• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହକିକୁ ଅଲବିଦା କହିଲେ ଭାରତୀୟ ମହିଳା ହକି ଷ୍ଟାର ଲିଲିମା ମିଞ୍ଜ । ଟିମ୍ ଇଣ୍ଡିଆର ଏହି ଭେଟେରାନ୍ ମିଡଫିଲଡର ଆଜି ଅବସର ଘୋଷଣା କରିଥିବା ନେଇ ସ୍ପଷ୍ଟ କରିଛି ହକି ଇଣ୍ଡିଆ । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଲିଲିମା ୨୦୧୧ରେ ଆର୍ଜେଣ୍ଟିନାରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ଲାଗି ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ ।

ଅଭିଜ୍ଞ ମିଡ୍‌ଫିଲଡର ଭାବେ ଦଳର ବିଜୟରେ ଅନେକ ଥର ପ୍ରମୁଖ ଭୂମିକା ନେଇଥିଲେ ଲିଲିମା । ଭାରତ ପାଇଁ ୧୫୬ଟି ମ୍ୟାଚ ଖେଳି ସେ ୧୨ଟି ଗୋଲ୍ ସ୍କୋର କରିଛନ୍ତି । ୨୦୧୪ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ, ୨୦୧୮ ଏସିଆନ୍ ଗେମ୍ସରେ ସିଲଭର ଏବଂ ୨୦୧୯ ହିରୋସୀମା FIH ୱିମେନ୍ସ ସିରିଜ୍‌ରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ମହିଳା ଦଳର ସଦସ୍ୟ ଥିଲେ ଲିଲିମା ।

୨୦୧୬ ମସିହା ରିଓ ଅଲିମ୍ପିକ୍ସ ଖେଳିଥିବା ଐତିହାସିକ ଭାରତୀୟ ମହିଳା ଦଳରେ ମଧ୍ୟ ସେ ସ୍ଥାନ ପାଇଥିଲେ । ୩୬ ବର୍ଷ ପରେ ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଇଥିଲା ଭାରତୀୟ ମହିଳା ଦଳ । କିଛି ବର୍ଷ ଧରି ଭାରତୀୟ ମହିଳା ହକି ଦଳର ଅଭିନ୍ନ ଅଙ୍ଗ ପାଲଟିଥିଲେ ଲିଲିମା । ୨୦୧୮ରେ ତାଙ୍କୁ ଓଡ଼ିଶାର ସର୍ବୋଚ୍ଚ କ୍ରୀଡା ସମ୍ମାନ ସମ୍ମାନଜନକ ଏକଲବ୍ୟ ପୁରସ୍କାର ମିଳିଥିଲା । ତେବେ ମାତ୍ର ୨୮ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି ।