• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟିମ୍‌ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ ବ୍ୟକ୍ତିଗତ ଜୀବନ ଓ ବୃତ୍ତିଗତ ଜୀବନ ଉଭୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିଜର ଧୁଆଁଧାର ବ୍ୟାଟିଂ ପାଇଁ ବିଶ୍ୱ କ୍ରିକେଟ୍‌ରେ ଜଣେ ପରିଚିତ ଚେହେରା । କ୍ରିକେଟ୍‌ରେ ପ୍ରତିଟି ଖେଳାଳିଙ୍କ ଜର୍ସି ପଛରେ ଏକ ନମ୍ବର ଲେଖାଯାଇଥାଏ, ଯାହା ତାଙ୍କ ଇଚ୍ଛାନୁଯାୟୀ ରଖାଯାଏ । ତେବେ ଏହି ଜର୍ସି ନମ୍ବର କୁ ନେଇ ପ୍ରତିଟି ଖେଳାଳିର କିଛି ନା କିଛି କାହାଣୀ ଲୁଚି ରହିଥାଏ । ଏହାକୁ ସମସ୍ତେ ନିଜର ଲକି ନଂ ବୋଲି ମଧ୍ୟ କୁହନ୍ତି । ଆପଣମାନେ ସମସ୍ତେ ଦେଖିଥିବେ ବିରାଟ କୋହଲି ୧୮ନଂ ଜର୍ସି ପିନ୍ଧି କ୍ରିକେଟ୍‌ ପଡ଼ିଆକୁ ଓହ୍ଲାଇଥାନ୍ତି । ତେବେ ଏହି ୧୮ ନଂ ପଛରେ ରହିଛି ଏକ ଭାବପୂର୍ଣ୍ଣ କାହାଣୀ । ଆସନ୍ତୁ ଜାଣିବା..

ବିରାଟ କୋହଲି ନିଜ କ୍ରିକେଟ୍‌ କ୍ୟାରିୟର ଆରମ୍ଭରୁ ହିଁ ୧୮ ନଂ ଜର୍ସିରେ ଖେଳି ଆସୁଛନ୍ତି । ୨୦୦୮ U-19 ବିଶ୍ୱକପ୍‌ରେ ଅଧିନାୟକ ଥିଲା ବେଳୁ ହିଁ ସେ ୧୮ ନଂ ଜର୍ସି ପିନ୍ଧି ଆସୁଛନ୍ତି । ବିନା କିଛି ଅସୁବିଧାରେ ତାଙ୍କୁ ଏହି ନଂ ଟି ମିଳିଯାଇଥିଲା । ଡିସେମ୍ବର ୧୮, ୨୦୦୬ ରେ କୋହଲିଙ୍କୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ସେହିଦିନକୁ ସ୍ମରଣୀୟ କରିବା ପାଇଁ ସେ ୧୮ ନଂ ଜର୍ସି ପିନ୍ଧି ଆସୁଛନ୍ତି । 

ବାପାଙ୍କ ଦେହାନ୍ତ ଦିନ କୋହଲି କର୍ଣ୍ଣାଟକ ବିପକ୍ଷରେ ଦିଲ୍ଲୀ ପକ୍ଷରୁ ରଣଜୀ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ । ସେହି ମ୍ୟାଚ୍‌ରେ କୋହଲି ୯୦ ରନ୍‌ର ଦମଦାର ଇନିଂସ ଖେଳିଥିଲେ । ତାଙ୍କ ମାଆ ଓ ପରିବାର ଲୋକଙ୍କ ପରାମର୍ଶ ପରେ ସେ ପିତାଙ୍କ ଦେହାନ୍ତ ପରଦିନ ମଧ୍ୟ କ୍ରିକେଟ୍‌ ପଡ଼ିଆକୁ ଓହ୍ଲାଇଥିଲେ । ତାଙ୍କର ଏହି ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଜଣାଇଥିଲେ ।

କୋହଲି ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ବେଳେ କହିଥିଲେ ଯେ, ‘ମୋର ଆଜି ବି ମନେ ଅଛି ସେହି ରାତି, ଯେଉଁଦିନ ମୋ ବାପାଙ୍କର ଦେହାନ୍ତ ହୋଇଥିଲା । ଏହା ମୋ ପାଇଁ ଜୀବନର କଷ୍ଟଦାୟକ ସମୟ ଥିଲା । ତା’ପରଦିନ ପୁଣି କ୍ରିକେଟ୍‌ ପଡ଼ିଆକୁ ଓହ୍ଲାଇବା ମୋ ପାଇଁ ବେଶ୍‌ କଠିନ୍‌ ସମୟ ଥିଲା । ବାପାଙ୍କ ଦେହାନ୍ତ ପରଦିନ ସକାଳେ ମୁଁ ମୋ କୋଚ୍‌ଙ୍କୁ ଫୋନ୍‌ କଲି ଏବଂ ଖେଳିବା ପାଇଁ କହିଲି । ମୋ ପାଇଁ ମ୍ୟାଚ୍‌ ଅଧାରେ ଛାଡ଼ିବା ପାପ ସହ ସମାନ । ସେହି ମୁହୂର୍ତ୍ତଟି ମୋ ଜୀବନକୁ ବଦଳାଇ ଦେଲା । ସେହି ସମୟରେ ଜାଣିପାରିଲି ଯେ କ୍ରିକେଟ୍‌ ମୋ ଜୀବନରେ ବେଶ୍‌ ମହତ୍ତ୍ୱପୂର୍ଣ୍ଣ’ ।