Advertisment

Shami Return: ଟିମ୍ ଇଣ୍ଡିଆ ପାଇଁ କେତେ ଗୁରୁତ୍ୱ ରଖେ ଶାମୀଙ୍କ ପ୍ରତ୍ୟାବର୍ତ୍ତନ

ଭାରତୀୟ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭେଟେରାନ୍ ପେସର୍ ମହମ୍ମଦ ଶାମୀ । ଚାମ୍ପିଅନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ତାଙ୍କୁ ଟିମ୍‌ରେ ମିଳିଛି ସୁଯୋଗ । ୧୪ ମାସ ପରେ ତାଙ୍କ ଆନ୍ତର୍ଜାତିକ ପ୍ରତ୍ୟାବର୍ତ୍ତନକୁ ନେଇ ଏବେ କ୍ରିକେଟ୍ ମହଲରେ ଚାଲିଛି ଚର୍ଚ୍ଚା।

author-image
Biswajit Mohanty
ଅଦ୍ୟତନ ହୋଇଛି
How important is mohammed shami's return for Team India

How important is mohammed shami's return for Team India

ପ୍ରାୟ ୧୪ ମାସର ବ୍ୟବଧାନ ପରେ ଭେଟେରାନ୍ ପେସର୍ ମହମ୍ମଦ ଶାମୀ ଭାରତୀୟ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଜାନୁଆରୀ ୨୨ରୁ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ସେ ୧୫ ଜଣିଆ ଟିମ୍‌ରେ ସ୍ଥାନ ପାଇଛନ୍ତି । ତାଙ୍କ ପ୍ରତ୍ୟାବର୍ତ୍ତନ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଜାତ କରିଛି ।

Advertisment

୩୪ବର୍ଷୀୟ ଶାମୀ ଶେଷ ଥର ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ଏହି କ୍ରିକେଟ୍ ମହାସମରରେ ସେ ସର୍ବାଧିକ ୨୪ ୱିକେଟ୍ ହାସଲ କରିଥିଲେ ।

ତେବେ ପାଦର ଗଣ୍ଠିରେ ଯନ୍ତ୍ରଣା ଯୋଗୁଁ ଏହାପରେ ସେ ଆଉ ଆନ୍ତର୍ଜାତିକ କ୍ରିକେଟ୍ ଖେଳିପାରି ନ ଥିଲେ । ଗତ ବର୍ଷ ଜାନୁଆରୀରେ ସେ ସର୍ଜରୀ କରାଇଥିଲେ । ସୁସ୍ଥ ହେବା ପରେ ସେ ଘରୋଇ କ୍ରିକେଟ୍ ଖେଳି ନିଜ ଉପଯୋଗିତା ସାବ୍ୟସ୍ତ କରିଥିଲେ ।

Advertisment
How important is mohammed shami's return for Team Indiaଟିମ୍ ଇଣ୍ଡିଆ ପାଇଁ କେତେ ଗୁରୁତ୍ୱ ରଖେ ଶାମୀଙ୍କ ପ୍ରତ୍ୟାବର୍ତ୍ତନ

ଶାମୀଙ୍କ ଆନ୍ତର୍ଜାତିକ ପ୍ରତ୍ୟାବର୍ତ୍ତନକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା ହେଉଛି । ତାଙ୍କ ପ୍ରତ୍ୟାବର୍ତ୍ତନର ଅର୍ଥ ଟିମ୍‌କୁ ଜଣେ ଅଭିଜ୍ଞ ପେସର୍ ମିଳିବେ, ଯିଏ ନିଜର ଗତି, ସ୍ୱିଙ୍ଗ୍ ଓ ୟର୍କର ଜରିଆରେ ପ୍ରତିପକ୍ଷ ଟିମ୍‌କୁ ଚାଲେଞ୍ଜ୍ କରିପାରିବେ । ହ୍ୱାଇଟ୍ ବଲ୍ କ୍ରିକେଟ୍‌ର ଚାପଗ୍ରସ୍ତ ବାତାବରଣରେ ତାଙ୍କ ଅଭିଜ୍ଞତା ଓ ବୋଲିଂ ବିବିଧତା ଟିମ୍‌ର କାମରେ ଆସିବ ।

ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଅନ୍ତତଃ ଶେଷ ଦୁଇ ଟେଷ୍ଟ ପାଇଁ ତାଙ୍କୁ ଟିମ୍‌ରେ ସାମିଲ୍ କରାଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ଫିଟ୍ ନ ଥିଲେ । ତାଙ୍କ ଅନୁପସ୍ଥିତିରେ ଭାରତୀୟ ଟିମ୍ ୧-୩ରେ ଏହି ସିରିଜ୍ ହାରିଯାଇଥିଲା ।

