Advertisment

କମନୱେଲ୍ଥ ଗେମ୍ସରେ କନ୍ୟାରତ୍ନଙ୍କ କମାଲ୍ : ମହିଳା କ୍ରିକେଟରେ ଭାରତକୁ ଐତିହାସିକ ରୌପ୍ୟ ପଦକ

୧୬ ବର୍ଷ ପରେ ଦେଶକୁ ପଦକ ଆଣିଲେ ମହିଳା ହକି ଟିମ୍

author-image
Prangyan Parimita
special story

special story

କମାଲ୍ କଲେ ଦେଶର କନ୍ୟାରତ୍ନ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଖେଳାଳିଙ୍କ ସଫଳତା କମନୱେଲ୍ଥ ଗେମ୍ସରେ ପ୍ରଥମ କରି ସାମିଲ ହୋଇଥିବା ମହିଳା କ୍ରିକେଟରେ ଭାରତ ଗୋଲ୍ଡ ମେଡାଲରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ବି ରୌପ୍ୟ ପଦକ ହାତେଇ ଇତିହାସ ରଚିଛି । ସେହିପରି ମହିଳା ହକିରେ ମଧ୍ୟ ଭାରତୀୟ ଟିମ୍ ମେଡାଲ୍ ଆଣିବାରେ ସଫଳ ହୋଇଛି । ଯଦିଓ ଏହା ବ୍ରୋଞ୍ଜ ପଦକ, ତଥାପି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ହକି ଟିମ୍ ୧୬ ବର୍ଷ ପରେ ଏହାକୁ ହାତେଇବାରେ ସକ୍ଷମ ।

Advertisment

ଖୁସି ବିଜୟର, ଖୁସି ଦେଶ ପାଇଁ ମେଡାଲ୍ ଆଣିବାର । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମେଡାଲ୍ ଜିତିବା ପରେ ଭାରତୀୟ ମହିଳା ହକି ଟିମର ସେଲିବ୍ରେସନ । ନାଚଗୀତରେ ମସଗୁଲ ଭାରତୀୟ ମହିଳା ହକି ଖେଳାଳି । ଗୀତର ତାଳେ ତାଳେ ଖୁସିରେ ଝୁମୁଛନ୍ତି ଭାରତୀୟ ମହିଳା ହକି ଖେଳାଳିମାନେ । ବର୍ମିଙ୍ଗହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହକିରେ ମହିଳା ଟିମ୍ ବ୍ରୋଞ୍ଜ ମେଡାଲ୍ ଜିତିବା ସହ ଇତିହାସ ରଚିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୬ ବର୍ଷ ପରେ ଭାରତୀୟ ମହିଳା ହକି ଟିମ୍ ଏହି ସଫଳତା ପାଇଛି ନ୍ୟୁଜିଲାଣ୍ଡକୁ ପେନାଲଟି ସୁଟଆଉଟରେ ହରାଇ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ହାତେଇଛି । ଭାରତୀୟ ମହିଳା ହକି ଦଳରେ ଥିଲେ ଓଡିଆ ଖେଳାଳି ଦୀପଗ୍ରେସ ଏକ୍କା । ତେଣୁ ଏହା ନିଶ୍ଚିତ ଭାବେ ଓଡ଼ିଆଙ୍କ ପାଇଁ ମଧ୍ୟ ଗର୍ବର ବିଷୟ । ୧୬ ବର୍ଷ ତଳେ ୨୦୦୬ ମେଲୋବର୍ଣ୍ଣ କମନେଓ୍ୱଲ୍ଥ୍ ଗେମ୍ସରେ ଭାରତୀୟ ମହିଳା ହକି ଟିମ୍ ରୌପ୍ୟ ଜିତିଥିଲା । ଏବେ ବର୍ମିଙ୍ଗହାମ୍ କମନେଓ୍ୱଲ୍ଥ୍ ଗେମ୍ସରେ ମହିଳା ହକି ଟିମ୍ର ସଂଘର୍ଷ ସତ୍ତ୍ୱେ ରୌପ୍ୟ ହାତଛଡ଼ା ହୋଇଥିଲେ ବି, ବ୍ରୋଞ୍ଜ ଜିତିବାରେ ସକ୍ଷମ ହୋଇଛି ଦଳ ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ କରି ସାମିଲ କରାଯାଇଥିବା ମହିଳା କ୍ରିକେଟର୍ ବି କମାଲ୍ କରିଛନ୍ତି ଭାରତୀୟ ମହିଳା ଟିମ୍ । ଯଦିଓ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ୯ ରନରେ ଜିତିବା ସହ ସ୍ବର୍ଣ୍ଣ ପଦକ ପାଇଛି, ତଥାପି କମନେଓ୍ୱଲ୍ଥ୍ ଗେମ୍ସରେ ପ୍ରଥମ କରି ରୌପ୍ୟ ପଦକ ହାତେଇବା ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପାଇଁ କିଛି କମ୍ ଉପଲବ୍ଧି ନୁହେଁ । ଭାରତୀୟ ମହିଳା ଟିମକୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ତେବେ ୯ ରନ୍ ପାଇଁ ମହିଳା ଟିମ୍ ଗୋଲ୍ଡ ମେଡାଲରୁ ବଞ୍ଚିତ ହେବା ନିହାତି ଭାବେ ଖେଳାଳି ଓ ପ୍ରଶଂସକଙ୍କୁ ନିରାଶ କରିଛି ।

