• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫୁଟ୍‌ବଲ୍‌ । ଏମିତି ଏକ ଖେଳ ଯେଉଁଥିରେ ଖେଳାଳି, ଖେଳ ଆରମ୍ଭରୁ ଶେଷ ଯାଏଁ ପୁରା ଆକ୍ଟିଭ୍‌ । ଏମିତିକି ଖେଳର ପୂରା ୯୦ ମିନିଟ୍ ପର୍ଯ୍ୟନ୍ତ ଖେଳାଳି ଦୌଡ଼ୁ ଥାଏ । କେତେବେଳେ ପଡ଼ିଆର ଏପାଖରେ ଥାଏ ତ କେତେବେଳେ ପଡ଼ିଆର ସେପାଖରେ । ଏମିତିକି ଗୋଟିଏ ଖେଳାଳିକୁ ଆପଣ ଏବେ ପଡ଼ିଆର ଗୋଟିଏ କୋଣରେ ଦେଖିଥିବେ ହେଲେ ସେହି ଖେଳାଳି ଆଖି ପିଛୁଳାକେ ଅନ୍ୟ କୋଣରେ ପହଞ୍ଚିସାରିଥିବ । ଯାହାକି ଆପଣ ଜାଣିପାରିବେନି । କୁହାଯାଏ ଫୁଟ୍‌ବଲ ଏମିତି ଏକ ଖେଳ ଯେଉଁଥିରେ ଖେଳାଳିଙ୍କ ସହ ଦର୍ଶକ ବି ଖୁବ୍‌ ଜୋସ୍‌ରେ ଥାନ୍ତି । ପଡ଼ିଆରେ ଖେଳାଳି ବଲ୍‌କୁ କିକ୍ ମାରିବା ବେଳେ ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ଗୋଡ଼ ଆପେ ଉଠିଯାଏ । ଆଉ ଖେଳରେ ଗୋଟିଏ କିକ୍ କିମ୍ବା ପାସ୍‌ ମିସ୍‌ ହେଲେ ଦର୍ଶକ ବି ରାଗିଯାଆନ୍ତି । ଆଉ ଏକ ଢ଼େଉ ଭଳି ଶବ୍ଦ ଗ୍ୟାଲେରୀରୁ ବାହାରି ଆସେ । ଯଦି ଆପଣ କେବେ ପଡ଼ିଆରେ ଲାଇଭ୍‌ ଫୁଟ୍‌ବଲ ମ୍ୟାଚ୍‌ ଦେଖିଥିବେ ତେବେ ଏହି ସବୁ କଥା ଆପଣ ନିଜେ ଅନୁଭବ କରିଥିବେ ।

ତେବେ ଆଜି ଜାଣିବା ଏହି ଫୁଟ୍‌ବଲ ଖେଳ, କିଏ ବା କେଉଁ ଦେଶ ପ୍ରଥମେ ଆରମ୍ଭ କରିଥିଲା । କେଉଁ ଦେଶରେ ଏହା ପ୍ରଥମେ ଖେଳାଯାଇଥିଲା । ଆମେ ସମସ୍ତେ କ୍ରିକେଟ୍ ଖେଳକୁ ଯେତିକି ଗୁରୁତ୍ୱ ଦେଉଛନ୍ତି ବା ଯେତିକି ଆମେ କ୍ରିକେଟ୍ ବିଷୟରେ ଜାଣିଛନ୍ତି ତାଠାରୁ ଖୁବ୍‌ କମ୍‌ ଫୁଟ୍‌ବଲ୍‌ ଉପରେ ଋଚି ରଖୁଛନ୍ତି । କ୍ରିକେଟ୍ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି । ଆଉ ଇଂଲଣ୍ଡରୁ ହିଁ ଏହି ଖେଳ ଆରମ୍ଭ ହୋଇଥିବା କଥା ବି ପିଲାଠୁ ବୁଢ଼ା ଯାଏ ପ୍ରାୟ ସମସ୍ତେ ଜାଣନ୍ତି । କାରଣ ଆମ ଦେଶରେ କ୍ରିକେଟ୍ ବୋର୍ଡ ବା ବିସିସିଆଇ ସବୁଠୁ ଧନୀ । ଇଂଲଣ୍ଡରୁ ଖେଳ ଆରମ୍ଭ ହୋଇଥିଲେ ବି ଭାରତରେ କ୍ରିକେଟ୍ ପ୍ରେମୀଙ୍କ ସଂଖ୍ୟା ଖୁବ୍‌ ଅଧିକ ।