ଚାମ୍ପିଅନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ଟିମ୍‌କୁ ଡକରା

ଶାମୀଙ୍କ ପ୍ରତ୍ୟାବର୍ତ୍ତନ କେବଳ ଟି-୨୦ ସେଟ୍‌-ଅପ୍ ପାଇଁ ଜରୁରୀ ନୁହେଁ, ଦିନିକିଆ ଆନ୍ତର୍ଜାତିକ ଓ ଟେଷ୍ଟ ଟିମ୍ ପାଇଁ ମଧ୍ୟ ତାଙ୍କର ଆବଶ୍ୟକତା ରହିଛି । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଦୃଢ଼ ପ୍ରଦର୍ଶନ ତାଙ୍କ ଆତ୍ମବିଶ୍ୱାସକୁ ପ୍ରତିଫଳିତ କରିବ ।

ଫେବ୍ରୁଆରୀ-ମାର୍ଚ୍ଚରେ ଦିନିକିଆ ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ତାଙ୍କୁ ଭାରତୀୟ ଟିମ୍‌ରେ ସାମିଲ୍ କରାଯାଇଛି । ତାଙ୍କ ଫିଟ୍‌ନେସ୍ ଓ ଫର୍ମ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଏହି ମେଗା ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଟି-୨୦ ଓ ଦିନିକିଆ (ଯଦି ସ୍ଥାନ ପାଆନ୍ତି) ସିରିଜ୍ ତାଙ୍କ ପାଇଁ ୱାର୍ମଅପ୍ ଭଳି ହେବ । ଏଥିରେ ଫିଟ୍‌ନେସ୍ ସାବ୍ୟସ୍ତ କରିପାରିଲେ, ବୋଲିଂ ପ୍ରଦର୍ଶନ ଉଲ୍ଲେଖନୀୟ ନ ହେଲେ ବି ତାଙ୍କୁ ଅଭିଜ୍ଞତା ଆଧାରରେ ପ୍ରାରମ୍ଭିକ ଟିମ୍‌ରେ ରଖାଯାଇପାରେ ।

ଟିମ୍‌ର ମୁଖ୍ୟ ପେସର୍ ଯଶପ୍ରୀତ ବୁମ୍‌ରା ଏବେ ଫିଟ୍ ନାହାନ୍ତି । ସେ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରୁ ବାଦ୍ ପଡ଼ିପାରନ୍ତି ବୋଲି ଆଲୋଚନା ହେଉଛି । ଯଦି ସେମିତି ହୁଏ, ତା’ହେଲେ ସେତେବେଳେ ଜଣେ ସିନିଅର୍ ପେସର୍ ଭାବରେ ଶାମୀଙ୍କ ଭୂମିକା ବହୁତ ବଢ଼ିଯିବ ।

ବୁମ୍‌ରା ଓ ଶାମୀ - ଉଭୟଙ୍କ ଉପସ୍ଥିତି ଟିମ୍‌ର ବୋଲିଂ ଲାଇନ୍‌-ଅପ୍‌କୁ ଯେ ମଜଭୁତ କରିବ, ଏଥିରେ ସନ୍ଦେହ ନାହିଁ । ଏହା ଚାମ୍ପିଅନ୍ସ ଟ୍ରଫିରେ ଭାରତର ମୁକୁଟ ସମ୍ଭାବନାକୁ ବି ଉଜ୍ଜ୍ୱଳ କରିବ ।

How important is mohammed shami's return for Team Indiaଟିମ୍ ଇଣ୍ଡିଆ ପାଇଁ କେତେ ଗୁରୁତ୍ୱ ରଖେ ଶାମୀଙ୍କ ପ୍ରତ୍ୟାବର୍ତ୍ତନ

ଘରୋଇ କ୍ରିକେଟ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ

ମ୍ୟାଚ୍ ଫିଟ୍‌ନେସ୍ ପାଇଁ ଶାମୀ ଘରୋଇ କ୍ରିକେଟ୍ ଖେଳିଥିଲେ, ଯେଉଁଥିରେ ସେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ଆଘାତରୁ ସୁସ୍ଥ ହେବା ପରେ ସେ ରଣଜୀ ଟ୍ରଫି ୨୦୨୪-୨୫ର ରାଉଣ୍ଡ-୧ରେ ବଙ୍ଗଳା ପକ୍ଷରୁ ମଧ୍ୟ ପ୍ରଦେଶ ବିପକ୍ଷ ମ୍ୟାଚ୍ ଜରିଆରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ମ୍ୟାଚ୍‌ରେ ସେ ୩.୬ ଇକନମୀ ରେଟ୍‌ରେ ବୋଲିଂ କରି ୭ ୱିକେଟ୍ ନେଇଥିଲେ ।