Advertisment

ଖାଲି କ୍ରିକେଟ୍ ଏବଂ ହକି କାହିଁକି ଅନ୍ୟ ଇଭେଣ୍ଟରେ ମଧ୍ୟ ମହିଳା ଆଥଲେଟିକ୍‌ ଚମକପ୍ରଦ ପ୍ରଦର୍ଶନ କରି ମେଡାଲ୍ ଆଣିଛନ୍ତି । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁରୁଷ ବିଭାଗରେ ୩୫ଟି ମେଡାଲ୍ ମିଳିଥିବା ବେଳେ ମହିଳା ବିଭାଗରେ ୨୩ଟି ଏବଂ ମିକ୍ସଡ ଇଭେଣ୍ଟରେ ୩ଟି ମେଡାଲ୍ ମିଳିଛି ।୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ, ୨୩ଟି ବ୍ରୋଞ୍ଜ ସହ ମୋଟ ୬୧ଟି ମେଡାଲ୍ ପାଇ ଭାରତ ଚଳିତ କମନୱେଲ୍ଥ ଗେମ୍ସରେ ନିଜର ଅଭିଯାନ ଶେଷ କରିଛି । ଆଜି ଉଦଯାପନୀ ଦିବସରେ ଭାରତକୁ ୪ ସ୍ୱର୍ଣ୍ଣ ସହ ମିଳିଛି ୬ଟି ପଦକ ।

ଖାଲି ହକି କି କ୍ରିକେଟ୍ ନୁହେଁ, ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଅନ୍ୟ ଇଭେଣ୍ଟରେ ବି ଚମକିଛନ୍ତି ଭାରତୀୟ ମହିଳା କ୍ରୀଡ଼ାବିତ୍ । ଆଜି ଚମକିଛନ୍ତି ଭାରତର ସୁନାଝିଅ ପି.ଭି. ସିନ୍ଧୁ । ମହିଳା ବ୍ୟାଡମିଣ୍ଟନରେ ପିଭି ସିନ୍ଧୁଙ୍କୁ ମିଳିଛି ଗୋଲ୍ଡ । ଫାଇନାଲରେ କାନାଡାର ଲି ମିଚେଲେଙ୍କୁ ହରାଇ ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ସେହିପରି ମହିଳା ଭାରତ୍ତୋଳନରେ ୪୯ କେଜି ବର୍ଗରେ ମୀରାବାଇ ଚାନୁଙ୍କୁ ମିଳିଛି ଗୋଲ୍ଡ । କମନ୍‌ୱେଲ୍ଥରେ ଭାରତୀୟ ମହିଳା ଟିମ୍ ମଧ୍ୟ ସ୍ୱର୍ଣ୍ଣ ଜିତିଛି । ମହିଳା କୁସ୍ତିରେ ୬୨ କେଜି ବର୍ଗରେ ସାକ୍ଷୀ ମଲ୍ଲିକ ସ୍ୱର୍ଣ୍ଣ ଜିତିଥିବା ବେଳେ ୫୩ କେଜି ବର୍ଗ କୁସ୍ତିରେ ଭିନେଶ ଫୋଗଟ ମଧ୍ୟ ଗୋଲ୍ଡ ହାତେଇଛନ୍ତି । ମହିଳା ଟେବୁଲ ଟେନିସ୍ ଏକକ ବିଭାଗରେ ଭାବିନା ପଟ୍ଟେଲ ଜିତିଛନ୍ତି ସ୍ୱର୍ଣ୍ଣ । ମହିଳା ବକ୍ସିଂ ୪୮ କେଜି ବର୍ଗରେ ନିତୁ ସ୍ୱର୍ଣ୍ଣ ବିଜୟୀ ହୋଇଥିବା ବେଳେ ୫୦ କେଜି ବର୍ଗରେ ନିଖତ ଜରିନ ମଧ୍ୟ ଗୋଲ୍ଡ ଜିତିଛନ୍ତି । ମିକ୍ସ ଡବଲ୍ସ ଟେବୁଲ ଟେନିସରେଭାରତକୁ ମିଳିଛି ସ୍ୱର୍ଣ୍ଣ । ମହିଳା ଟେବୁଲ ଟେନିସ ଖେଳାଳି ଶ୍ରୀଜା ଅକୁଲା ଓ ପୁରୁଷ ଖେଳାଳି ଅଚନ୍ତ ଶରତ କମଲ ଯୋଡ଼ିଙ୍କୁ ଏହି ସଫଳତା ମିଳିଛି ।