ଫୁଟ୍‌ବଲ କାହିଁକି ?

ପାଦରେ ବଲ ଖେଳାଯାଉଥିବାରୁ ଏହାକୁ ଫୁଟ୍‌ବଲ କୁହାଯାଏ । ଖାଲି ଫୁଟ୍‌ବଲ ନୁହେଁ ଏହାକୁ ସକ୍‌କର ବି କୁହାଯାଏ । ୧୧ ଜଣିଆ ଦୁଇଟି ଦଳ ମଧ୍ୟରେ ଏହା ଖେଳାଯାଏ । ଆୟତକାର ଘାସ ପଡ଼ିଆରେ ଏହାକୁ ଖେଳାଯାଇଥାଏ । ପଡ଼ିଆର ଦୁଇ ପାଖରେ ଗୋଲ୍ ପୋଷ୍ଟରହିଥାଏ । ଗୋଟିଏ ଦଳର ଖେଳାଳି ଅନ୍ୟ ଦଳକୁ ଗୋଲ୍‌ ଦେବା ପାଇଁ ପ୍ରାଣପଣେ ଚେଷ୍ଟା କରିବା ହିଁ ଏହି ଖେଳର ମୂଳ ଲକ୍ଷ । ଦୁଇ ଦଳର ୨୨ ଜଣ ଖେଳାଳିଙ୍କ ମଧ୍ୟରୁ କେବଳ ଗୋଲ ପୋଷ୍ଟ ଜଗିଥିବା ଉଭୟ ଦଳର ଗୋଲିଙ୍କୁ ହାତରେ ବଲ୍‌କୁ ରୋକିବାର ଅନୁମତି ରହିଛି ।

ଅନ୍ୟ ଖେଳାଳିମାନେ ସାଧାରଣତଃ ବଲକୁ ମାରିବା ପାଇଁ ଗୋଡ଼ର ହିଁ ବ୍ୟବହାର କରିଥାନ୍ତି । ବେଳେବେଳେ ଛାତି କିମ୍ବା ମୁଣ୍ଡ ମଧ୍ୟ ବ୍ୟବହାର କରିଥାନ୍ତି ଖେଳାଳି । ଖେଳର ଶେଷ ସୁଦ୍ଧା ଅର୍ଥାତ୍ ୯୦ ମିନିଟ୍‌ ମଧ୍ୟରେ ଯେଉଁ ଦଳ ଅଧିକ ଗୋଲ କରିଥିବ ସେହି ଦଳ ବିଜୟୀ ଘୋଷିତ ହୋଇଥାଏ । ଯଦି ଖେଳ ଶେଷ ସୁଦ୍ଧା ବା ୯୦ ମିନିଟ୍‌ ମଧ୍ୟରେ ଉଭୟ ଦଳର ଗୋଲ ସଂଖ୍ୟା ସମାନ ରହିଥାଏ, ତେବେ ମ୍ୟାଚ୍‌କୁ ଡ୍ର ବୋଲି ଘୋଷଣା କରାଯାଏ । ନଚେତ୍ ମ୍ୟାଚ୍ ରେପରି କିମ୍ବା ଟୁର୍ଣାମେଣ୍ଟ ଅୟୋଜକଙ୍କ ଅନୁସାରେ ସ୍ଥିର କରାଯାଇଥିବା ନିୟମ ଅନୁସାରେ ମ୍ୟାଚ୍‌ର ଫୈସଲା ନିଆଯାଇଥାଏ ।

ମ୍ୟାଚ୍ ଡ୍ର ରହିଲେ କ’ଣ ରହିଛି ନିୟମ ?

