ଗମ୍ଭୀରଙ୍କ ବଡ଼ ବୟାନ; କହିଲେ, ୨୦୨୭ ବିଶ୍ୱକପ୍‌ ଖେଳିପାରନ୍ତି ବିରାଟ-ରୋହିତ

ଶ୍ରୀଲଙ୍କା ଗସ୍ତ ଆରମ୍ଭ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

Gambhir on Virat-Rohit

ଆସନ୍ତା ଜୁଲାଇ ୨୭ରୁ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିବ ଭାରତ । ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ସେହିପରି ରୋହିତ ଶର୍ମା ଦିନିକିଆରେ ଦାୟିତ୍ୱ ତୁଲାଇବେ । ତେବେ ଉଭୟ ଟି-୨୦ ଓ ଦିନିକିଆ ସିରିଜରେ ଉପ ଅଧିନାୟକଙ୍କ ଦାୟିତ୍ୱ ଶୁଭମନ ଗିଲଙ୍କୁ ଦିଆଯାଇଛି ।

ଏହି ସିରିଜ୍‌ ସହିତ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ତାଙ୍କ କାର୍ଯ୍ୟକାଳ ମଧ୍ୟ ଆରମ୍ଭ କରୁଛନ୍ତି । ଶ୍ରୀଲଙ୍କା ଗସ୍ତ ଆରମ୍ଭ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଭେଟେରାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ଗମ୍ଭୀର ମଧ୍ୟ ଏକ ବଡ଼ ବୟାନ ଦେଇଛନ୍ତି । ଗମ୍ଭୀର କହିଛନ୍ତି ଯେ ବିରାଟ-ରୋହିତ ୨୦୨୭ ଦିନିକିଆ ବିଶ୍ୱକପ ବି ଖେଳିପାରିବେ।

ଅଧିକ ପଢ଼ନ୍ତୁ: 'ସତସାହସ ଥିଲେ...'ସାନିଆଙ୍କ ନାଁ ଶୁଣି ରାଗିଲେ ସାମି !

ଗମ୍ଭୀର କହିଛନ୍ତି, 'ମୁଁ ଭାବୁଛି ସେ ଟି -୨୦ ବିଶ୍ୱକପ ହେଉ କିମ୍ବା ଦିନିକିଆ ବିଶ୍ୱକପ । ବଡ଼ ମଞ୍ଚରେ କ’ଣ କରିପାରିବେ ତାହା ଦୁହେଁ ଦର୍ଶାଇଛନ୍ତି । ସେହି ଖେଳାଳିଙ୍କ ଭିତରେ ଏବେ ବି ବହୁତ କ୍ରିକେଟ୍ ବାକି ଅଛି । ଚାମ୍ପିଅନ୍ସ ଟ୍ରଫି ଆସୁଛି, ଅଷ୍ଟ୍ରେଲିଆରେ ଏକ ବଡ଼ ଟେଷ୍ଟ ସିରିଜ୍ ଆସୁଛି । ଯଦି ସେମାନେ ନିଜ ଫିଟନେସ୍ ବଜାୟ ରଖିପାରିବେ, ତେବେ ସେମାନେ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିପାରିବେ ବୋଲି ଗୌତମ ଗମ୍ଭୀର କହିଛନ୍ତି ।

ରୋହିତ-ବିରାଟଙ୍କ ଟି -୨୦ ଇଣ୍ଟରନ୍ୟାସନାଲରୁ ଅବସର ସମ୍ପର୍କରେ ଗମ୍ଭୀର କହିଛନ୍ତି, 'ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି । ତାଙ୍କ ଭିତରେ କେତେ କ୍ରିକେଟ୍ ବାକି ଅଛି ମୁଁ କହି ପାରିବି ନାହିଁ । କିନ୍ତୁ ଏବେ ବି ତାଙ୍କ ଭିତରେ ଅନେକ କ୍ରିକେଟ୍ ବାକି ଅଛି ।

ଗୌତମ ଗମ୍ଭୀର କହିଛନ୍ତି, ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖେଳାଳିମାନେ ମୋତେ ସବୁବେଳେ ସମର୍ଥନ କରିବେ । ଡ୍ରେସିଂ ରୁମରେ ଖୁସିର ପରିବେଶ ରହିବା ଜରୁରୀ । ମୁଁ ଜିନିଷଗୁଡ଼ିକୁ ଜଟିଳ କରିବାକୁ ଚାହେଁ ନାହିଁ । ମୁଁ ଏକ ସଫଳ ଦଳକୁ ଆଗେଇ ନେଉଛି । ଗମ୍ଭୀର କହିଛନ୍ତି ଯେ, ବ୍ୟାଟ୍ସମ୍ୟାନ୍‌ଙ୍କ ଅପେକ୍ଷା ବୋଲରମାନେ ଅଧିକ ବିଶ୍ରାମ ଆବଶ୍ୟକ କରନ୍ତି ।

ଗମ୍ଭୀର କହିଛନ୍ତି, ଜସପ୍ରୀତ ବୁମ୍ରାଙ୍କ ପରି ଜଣେ ଖେଳାଳିଙ୍କ ପାଇଁ ୱାର୍କଲୋଡ୍‌ ପରିଚାଳନା ଗୁରୁତ୍ୱପୂର୍ଣ୍ଣ । ରୋହିତ ଏବଂ ବିରାଟ ଟି -୨୦ ଖେଳୁ ନାହାଁନ୍ତି, ତେଣୁ ସେମାନଙ୍କୁ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଉପଲବ୍ଧ ହେବାକୁ ପଡ଼ିବ । କେବଳ ଜସପ୍ରୀତ ବୁମ୍ରାଙ୍କ ପାଇଁ ନୁହେଁ ବରଂ ଅଧିକାଂଶ ବୋଲରଙ୍କ ପାଇଁ କାର୍ଯ୍ୟଭାର ପରିଚାଳନା ଗୁରୁତ୍ୱପୂର୍ଣ୍ଣ ବୋଲି ଗମ୍ଭୀର କହିଛନ୍ତି ।

ସୂଚନା ଅନୁସାରେ ୨୦୨୭ ଦିନିକିଆ ବିଶ୍ୱକପ୍‌ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଆୟୋଜିତ ହେବ । ଅର୍ଥାତ୍ ଦିନିକିଆ ବିଶ୍ୱକପ୍‌କୁ ଏବେ ଆଉ ପ୍ରାୟ ତିନି ବର୍ଷ ବାକି ଅଛି । ସେତେବେଳକୁ ରୋହିତଙ୍କ ବୟସ ୪୦ ଓ ବିରାଟଙ୍କ ବୟସ ପାଖାପାଖି ୩୯ ବର୍ଷ ହୋଇସାରିଥିବ। ତେଣୁ ଯଦି ଉଭୟ ବ୍ୟାଟ୍ସମ୍ୟାନ୍‌ ଫିଟନେସ୍ ରଖିପାରିବେ ତେବେ ଉଭୟେ ଦିନିକିଆ ବିଶ୍ୱକପ୍‌ ଖେଳିପାରିବେ।

ଅଧିକ ପଢ଼ନ୍ତୁ: ଭାଙ୍ଗିଲା ୪ ବର୍ଷର ବୈବାହିକ ଜୀବନ, ଦାମ୍ପତ୍ୟ ଜୀବନରୁ ଅଲଗା ହେଲେ ହାର୍ଦ୍ଦିକ-ନତାଶା