାଣ୍ଡ ସମୟ ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଆରମ୍ଭ ହେବାକୁ ଥିଲେ ହେଁ ବର୍ଷା ଛାଡ଼ି ନଥିଲା। ଏଥିପାଇଁ ପ୍ରଥମେ ଟସ୍‌କୁ ବିଳମ୍ବିତ କରାଯାଇଥିଲା।

ବର୍ଷା ସାମାନ୍ୟ କମିବାରୁ ମ୍ୟାଚ୍‌ ଖେଳାଯିବାର ଆଶା ସୃଷ୍ଟି ହୋଇଥିଲା। କିନ୍ତୁ ଓଦା ଆଉଟ ଫିଲ୍ଡ ଓ ପର୍ଯ୍ୟାୟକ୍ରମେ ପୁଣି ବର୍ଷା ମ୍ୟାଚ୍‌ ଆରମ୍ଭ କରିବାରେ ବାଧା ସୃଷ୍ଟି କରିଥିଲା। ଶେଷରେ ବିନା କୌଣସି ବଲ୍‌ ପଡ଼ିବା ପୂର୍ବରୁ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି।

ଏବେ ରବିବାର ଦୁଇ ଦଳ ମଧ୍ୟରେ ସିରିଜ୍‌ର ଦ୍ୱିତୀୟ ଟି-୨୦ ଓ ମଙ୍ଗଳବାର ତୃତୀୟ ଟି-୨୦ ଖେଳାଯିବ। ଟି-୨୦ ସିରିଜ୍‌ ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟିକିଆ ଦିନିକିଆ ସିରିଜ୍‌ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍‌ରେ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ଭଳି ବଳିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏଥିପାଇଁ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନିକିଆରେ ଶିଖର ଧୱନ ଟିମ୍‌ର ନେତୃତ୍ୱ ନେଉଛନ୍ତି ।