ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ, ବ୍ରୋଞ୍ଜ ଜିତିଲେ ସ୍ୱପ୍ନିଲ କୁସାଲେ

ନିଜର ପ୍ରଥମ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଲେ ଭାରତର ସ୍ୱପ୍ନିଲ କୁସାଲେ ।

Swapnil Kusale

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ। ପୁରୁଷ ୫୦ ମିଟର ରାଇଫଲ୍‌ ସୁଟିଂରେ ଭାରତକୁ ମିଳିଲା ପଦକ । ନିଜର ପ୍ରଥମ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଲେ ଭାରତର ସ୍ୱପ୍ନିଲ କୁଶାଲେ । ଏହି ପଦକ ସହ ଚଳିତ ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି । ଏହା ପୂର୍ବରୁ ସୁଟିଂରେ ଭାରତକୁ ଦୁଇଟି ପଦକ ମିଳିସାରିଛି ।

ଅଲିମ୍ପିକ୍ସ ପୁରୁଷ ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ ପ୍ରଥମ ଭାରତୀୟ ଭାବେ ସ୍ୱପ୍ନିଲ ମେଡାଲ ଜିତିଛନ୍ତି । ତେବେ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ସୁଟିଂ ଇଭେଣ୍ଟରେ ତିନୋଟି ପଦକ ଜିତିଛି ।

ଏହି ୨୮ ବର୍ଷୀୟ ସୁଟରଙ୍କ ଜୀବନ କାହାଣୀ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଏମଏସ୍‌ ଧୋନିଙ୍କ ଜୀବନ ସହିତ ପ୍ରାୟ ସମାନ । ସ୍ୱପ୍ନିଲ ମହାରାଷ୍ଟ୍ରର କୋଲହାପୁରରେ ଅବସ୍ଥିତ କାମ୍ବଲୱାଡି ଗ୍ରାମର ଅଟନ୍ତି । ସେ ୨୦୧୨ଠାରୁ ଆନ୍ତର୍ଜାତୀୟ ଇଭେଣ୍ଟରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ ସେ ଅଲିମ୍ପିକ୍ସରେ ଡେବ୍ୟୁ କରିଥିଲେ ଓ ଡେବ୍ୟୁ ଅଲିମ୍ପିକ୍ସରେ ହିଁ ଭାରତ ପାଇଁ ପଦକ ଜିତିଛନ୍ତି।

ଅଧିକ ପଢନ୍ତୁ : Paris 2024 Olympics: ଡବଲ୍ ମେଡାଲ ଜିତି ଇତିହାସ ରଚିଲେ ମନୁ

ସ୍ୱପ୍ନିଲ କୁସାଲେ ୨୦୧୫ରୁ କେନ୍ଦ୍ରୀୟ ରେଳବାଇରେ କାର୍ଯ୍ୟ କରୁଛନ୍ତି । ଠିକ୍ ଯେପରି ଏମ୍ଏସ୍ ଧୋନି ତାଙ୍କ ଜୀବନରେ ଟିକେଟ୍ କଲେକ୍ଟର ଥିଲେ, ସେହିପରି ସ୍ୱପ୍ନିଲ୍ ମଧ୍ୟ କେନ୍ଦ୍ରୀୟ ରେଳବାଇରେ ଟିକେଟ୍ କଲେକ୍ଟର ଭାବରେ କାର୍ଯ୍ୟ କରନ୍ତି। ଭାରତର ଏହି ପ୍ରତିଭାଶାଳୀ ସୁଟର ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟକ୍ତିତ୍ୱ ଦ୍ୱାରା ବହୁତ ପ୍ରଭାବିତ । ସ୍ୱପ୍ନିଲ କହିଛନ୍ତି ଯେ ସେ ଏମଏସ୍‌ ଧୋନିଙ୍କ ବାୟୋପିକକୁ ଅନେକ ଥର ଦେଖିଛନ୍ତି ଏବଂ କିମ୍ବଦନ୍ତୀ କ୍ରିକେଟରଙ୍କ ସଫଳତାରୁ ପ୍ରେରଣା ନେଇଛନ୍ତି । ଧୋନି କ୍ରିକେଟ୍ ପଡ଼ିଆରେ କୁଲ୍‌ ମାଇଣ୍ଡ ପାଇଁ ଜଣାଶୁଣା । ସେହିପରି ସୁଟିଂରେ ମଧ୍ୟ ଶାନ୍ତ ଏବଂ ଧୈର୍ଯ୍ୟର ଆବଶ୍ୟକ । ସେଥିପାଇଁ ସ୍ୱପ୍ନିଲ ତାଙ୍କ ଜୀବନକୁ ଧୋନିଙ୍କ ସହ ଯୋଡିଥାନ୍ତି ।

ଏମଏସ ଧୋନିଙ୍କୁ ତାଙ୍କର ଆଦର୍ଶ ଭାବରେ ଗ୍ରହଣ କରି ସ୍ୱପ୍ନିଲ କହିଛନ୍ତି, ‘ମୁଁ ସୁଟିଂ ଜଗତରେ କୌଣସି ନିର୍ଦ୍ଦିଷ୍ଟ ଆଥଲେଟ୍‌ଙ୍କୁ ଅନୁସରଣ କରେ ନାହିଁ । ମୁଁ ସୁଟିଂ ବାହାରେ ଧୋନିଙ୍କ ବ୍ୟକ୍ତିତ୍ୱକୁ ଅନୁସରଣ କରେ । ଯେପରି ଧୋନି କ୍ରିକେଟ୍ ପଡ଼ିଆରେ ଶାନ୍ତ ରୁହନ୍ତି, ସେହିପରି ମୋ ଖେଳରେ ମଧ୍ୟ ଶାନ୍ତି ଏବଂ ଧୈର୍ଯ୍ୟ ରଖିବା ଆବଶ୍ୟକ’ ।

ଯଦି ସ୍ୱପ୍ନିଲଙ୍କ ପରିବାର କଥା କହିବା ତାହାଲେ ତାଙ୍କ ପିତା ଓ ଭାଇ ଦୁହେଁ ଶିକ୍ଷକ ଏବଂ ତାଙ୍କ ମା’ କାମ୍ବଲୱାଡି ଗାଁର ସରପଞ୍ଚ ଅଟନ୍ତି । ଛୋଟ ବେଳେ ତାଙ୍କୁ ଦୁଇଟି କ୍ରୀଡା ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିଥିଲା । ସେ ସୁଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଜୁନିୟର ସ୍ତରରେ ଗୁଳି କିଣିବାକୁ ଟଙ୍କା ନଥିଲା । ତେବେ ଏତେ ସଂଘର୍ଷ ସତ୍ତ୍ୱେ ସେ କେବେ ହାର ମାନିନଥିଲେ । ଯାହାର ଫଳ ଆଜି ତାଙ୍କୁ ପ୍ୟାରିସ୍‌ ଅଲିମ୍ପିକ୍ସରେ ମିଳିଛି ।

ଅଧିକ ପଢନ୍ତୁ : ଅଲିମ୍ପିକ୍ସରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା, ଯାହାକୁ କେବେ ଭୁଲିପାରିବେନି ଭାରତୀୟ