Advertisment

FIFA World Cup: ବିଶ୍ୱକପ୍ ‌ଆୟୋଜନ ପାଇଁ ୩ ଶହ ବିଲିୟନ୍ ଡଲାର ଖର୍ଚ୍ଚ, ଖେଳାଳିଙ୍କ ରହଣି ପାଇଁ ଲକ୍‌ଜୁରୀ କ୍ରୁଜ୍‌

୨୯ ଦିନ, ୩୨ ଟିମ୍, ୬୪ ମ୍ୟାଚ୍ ବିଶ୍ୱର ସବୁଠୁ ବଡ ସ୍ପୋର୍ଟସ ଇଭେଣ୍ଟ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଖେଳାଳି ଓ ସେମାନଙ୍କ ପରିବାର ରହିବା ପାଇଁ ଲକ୍‌ଜୁରୀ କ୍ରୁଜ୍‌ର ବ୍ୟବସ୍ଥା ହୋଇଛି। ସେଭେନ୍ ଷ୍ଟାର ହୋଟେଲରୁ କମ୍ ନୁହେଁ ଏହି ଷ୍ଟାର କ୍ରୁଜ୍।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
FIFA World Cup 2022 From Tomorrow

FIFA World Cup 2022 From Tomorrow

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଫୁଟ୍‌ବଲ୍‌ ମହାକୁମ୍ଭ। ଏଥର କାତାରରେ ଖେଳା ଯାଉଛି ଫିଫା ବିଶ୍ୱକପ୍(FIFA World Cup 2022)। ବିଶ୍ୱର ସବୁଠୁ ବଡ଼ କ୍ରୀଡା ଇଭେଣ୍ଟ ପାଇଁ ଷ୍ଟାଡିୟମ୍ ଓ ଖେଳାଳିଙ୍କ ସହ ସାରା ବିଶ୍ୱବାସୀ ବି ପ୍ରସ୍ତୁତ ଅଛନ୍ତି। ଏଥର ଫୁଟ୍‌ବଲ୍‌ ମହାକୁମ୍ଭରେ ଭାଗ ନେଉଛନ୍ତି ବିଶ୍ୱର ୩୨ଟି ବଡ ଟିମ୍। ୮ଟି ଗ୍ରୁପ୍‌ରେ ଏହି ଟିମ୍‌କୁ ଭାଗ କରାଯାଇ ଗ୍ରୁପ୍ ମ୍ୟାଚ୍, ରାଉଣ୍ଡ ଅଫ୍ ସିକ୍ସଟିନ୍ ଏବଂ ନକ୍ ଆଉଟ୍ ପର୍ଯ୍ୟାୟ ଖେଳାଯିବ। ଡିସେମ୍ବର ୧୮ରେ ରହିଛି ଫିଫା ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍। 

Advertisment

୨୯ ଦିନ, ୩୨ ଟିମ୍, ୬୪ ମ୍ୟାଚ୍ ବିଶ୍ୱର ସବୁଠୁ ବଡ ସ୍ପୋର୍ଟସ ଇଭେଣ୍ଟ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ରାଜଧାନୀ ଦୋହାରେ ମ୍ୟାଚ୍ ଦେଖିବାକୁ ଆଗୁଆ ପହଞ୍ଚି ସାରିଛନ୍ତି ଫ୍ୟାନ୍। ବିଶ୍ୱକପ୍ ପାଇଁ ବଡ ଧରଣର ଆୟୋଜନ କରିଛି କାତାର। ଖେଳାଳି ଓ ସେମାନଙ୍କ ପରିବାର ରହିବା ପାଇଁ ଲକ୍‌ଜୁରୀ କ୍ରୁଜ୍‌ର ବ୍ୟବସ୍ଥା ହୋଇଛି। ସେଭେନ୍ ଷ୍ଟାର ହୋଟେଲରୁ କମ୍ ନୁହେଁ ଏହି ଷ୍ଟାର କ୍ରୁଜ୍। ସୁଇମିଂ ପୁଲ୍‌ରୁ ସପିଂ ମଲ୍, ସବୁକିଛି ରହିଛି ଏହି କ୍ରୁଜ୍‌ରେ।  

