• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ସପ୍ତାହେ ଘୁଞ୍ଚିପାରେ ଭାରତ କ୍ରିକେଟ ଟିମ୍‌ର ଦକ୍ଷିଣ ଆଫ୍ରିକା ଗସ୍ତ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆର ଗସ୍ତକୁ ସପ୍ତାହେ ସ୍ଥଗିତ ରଖାଯାଇପାରେ ବୋଲି ସୂଚନା ମିଳିଛି । ଏନେଇ ଉଭୟ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ତେବେ ଖେଳାଳିଙ୍କ ସୁରକ୍ଷାକୁ ନଜରରେ ରଖି ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ଭାରତ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି ବିସିସିଆଇ । ସାଉଥ ଅଫ୍ରିକାରେ ଭାରତ ୩ଟି ଟେଷ୍ଟ, ୩ଟି ଏକ ଦିବସୀୟ ଓ ୪ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ । ଚଳିତମାସ ୧୭ ତାରିଖରୁ ଏହି ମ୍ୟାଚ ଆରମ୍ଭ ହେବାର ସୂଚନା ମିଳିଥିଲା । ତେବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏଥିରେ ବାଧକ ସାଜିଛି । ଭାରତ ଟିମ୍‌କୁ ଦକ୍ଷିଣ ଆଫ୍ରିକା ପଠାଇବା ପୂର୍ବରୁ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ବିସିସିଆଇକୁ ପରାମର୍ଶ ଦେଇଥିଲେ କେନ୍ଦ୍ର କ୍ରିଡ଼ା ମନ୍ତ୍ରୀ ଅନୁରାଗ ଠାକୁର ।

ସମ୍ପୂର୍ଣ୍ଣ ବିଶ୍ୱ ଏବେ ଭୟର ବାତାବରଣରେ ଆତିବାହିତ ହେଉଛି । ଏହାର କାରଣ ହେଉଛି କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ ଏବେ କବାଟ ଠକ୍‌ଠକ୍‌ କଲାଣି । ଦକ୍ଷିଣ ଆଫ୍ରିକା ବ୍ୟତୀତ ଅନେକ ଦେଶରେ ଏବେ ଓମିକ୍ରନ୍ ଭ୍ୟାରିଏଣ୍ଟ ଦେଖାଗଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ନେଇ ଚେତାବନୀ ଦିଆଯାଇଛି । ଏମିତିକି ଅନେକ ଦେଶ ଏବେ ବିମାନ୍‌ ଯାତ୍ରା ତଥା ବିଦେଶ ଯାତ୍ରା ଉପରେ ବ୍ୟାନ୍‌ ଲଗାଇଛନ୍ତି । ହେଲେ ଏହାରି ଭିତରେ ଏବେ ଜାପାନରେ ପ୍ରଥମ ଓମିକ୍ରନର ମାମଲା ଚିହ୍ନଟ ହୋଇଛି । ଜାପାନର ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେଠାରେ ପ୍ରଥମ ଓମିକ୍ରନ୍‌ ଭ୍ୟାରିଏଣ୍ଟ ଚିହ୍ନଟ ହୋଇସାରିଛି । ହେଲେ ସରକାରୀ ସ୍ତରରେ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ତେବେ ଭାରତ ପାଇଁ ଏବେ ଚିନ୍ତାର କୌଣସି ଆବଶ୍ୟକତା ନାହିଁ । ଦେଶରେ ଗୋଟିଏ ବି ଓମିକ୍ରନ୍‌ ଭ୍ୟାରିଏଣ୍ଟ ଚିହ୍ନଟ ହୋଇନାହିଁ । ଏନେଇ ଖୋଦ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟସଭାରେ ତଥ୍ୟ ଉପସ୍ଥାପନ କରିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ, ଭାରତରେ ଏବେ ସୁଦ୍ଧା COVID-19 ର ଓମିକ୍ରନ୍ ଭ୍ୟାରିଏଣ୍ଟର କୌଣସି ମାମଲା ଚିହ୍ନଟ ହୋଇନାହିଁ ।

ସେ କହିଛନ୍ତି, 'ଏହି ନୂତନ ଭ୍ୟାରିଏଣ୍ଟ ଓମିକ୍ରନ୍ ଏବେ ସୁଦ୍ଧା ୧୪ଟି ଦେଶରେ ଦେଖିବାକୁ ମିଳିଛି । ଭାରତରେ ଏପର୍ଯ୍ୟନ୍ତ କୌଣସି ମାମଲା ଚିହ୍ନଟ ହୋଇ ନାହିଁ । ଆମେ ସମସ୍ତ ସମ୍ଭାବ୍ୟ ସତର୍କତା ଅବଲମ୍ବନ କରୁଛୁ ଏବଂ ଜିନୋମ ସିକ୍ୱେନ୍ସିଂ ମଧ୍ୟ କରାଯାଉଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକାରୁ ୭ଜଣ ବ୍ୟକ୍ତି ନଭେମ୍ବର ୧୪ରେ ମୁମ୍ବାଇ ନିକଟସ୍ଥ ଥାଣେ ସହରରେ ପହଞ୍ଚିଛନ୍ତି । ସମସ୍ତଙ୍କର କରୋନା ପରୀକ୍ଷା କରାଯାଇଛି ।