ସୟଦ ମୁସ୍ତାକ୍ ଅଲୀ ଟ୍ରଫି (ଟି-୨୦) ୨୦୨୪ ଓ ବିଜୟ ହଜାରେ ଟ୍ରଫି (ଦିନିକିଆ) ୨୦୨୪-୨୫ରେ ମଧ୍ୟ ଏହି ପେସର୍ ଖେଳିଥିଲେ । ଏହା ଫଳରେ ଭାରତୀୟ ଟିମ୍‌ରେ ତାଙ୍କ ପ୍ରତ୍ୟାବର୍ତ୍ତନର ଆଶା ବଢ଼ିଯାଇଥିଲା । ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ସେ ନଅ ମ୍ୟାଚ୍ ଖେଳି ୧୧ ୱିକେଟ୍ ନେଇଥିବା ବେଳେ ବିଜୟ ହଜାରେ ଟ୍ରଫିରେ ତିନି ମ୍ୟାଚ୍ ଖେଳି ପାଞ୍ଚ ୱିକେଟ୍ ଅକ୍ତିଆର କରିଥିଲେ ।

ଟି-୨୦ରେ ଯୁବ ପେସର୍‌ଙ୍କ ପାଇଁ ହେବେ ମାର୍ଗଦର୍ଶକ

ଭାରତୀୟ ଟିମ୍ ଡେଥ୍ ଓଭର୍‌ରେ ଅଧିକ ରନ୍ ଦେଉଥିବାର ଦେଖିବାକୁ ମିଳୁଛି । ଶାମୀ ଆସିବା ଦ୍ୱାରା ଏହି ସମସ୍ୟା ଦୂର ହୋଇପାରେ । ଚାପଗ୍ରସ୍ତ ପରିସ୍ଥିତିରେ ତାଙ୍କ ସଠିକ୍ ୟର୍କର, ଧିମା ବୋଲିଂ ଏବଂ ପ୍ରଦର୍ଶନରେ ବିବିଧତା ପ୍ରତିପକ୍ଷ ଟିମ୍‌ର ରନ୍‌ଗତିରେ ଅଙ୍କୁଶ ଲଗାଇବା ପାଇଁ ଯଥେଷ୍ଟ । ବଲ୍‌କୁ ସ୍ୱିଙ୍ଗ୍ କରାଇବାର ସାମର୍ଥ୍ୟ ପାୱାରପ୍ଲେରେ ତାଙ୍କର ପ୍ରମୁଖ ଅସ୍ତ୍ର ହୋଇଥାଏ ।

How important is mohammed shami's return for Team India ଟିମ୍ ଇଣ୍ଡିଆ ପାଇଁ କେତେ ଗୁରୁତ୍ୱ ରଖେ ଶାମୀଙ୍କ ପ୍ରତ୍ୟାବର୍ତ୍ତନ

ଆକ୍ରମଣାତ୍ମକ ଆରମ୍ଭ ପାଇଁ ଜଣାଶୁଣା ଇଂଲଣ୍ଡ ଟିମ୍ ବିପକ୍ଷରେ ଶାମୀଙ୍କ ଉପସ୍ଥିତି ଭାରତ ପାଇଁ ସଅଳ ୱିକେଟ୍ ସୁନିଶ୍ଚିତ କରିବ ଏବଂ ପ୍ରତିପକ୍ଷ ଟିମ୍‌ର ଲୟ ବିଗିଡ଼ିବ । ଯୋଡ଼ି ଭାଙ୍ଗିବା ଓ ପ୍ରମୁଖ ବ୍ୟାଟର୍‌ଙ୍କୁ ପାଭିଲିଅନ୍ ପଠାଇବାରେ ବି ତାଙ୍କର ଭୂମିକା ରହିଆସିଛି ।

ଟି-୨୦ ଆନ୍ତର୍ଜାତିକ ଟିମ୍‌କୁ ଫେରିଥିବା ଶାମୀଙ୍କ ଉପସ୍ଥିତି କେବଳ ବୋଲିଂ ଆକ୍ରମଣକୁ ମଜଭୁତ କରିବନି, ଟିମ୍‌ର ଯୁବ ପେସର୍‌ମାନଙ୍କୁ ମଧ୍ୟ ପ୍ରେରଣା ହେବ । ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କ ଭଳି ପେସର୍ ଶାମୀଙ୍କ ମାର୍ଗଦର୍ଶନରୁ ଉପକୃତ ହୋଇପାରିବେ ।

ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ସେ ବୋଲିଂ ବାହିନୀର ନେତୃତ୍ୱ ନେବା ସହ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଟିମ୍‌କୁ ଜିତାଇବାରେ ସହାୟକ ହେବେ ବୋଲି ଆଶା କରାଯାଉଛି ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Mohammed Shami Team India
Advertisment
Advertisment