ବିଶ୍ୱକପ୍ ‌ଆୟୋଜନ ପାଇଁ ୩ ଶହ ବିଲିୟନ୍ ଡଲାର ଖର୍ଚ୍ଚ କରିଛି କାତାର। କାତାର ଭଳି ଏକ ଛୋଟ ଦେଶରେ ଏତେ ବଡ଼ କ୍ରୀଡା ଇଭେଣ୍ଟର ଆୟୋଜନ ପାଲିଟିଛି ବଡ ଚ୍ୟାଲେଞ୍ଜ। ସେପଟେ ବିଶ୍ୱକପ୍ ମ୍ୟାଚ୍ ବେଳେ ଷ୍ଟାଡିୟମ୍ ପରିସରରେ ମଦ ବିକ୍ରି ନକରିବାକୁ ନିଷ୍ପତ୍ତି ନେଇଛି କାତାର। ଫଳରେ Budweiser ସହ ଫିଫା କରିଥିବା ୭୫ ମିଲିୟନ୍ ଡଲାରର ସ୍ପନ୍‌ସର୍‌ସିପ୍ ଚୁକ୍ତି ବାତିଲ ହେବା ସମ୍ଭାବନା ରହିଛି। ଫ୍ୟାନ୍‌ ବି ନିରାଶ ହୋଇଛନ୍ତି। ଏହାରି ଭିତରେ ଫିଫାର ପୂର୍ବତନ ଅଧ୍ୟକ୍ଷ ସେପ୍ ବ୍ଲାଟର କହିଛନ୍ତି, କାତାରକୁ ବିଶ୍ୱକପ୍ ଆଯୋଜନ ଅଧିକାର ଦେବା ଭୁଲ୍ ନିଷ୍ପତ୍ତି ଥିଲା। ଫିଫା ବିଶ୍ୱକପ୍-୨୦୨୨ରେ ଏଥର କେବଳ ଫୁଟବଲ୍‌ର ବାଦଶାହା କିଏ ହେବ ତାହା ବାଜିରେ ଲାଗିନି। ବରଂ ୧୮ କ୍ୟାରେଟ୍ ସୁନାର ଚକ୍‌ମକ୍‌ ଟ୍ରଫି ସହ ବିଜେତା ଟିମ୍ ଉପରେ ହେବ ଡଲାରର ବର୍ଷା। ଏଥର ବିଶ୍ୱକପ୍ ଚାମ୍ପିଅନ ଟିମ୍‌କୁ ମିଳିବ ୪୨ ମିଲିୟନ୍ ଡଲାର ଅର୍ଥାତ୍ ୩୪୩ କୋଟି ଟଙ୍କାର ପୁରସ୍କାର।

Advertisment

ବିଶ୍ୱକପ୍‌ରେ ବିଶ୍ୱର ଶ୍ରେଷ୍ଠ ଟିମ୍ ବଛା ବଛା ୩୨ଟି ଟିମ୍‌କୁ ଭାଗ କରାଯାଇଛି ୮ ଟି ଗ୍ରୁପ୍‌ରେ। ୨୦ ନଭେମ୍ବରରୁ ୨ ଡିସେମ୍ବର ଯାଏ ରହିଛି ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟ। ଏଥିରେ ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବ। ପ୍ରତି ଗ୍ରୁପ୍‌ରେ ଟପ୍ ଟୁ ଟିମ୍ ରାଉଣ୍ଡ ଅଫ୍ ସିକ୍ସଟିନ୍‌କୁ ଯିବେ। ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବ ନକ୍ ଆଉଟ୍ ମ୍ୟାଚ୍। ଏହାପରେ କ୍ୱାର୍ଟର ଫାଇନାଲ୍‌ରୁ ଫାଇନାଲ୍‌ ଯାଏ ସ୍ଥିର ହେବ ରାସ୍ତା। ଡିସେମ୍ବର ୧୮ ତାରିଖରେ ରହିଛି ଫିଫା ବିଶ୍ୱକପ୍‌ର ଫାଇନାଲ ଫାଇଟ୍। ୨୯ ଦିନରେ ଟୁର୍ଣ୍ଣାମେଣ୍ଟରେ ମୋଟ ୬୪ଟି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ନଭେମ୍ବର ୨୦ ତାରିଖରେ ଖେଳାଯିବ। ରାତି ସାଢେ ୯ଟାରେ ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ କାତାର ଏବଂ ଇକ୍ୱେଡର।