ଡ୍ର ରହିବା ପରେ ନିସ୍କର୍ଷ ପାଇଁ ଅଧିକ କିଛି ମିନିଟ୍ ମ୍ୟାଚ୍ ଖେଳିବାକୁ ଦିଆଯାଇଥାଏ । ଏହି କିଛି ମିନିଟ୍‌ର ଖେଳ ଅତ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ରହିଥାଏ । କାରଣ ଏଥିରେ କିଛି ଖେଳାଳିଙ୍କ ପାଇଁ କର ବା ମର ସ୍ଥିତି ଉପୁଜିଥାଏ । ସମସ୍ତେ ଆକ୍ରମଣ ଢ଼ଙ୍ଗରେ ଖେଳିଥାନ୍ତି ।

ଅନ୍ୟଥା ମ୍ୟାଚ୍‌ ଡ୍ର ରହିଲେ, ପେନାଲ୍ଟି ସୁଟ୍‌ଆଉଟ୍‌ରେ ମଧ୍ୟ ଫୈସଲା କରାଯାଏ । ଏଥିରେ ପ୍ରତ୍ୟେକ ଦଳକୁ ୫ଟି ଲେଖାଏଁ ସୁଯୋଗ ମିଳିଥାଏ । ଏହି ସମୟରେ ଯେଉଁ ଦଳ ଅଧିକ ଗୋଲ କରିଥାଏ । ସେହି ଦଳ ବିଜେତା ଘୋଷଣା ହୋଇଥାଏ ।

ତେବେ ଇଂଲଣ୍ଡକୁ ଅଧୁନିକ ଫୁଟବଲର ଜନକ କୁହାଯାଏ । ନବମ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଖେଳ ୟୁରୋପର ଅନେକ ଦେଶରେ ଖେଳାଯାଉଥିଲା । ସେତେବେଳେ ଇଂଲଣ୍ଡରେ ବହୁତ ଗୁଡ଼ାଏ ଲୋକ ଏକାଠି ଫୁଟ୍‌ବଲ ଖେଳୁଥିଲେ । ଏହାକୁ ମବ୍ ଫୁଟ୍‌ବଲ ବୋଲି କୁହାଯାଉଥିଲା ।

କେବେ ହୋଇଥିଲା ଖେଳର ନିୟମ ?

ଇଂଲଣ୍ଡରେ ଦ ପୁଟ୍‌ବଲ ଆସୋସିଏସନ୍‌ ଗଠନ ହେବା ପରେ ଆଧୁନିକ ଫୁଟ୍‌ବଲକୁ ଗୁରୁତ୍ୱ ଦିଆଯାଇଥିଲା । ଏହାପରେ ୧୮୬୩ ମସିହାରେ ଫୁଟ୍‌ବଲ୍‌ ଖେଳ ପାଇଁ ନିୟମ ପ୍ରସ୍ତୁତ କରାଗଲା । ସେହି ନିୟମ ଆଧାରରେ ଆଜି ଫୁଟ୍‌ବଲ୍‌ ଖେଳାଯାଉଛି । ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଫୁଟ୍‌ବଲ୍‌କୁ ନିୟନ୍ତ୍ରଣ କରୁଛି ଫେଡ୍‌ରେସନ୍‌ ଇଣ୍ଟରନାସନାଲ ଦି ଫୁଟ୍‌ବଲ ଆସୋସିଏସନ୍‌ବା ଫିଫା ।

