• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆପଣ କ୍ରିକେଟ ପ୍ରେମୀ କି ? ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବାକୁ ଟିକେଟ କରିଛନ୍ତି କି ? ଯଦି ଆପଣ କ୍ରିକେଟ ପ୍ରେମୀ ତା’ହେଲେ ଖୁସି ହୋଇଯା’ନ୍ତୁ । ଷ୍ଟାଡିୟମରେ ବିଶ୍ୱକପ 2023ର ମ୍ୟାଚ ଦେଖିବାକୁ ପ୍ଲାନ୍ କରିଥିଲେ ଆପଣଙ୍କ ପାଇଁ ଏକ ଖୁସି ଖବର । ଏଣିକି ଷ୍ଟାଡିୟମରେ ମ୍ୟାଚର ମଜା ସହ ମିଳିବ ଏକ୍ସଟ୍ରା ଫ୍ଲେବର । ଷ୍ଟାଡିୟମରେ ମିଳିବ କୋଲଡ୍ରିଙ୍କ୍ସ ଓ ପପକର୍ଣ୍ଣ । ଏଥିପାଇଁ ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବନି । ସବୁ ଖର୍ଚ୍ଚ ବହନ କରିବ ମ୍ୟାଚ୍ ଆୟୋଜନ କରୁଥିବା କ୍ରିକେଟ ସଂଘ ।

କିଛି ନିର୍ଦ୍ଦିଷ୍ଟ ଫ୍ୟାନ୍ସଙ୍କୁ ନୁହେଁ ଷ୍ଟାଡିୟମରେ ଉପସ୍ଥିତ ପ୍ରତ୍ୟେକ ଦର୍ଶକଙ୍କୁ ମିଳିବ । ଏପରି ନିଷ୍ପତ୍ତି ନେଇଛି ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ । ମୁମ୍ବାଇର ଐତିହାସିକ ୱାଙ୍ଖେଡ଼େ ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ଏ ସୁବିଧା ଉପଲବ୍ଧ ହେବ । ଚଳିତ ଦିନିକିଆ ବିଶ୍ୱକପର ୩୩ତମ ମ୍ୟାଚ ୱାଙ୍ଖେଡ଼େରେ ଖେଳାଯିବା ନେଇ ସୂଚୀ ରହିଛି ।

ନଭେମ୍ବର ୨ରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ମୁହାମୁହିଁ ହେବେ ୨୦୧୧ ବିଶ୍ୱକପର ଦୁଇ ଫାଇନାଲିଷ୍ଟ ଭାରତ ଓ ଶ୍ରୀଲଙ୍କା । ଏହି ମ୍ୟାଚରେ ଦର୍ଶକଙ୍କୁ ପପକର୍ଣ୍ଣ ଓ କୋଲଡ୍ରିଙ୍ଗ୍ସ ଯୋଗାଇବ ମହାରାଷ୍ଟ୍ର କ୍ରିକେଟ ସଂଘ ।  ଏନେଇ ଘୋଷଣା କରିଛନ୍ତି MCA ସଭାପତି ଅମୋଲ କାଲେ । କାଲେ କହିଛନ୍ତି ଦର୍ଶକଙ୍କ ପାଇଁ ପପକର୍ଣ୍ଣ ଓ କୋଲଡ୍ରିଙ୍କ୍ସର ଖର୍ଚ୍ଚ ଏମସିଏ ବହନ କରିବ ।

ତେବେ ଦର୍ଶକଙ୍କୁ ଷ୍ଟାଡିୟମରେ ପହଞ୍ଚିବା ପରେ ନିର୍ଦ୍ଦିଷ୍ଟ କାଉଣ୍ଟରରେ ନିଜର ଟିକେଟ ଦେଖାଇବାକୁ ହେବ ।  MCA ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ ଦର୍ଶକ ପାଇଁ ଏପରି ସୁବିଧା ଭାରତ-ଶ୍ରୀଲଙ୍କା ମ୍ୟାଚ ଠାରୁ ଆରମ୍ଭ ହେବ ଓ ସେମିଫାଇନାଲ ପର୍ଯ୍ୟନ୍ତ ଚାଲିବ । ଭାରତ-ଶ୍ରୀଲଙ୍କା ମ୍ୟାଚ ପରେ ୱାଙ୍ଖେଡ଼େରେ ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ଓ ନଭେମ୍ବର ୧୫ରେ ବିଶ୍ୱକପ 2023ର ସେମିଫାଇନାଲ ଖେଳାଯିବ ।