ଫିଫା ବିଶ୍ୱକପ୍‌ର ଟିମ୍ ଏବଂ ଗ୍ରୁପ୍...

  • ଗ୍ରୁପ୍-A- କାତାର, ଇକ୍ୱେଡର, ସିନେଗାଲ, ନେଦରଲ୍ୟାଣ୍ଡସ
  • ଗ୍ରୁପ-B- ଇଂଲଣ୍ଡ, ଇରାନ, ଆମେରିକା, ୱେଲସ୍‌
  • ଗ୍ରୁପ-C- ଆର୍ଜେଣ୍ଟିନା, ସାଉଦି ଆଅାରବ, ମେକ୍ସିକୋ, ପୋଲାଣ୍ଡ
  • ଗ୍ରୁପ-D- ଫ୍ରାନ୍ସ, ଅଷ୍ଟ୍ରେଲିଆ, ଡେନମାର୍କ, ଟ୍ୟୁନିସିଆ
  • ଗ୍ରୁପ-E- ସ୍ପେନ୍, କୋଷ୍ଟାରିକା, ଜର୍ମାନୀ, ଜାପାନ
  • ଗ୍ରୁପ-F- ବେଲଜିୟମ୍, କାନାଡା, ମୋରକ୍କୋ, କ୍ରୋଏସିଆ
  • ଗ୍ରୁପ୍-G- ବ୍ରାଜିଲ୍, ସର୍ବିୟା, ସ୍ୱିଜରଲାଣ୍ଡ, କେମରୁନ୍
  • ଗ୍ରୁପ-H- ପର୍ତ୍ତୁଗାଲ, ଘାନା, ଉରୁଗୁଏ, କୋରିଆ ରିପବ୍ଲିକ୍

ଭାରତରେ ଫିଫା ବିଶ୍ୱକପ୍‌ର ପ୍ରସାରଣ ଅଧିକାର ଭାୟାକମ୍-୧୮ ପାଖରେ ରହିଛି। ସ୍ପୋର୍ଟସ-୧୮ ଏବଂ ସ୍ପୋର୍ଟସ-୧୮ ଏଚ୍‌ଡିରେ ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ। ସେହିପରି ଭୁଟ୍ ସିଲେକ୍ଟ ଏବଂ ଜିଓ ଟିଭିରେ ଟୁର୍ଣ୍ଣାମେଣ୍ଟ୍‌ର ସମସ୍ତ ମ୍ୟାଚ୍‌ର ଲାଇଭ୍ ଷ୍ଟ୍ରିମିଂ ହେବ। ଭାରତୀୟ ସମୟ ଅନୁସାରେ ଦିନ ସାଢେ ୩ଟା, ସନ୍ଧ୍ୟା ସାଢେ ୬ଟା, ରାତି ସାଢେ ୮ଟା ଓ ସାଢେ ୯ଟା ଏବଂ ରାତି ସାଢେ ୧୨ଟାରେ ମ୍ୟାଚ୍ ଖେଳାଯିବ।

FIFA World Cup 2022
Advertisment
Advertisment