ଫୁଟ୍‌ବଲ୍‌ର ସବୁଠୁ ଲୋକପ୍ରିୟ ଏବଂ ପ୍ରତିଷ୍ଠିତ ପ୍ରତିଯୋଗୀତା ହେଉଛି ଫିଫା ବିଶ୍ୱକପ୍‌ । ପ୍ରତି ଚାରି ବର୍ଷରେ ଥରେ ଏହା ଆୟୋଜନ କରାଯାଇଥାଏ । ଏହି ପ୍ରତିଯୋଗୀତା ପୁରା ବିଶ୍ୱରେ ପରିଚିତ । ସାରା ବିଶ୍ୱ ଏହି ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ପାଇଁ ଚାହିଁ ରହିଥାଏ । ଖରା ଦିନରେ ହେଉଥିବା ଅଲମ୍ପିକ୍‌ସର ଦର୍ଶକ ଯେତିକି ଥାଆନ୍ତି, ତାର ଦୁଇଗୁଣା ଦର୍ଶକ ଫିଫା ବିଶ୍ୱକପ୍‌ ଅପେକ୍ଷାରେ ରହିଥାନ୍ତି । ଏକ ଅନୁମାନରୁ ଜଣାଯାଇଛି ଯେ, ୨୦୦୬ରେ ଜର୍ମାନୀରେ ଆୟୋଜିତ ଫିଫାକୁ ଏକକାଳିନ ୭୧ କୋଟି ୫୧ ଲକ୍ଷ ଲୋକ ଦେଖୁଥିବା ଜଣାପଡ଼ିଥିଲା ।

୨ଥର ବନ୍ଦ ହୋଇଥିଲା ଫିଫା ବିଶ୍ୱକପ୍

୧୯୩୦ରେ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍‌ ଆୟୋଜନ ହୋଇଥିଲା । ଏହା ପରଠୁ ପ୍ରତି ଚାରିବର୍ଷରେ ଥରେ ଲଗାତାର ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । ହେଲେ ଦୁର୍ଭାଗ୍ୟବଶତଃ ଦୁଇ ଥର ଟୁର୍ଣ୍ଣାମେଣ୍ଟକୁ ବନ୍ଦ କରାଯାଇଛି । ତେବେ ବିଶ୍ୱକପ୍‌ ବାତିଲ ହେବାର ମୁଖ୍ୟ କାରଣ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ଏହି ସମୟରେ ଦୁଇ ଥର ଫିଫା ବନ୍ଦ କରାଯାଇଥିଲା । ୧୯୪୨ ଏବଂ ୧୯୪୬ରେ ହେବାକୁ ଥିବା ବିଶ୍ୱକପ୍‌ ବନ୍ଦ କରାଯାଇଥିଲା ।

କେଉଁ ଦେଶର କେତେ ଥର ହୋଇଛି ବିଜୟ ?

ଏବେ ଶେଷ ଥର ପାଇଁ ୨୦୧୮ରେ ଆୟୋଜନ କରାଯାଇଥିଲା ବିଶ୍ୱକପ୍ । ଏଥିରେ ଫ୍ରାନ୍ସ ବିଶ୍ୱ ବିଜୟୀ ହୋଇଥିଲା । ଅନ୍ୟପଟେ ବ୍ରାଜିଲ ସର୍ବାଧିକ ୫ ଥର ବିଶ୍ୱବିଜୟୀ ହୋଇଥିବା ବେଳେ ଆରମ୍ଭରୁ ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟ ସେ ଖେଳିଆସିଛି । ସେହିଭଳି ଜର୍ମାନୀ ୪ ଥର, ଇଟାଲି ୪, ଆର୍ଜେଣ୍ଟିନା ୨, ଫ୍ରାନ୍ସ ୨, ଉରୁଗୁଏ ୨, ସ୍ପେନ୍ ୧, ଇଂଲଣ୍ଡ ଗୋଟିଏ ଥର ଫିଫା ବିଶ୍ୱକପ୍ ବିଜୟୀ ହୋଇଛି ।