ସେହିପରି ବ୍ୟାଡମିଣ୍ଟନ ମିକ୍ସଡ୍ ଇଭେଣ୍ଟରେ ଭାରତୀୟ ଟିମ୍ ରୌପ୍ୟ ବିଜୟୀ ହୋଇଛି । ପିଭି ସିନ୍ଧୁ, ଗାୟତ୍ରୀ ଗୋପିଚାନ୍ଦ, ଅଶ୍ୱିନୀ ପୋନ୍ନାପା, ଆକାର୍ଷୀ କଶ୍ୟପ ଓ ତ୍ରିଶା ଜୋଲିଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି । ମ୍ୟାଚରେ ମହିଳା ଭାରତ୍ତୋଳନରେ ୫୫ କେଜି ବର୍ଗରେ ବିନ୍ଦ୍ୟାରାଣୀ ଦେବୀଙ୍କୁ ମିଳିଛି ରୌପ୍ୟ । ମହିଳା ଯୁଡ଼ୋରେ ୪୮ କେଜି ବର୍ଗରେ ସୁଶୀଲା ଲିକାମ୍ବାମ୍ ଓ ୭୮ କେଜି ବର୍ଗରେ ତୁଲିକା ମାନ୍ ମଧ୍ୟ ରୌପ୍ୟ ହାତେଇଛନ୍ତି । ମହିଳା କୁସ୍ତି ୫୭ କେଜି ବର୍ଗରେ ଅଂଶୁ ମଲ୍ଲିକଙ୍କୁ ମିଳିଛି ରୌପ୍ୟ ମହିଳ ।

୧୦ ହଜାର ମିଟର ଚାଲିରେ ପ୍ରିୟଙ୍କା ଗୋସ୍ୱାମୀ ମଧ୍ୟ ରୌପ୍ୟ ବୀଜୟୀ ହୋଇଛନ୍ତି । . ମହିଳା ଭାରତ୍ତୋଳନ ୭୧ କେଜି ବର୍ଗରେ ହର୍ଜିନ୍ଦର କୌର ଜିତିଛନ୍ତି ବ୍ରୋଞ୍ଜ । ମହିଳା କୁସ୍ତିରେ ଦିବ୍ୟା କାର୍ରନ୍, ପୁଜା ଗେହ୍ଲଟ, ପୁଜାଙ୍କୁ ମିଳିଛି ବ୍ରୋଞ୍ଜ । ମହିଳା ଲାଇଟ୍ ୱେଟ୍‌ ବକ୍ସିଂରେ ଜସ୍ମିନ ଲାମ୍ବୋରିଆ ମଧ୍ୟ ବ୍ରୋଞ୍ଜ ପଦକ ହାତେଇଛନ୍ତି । ଟେବୁଲ ଟେନିସ୍ ମହିଳା ସିଙ୍ଗଲ୍ସରେ ସୋନାଲବେନ୍ ପଟ୍ଟେଲଙ୍କୁ ମିଳିଛି ବ୍ରୋଞ୍ଜ । ସେହିପରି ମହିଳା ଜାଭେଲିନ୍ ଥ୍ରୋରେ ଅନୁ ରାଣୀ ଜିତିଛନ୍ତି ବ୍ରୋଞ୍ଜ । ସ୍ବାସ୍ ମିକ୍ସଡ ଡବଲ୍ସରେ ଦୀପିକା ପାଲିକଲ୍ ଓ ସୌରଭ ଘୋଷାଲ ଯୋଡ଼ି ବ୍ରୋଞ୍ଜ ଜିତିଛନ୍ତି । ବ୍ୟାଡ଼ମିଣ୍ଟନ୍ ମହିଳା ଡବଲ୍ସରେ ମଧ୍ୟ ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରିଶା ଜୋଲି ଯୋଡ଼ି ବ୍ରୋଞ୍ଜ ହାତେଇଛନ୍ତି ।

ଏପର୍ଯ୍ୟନ୍ତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ମଧ୍ୟରୁ ୨୦୧୦ରେ ଭାରତ ସର୍ବାଧିକ ମେଡାଲ ଜିତିଥିଲା । ୨୦୧୦ରେ ଭାରତ ୩୮ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଏବଂ ୩୬ଟି ବ୍ରୋଞ୍ଜ ପଦକ ସହ ମୋଟ ୧୦୧ଟି ମେଡାଲ୍ ପାଇ ମେଡାଲ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲା ।

Commonwealth Games 2022
Advertisment
Advertisment